Textbook Row Continues: ବହି ବିଭ୍ରାଟ ନେଇ ତୁଟୁନି ଦ୍ବନ୍ଦ୍ବ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ମନ୍ତ୍ରୀ

Jun 29, 2026 - 20:34
Textbook Row Continues: ବହି ବିଭ୍ରାଟ ନେଇ ତୁଟୁନି ଦ୍ବନ୍ଦ୍ବ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ମନ୍ତ୍ରୀ

ବହି ବିଭ୍ରାଟ ନେଇ ତୁଟୁନି ଦ୍ବନ୍ଦ୍ବ
ସଂଶୋଧିତ ନାଁ ସଂପୂର୍ଣ୍ଣ ନୂଆ ବହି?
କେଉଁଥିରେ ପଢାଯିବ ପାଠ?
ଏ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। କିଛିଦିନ ତଳେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ତୃଟିପୂର୍ଣ୍ଣ ବହି ସବୁ ଫେରାଇ ଅଣାଯାଇ ସଂଶୋଧିତ ବହି ପିଲାଙ୍କୁ ଯୋଗାଇ ଦିଆଯିବ। ପ୍ରଶ୍ନ ଉଠୁଛି ଯଦି ତ୍ରୁଟିପୂର୍ଣ୍ଣ ବହି ଫେରାଇ ନିଆଯାଇ ନୂଆ ବହି ଦିଆଯିବ ତାହା କେବେ ? ଯାହାକୁ ନେଇ ସବୁ ମହଲେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି।

ଆଜି ବ୍ରହ୍ମପୁରଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଛି ମାନବାଧିକାର ସୁରକ୍ଷା ମଞ୍ଚ। ତୁରନ୍ତ ତ୍ରୁଟି ସୁଧାରି ପିଲାଙ୍କୁ ନୂଆ ବହି ଯୋଗାଇ ଦେବା ସହ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି।

ସେପଟେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି, ନୂଆ ନୁହେଁ ପୂର୍ବରୁ ଯୋଗାଇ ଦିଆଯାଇଥିବା ବହିରେ ହିଁ ପାଠ ପଢାଯିବ। ତେବେ ସ୍କୁଲଗୁଡିକୁ ଡିଇଓ ଓ ପ୍ରଧାନ ଶିକ୍ଷକମାନଙ୍କ ଜରିଆରେ ସଂଶୋଧିତ କପି ଯୋଗାଇ ଦିଆଯିବ। ଏହି ଆଧାରରେ ଶିକ୍ଷକମାନେ ପିଲାମାନଙ୍କୁ ପାଠ ପଢ଼ାଇବେ। ତେଣେ ଭଦ୍ରକ ବ୍ଳକରେ ଏହା ଭିତରେ କିଛି ସଂଶୋଧିତ କପି ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯାଇଛି। 

ଗ୍ରୀଷ୍ମଛୁଟି ପରେ ସ୍କୁଲ ଖୋଲିବା ବେଳକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବିଭିନ୍ନ ବହିରେ ଗଣ୍ଡା ଗଣ୍ଡା ତୃଟି ସାମନାକୁ ଆସିଥିଲା। ଅଷ୍ଟମ ଶ୍ରେଣୀ ବହିରେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତ.. ଚତୁର୍ଥ ଶ୍ରେଣୀ ଇଂରାଜୀ ବହିରେ ଭାସି ଯା ମୋର କାଗଜ ଡଙ୍ଗା ଓ ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ରଜ ଦୋଳି ଗୀତ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ କମିଟି ଦ୍ବାରା ତଦନ୍ତ କରାଇବା ପରେ ତତ୍କାଳୀନ SCERT ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ୪ ଜଣଙ୍କୁ ସସପେଣ୍ଡ କରିଥିଲେ। ଓଡ଼ିଶା ଶିକ୍ଷା ଇତିହାସରେ ପ୍ରଥାମିକ ପାଠ୍ୟ ପୁସ୍ତକରେ ଏତେ ସଂଖ୍ୟକ ଭୁଲ୍ ସର୍ବ ପ୍ରଥମ ବୋଲି କୁହଯାଉଛି। ଆଗକୁ ଏନେଇ ଆଉ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ନଜର।.....