The paddy: ପାଣିରେ ବୁଡ଼ି ଧାନତଳି ଶଢ଼ିଲା

Jul 31, 2026 - 06:51
The paddy: ପାଣିରେ ବୁଡ଼ି ଧାନତଳି ଶଢ଼ିଲା

"ବାଲିଅନ୍ତା: ଲଗାଣ ବର୍ଷା ଯୋଗୁ ବାଲିଅନ୍ତା ବ୍ଲକ୍‌ର ବହୁ ଅଞ୍ଚଳରେ ଧାନତଳି ପାଣିରେ ବୁଡ଼ିରହି ଶଢ଼ିଗଲାଣି।

ଶହଶହ ହେକ୍ଟର ଜମିରେ ରୁଆ ହୋଇଥିବା ଧାନ ତଳି ପଚିଶଢ଼ି ଯାଇଛି।

ସେହିଭଳି ଉପୁଡ଼ା ହୋଇ ନଥିବା ଧାନ ତଳି ମଧ୍ୟ ନଷ୍ଟ ହୋଇଗଲାଣି।

ଗହୀରରେ ବର୍ଷା ଜଳ ଜମି ରହିଥିବାରୁ ବେଉଷଣ କାମ ବି ହୋଇପାରୁନି।

ତେଣୁ ଚଳିତ ବର୍ଷ ଖରିଫ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହେବା ନିଶ୍ଚିତ ବୋଲି ଜଳଜଳ ଦିଶିଲାଣି ଏବଂ ଚାଷୀମାନଙ୍କ ଭିତରେ ଭାଳେଣି ପଡ଼ିଗଲାଣି।

ବହୁ ଜାଗାରେ ସଫେଇ ନାଳ ସଫା ହୋଇନାହିଁ ଏବଂ ଦଳଭର୍ତ୍ତି ନାଳରେ ପାଣି ନିଷ୍କାସନ ହୋଇପାରୁନି।

ଡ୍ରେନେଜ୍‌ ବିଭାଗର ଅବହେଳା ପାଇଁ ଗହୀରରୁ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଆଜି ଲୁଣା ଗାଁର ବହୁ ଚାଷୀ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ସାକ୍ଷାତକରି ସଫେଇ ନାଳ ତୁରନ୍ତ ସଫା କରାଯାଉ ବୋଲି ଦାବିପତ୍ର ଦେଇଛନ୍ତି।

Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ରଣପୁର ଖବରଦଣ୍ଡାଠାରୁ ଗୋଠସାବାଳିଆ, କଇଜଙ୍ଗା ଓ ଶିଶିଲୋ ତାରିଣୀ ମନ୍ଦିର ନିକଟ ଦେଇ ଯାଇଥିବା ସଫେଇ ନାଳ ଦୀର୍ଘ ବର୍ଷ ହେଲା ସଫା ହେଉ ନଥିବାରୁ ପୋତି ହୋଇଗଲାଣି।

ସରଦେଇପୁର-ନିମାପଡ଼ା ରାସ୍ତା କଡ଼େକଡ଼େ ଯାଇଥିବା ସଫେଇ ନାଳର ଅଧିକାଂଶ ସ୍ଥାନ ପୋତି ହୋଇଯାଇଛି।

ବିଶେଷକରି ଗୋଠସାବାଳିଆଠାରୁ କଇଜଙ୍ଗା ଯାଏ ବହୁ ସ୍ଥାନରେ କଲିକତି ଦଳ ଭର୍ତ୍ତି ହୋଇଯାଇଛି।

ତେଣୁ ଗହୀରରୁ ପାଣି ନିଷ୍କାସନ ହୋଇପାରୁନାହିଁ।

ଫଳରେ ରଣପୁର, କଇଜଙ୍ଗା ଗହୀର ପାଣିରେ ବୁଡ଼ିରହିଛି ଏବଂ ଶହଶହ ଏକର ଜମିରେ ରୁଆ ଧାନ ଗଛ ପଚିଶଢ଼ି ଗଲାଣି।

ସେହିଭଳି ଶହଶହ ଏକର ଜମିରେ ବେଉଷଣ କାମ ଆରମ୍ଭ ହୋଇପାରୁନାହିଁ।

ଏହି ସମସ୍ୟାକୁ ନେଇ ଗତବର୍ଷ ଶହଶହ ଚାଷୀ ଡ୍ରେନେଜ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ।

କିନ୍ତୁ ଅଧିକାରୀଙ୍କ ଦୃଷ୍ଟି ପଡ଼ିଲା ନାହିଁ।

ଆଜି ରଣପୁର ଓ ଲୁଣା ଗ୍ରାମର ୩୦ରୁ ଅଧିକ ଚାଷୀ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଭେଟି ପୁଣି ଦାବି ହୋହରାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସରଦେଇପୁର-ନିମାପଡ଼ା ୪ ଥାକିଆ ରାସ୍ତା ନିର୍ମାଣ ଯୋଗୁ ରାସ୍ତା କଡ଼ରେ ଯାଇଥିବା ସଫେଇ ନାଳର ଅଧିକାଂଶ ଅଂଶ ପୋତି ହୋଇଯାଇଛି।

ରାସ୍ତା କାମ ବେଳେ ବାଲିମାଟି ପଡ଼ି ପୋତିହୋଯାଇଛି।

ଏସଂପର୍କରେ ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ ବନିତା ସାହୁଙ୍କ କହିବା କଥା ଉପରିସ୍ଥ ଅଧିକାରୀଙ୍କ ପରାମର୍ଶକ୍ରମେ ଖୁବ୍‌ଶୀଘ୍ର ସଫେଇ ନାଳରୁ ଦଳ ସଫା କରାଯିବ।

ସହକାରୀ ନିର୍ବାହୀଯନ୍ତ୍ରୀ ଗୀତାଞ୍ଜଳି ବେହେରାଙ୍କ କହିବା କଥା ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।

Horoscope 2026 July 31: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।