Textbook Error Case: ପାଠ୍ୟ ପୁସ୍ତକରେ ତ୍ରୁଟି: ଷଡ଼ଯନ୍ତ୍ରକାରୀଙ୍କ ଚେହେରା ଦେଖିବାକୁ ଚାହାଁନ୍ତି ଜନସାଧାରଣ

Jul 14, 2026 - 18:55
Textbook Error Case: ପାଠ୍ୟ ପୁସ୍ତକରେ ତ୍ରୁଟି: ଷଡ଼ଯନ୍ତ୍ରକାରୀଙ୍କ ଚେହେରା ଦେଖିବାକୁ ଚାହାଁନ୍ତି ଜନସାଧାରଣ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣା ନେଇ ରାଜ୍ୟ ସାରା ଏବେ ଚର୍ଚ୍ଚା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପୂର୍ବତନ ଏସସିଇଆରଟି ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି । ସରକାରଙ୍କ କୌଣସି ଆକ୍ସନ ଗତକାଲି ସୁଦ୍ଧା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ବୋଧହୁଏ ଜନସାଧାରଣ ଆଶଙ୍କା କରୁଛନ୍ତି ଯେ ଏହିଭଳି ଏକ ଗୁରୁତର ଘଟଣା ପଛରେ ଥିବା ବଡ଼ବଡ଼ିଆଙ୍କ ବିରୋଧରେ ସରକାର କୌଣସି ନା କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କୁଳେଇ ପାରୁନାହାଁନ୍ତି ।

କ୍ରମବର୍ଦ୍ଧିଷ୍ଣୁ ଜନଅସନ୍ତୋଷକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତର ଘଟଣାର ଅପରାଧିକ ତଦନ୍ତ କରିବା ପାଇଁ ରାଜ୍ୟ କ୍ରାଇମ୍ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏ ନେଇ ଏସସିଆରଟି ନିର୍ଦ୍ଦେଶିକ ମଧୁସ୍ମିତା ସାହୁ ଜୁଲାଇ ୧୩ ତାରିଖ ଦିନ କ୍ରାଇମ୍‌ବ୍ରାଞ୍ଚଏସ୍‌ପିଙ୍କ ନିକଟରେ ଏକ ବିଧିବଦ୍ଧ ଭାବେ ଏକ ମାମଲା ଦାୟର କରିଛନ୍ତି। ଏବେ ରାଜ୍ୟବାସୀଙ୍କ ଅପେକ୍ଷା ଏହି ସଂସ୍ଥାର ତଦନ୍ତ କେତେ ସ୍ୱଚ୍ଛ ଏବଂ ନିରପେକ୍ଷ ହୋଇ ଷଡ଼ଯନ୍ତ୍ରକାରୀଙ୍କ ନିକଟରେ ପହଞ୍ଚୁଛି ଏବଂ ସେମାନଙ୍କର ଚେହେରାକୁ ଜନସାଧାରଣଙ୍କ ନିକଟରେ ଊପସ୍ଥାପନ କରୁଛି । 

ପୂର୍ବରୁ ପାଠ୍ୟ ପୁସ୍ତକ ତ୍ରୁଟିଜନିତ ବିଷୟର କାରଣ ଅନୁସନ୍ଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ ଅନୁଯାୟୀ ଏସ୍‌ସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା। ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିଲମ୍ବନ ହୋଇଥିବା ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁ । ଏହାଛଡ଼ା ଆଉ କିଛି ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ସୁପାରିଶ କରିଥିଲେ । 

ଶିକ୍ଷାବିତ୍‌ମାନଙ୍କ କହିବା ଅନୁସାରେ ପାଠ୍ୟ ପୁସ୍ତକ ତ୍ରୁଟି ଏକ ସାଧାରଣ ତ୍ରୁଟି ନୁହେଁ । ଏଥିରେ ପ୍ରାୟ ୫୦ ଲକ୍ଷ ପିଲାମାନଙ୍କର ଭବିଷ୍ୟତ ଯୋଡ଼ି ହୋଇରହିଛି । ଯେଉଁଭଳି ଭାବେ ବିଭନ୍ନ ସ୍ଥାନରେ ବିକୃତ ଭାଷା, ଅନାବଶ୍ୟକ ବିଷୟ ଏବଂ ଇଂରାଜୀ  ବହିରେ ଓଡ଼ିଆ ଏବଂ ଓଡ଼ିଆ ବହିରେ ଇଂରାଜୀ ଇତ୍ୟାଦି ସ୍ଥାନ ପାଇଛି, ତାହା ଭବିଷ୍ୟତର ବଂଶଧରମାନଙ୍କ କ୍ୟାରିୟର ଉପରେ ଭୀଷଣ ପ୍ରଭାବ ପକାଉଛି । 

ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯେ ପାଠ୍ୟପୁସ୍ତକରେ ତ୍ରୁଟି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଏଥି ସହିତ ସେ କହିଛନ୍ତି ଯେ ଯେଉଁମାନେ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଏହା ମଧ୍ୟରେ ପ୍ରାୟ ଏକ ସପ୍ତାହ ବିତିଯିବା ପରେ କେବଳ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଷଡଯନ୍ତ୍ର କେବେ ବି ଜଣଙ୍କ ଦ୍ୱାରା ହୋଇନଥିବ । ଏହା ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନିଶ୍ଚୟ ଥିବ ।   ବିରୋଧୀ ବିଜୁ ଜନତା ଦଳ (ବିଜେଡ଼ି) ଏବଂ ଭାରତୀୟ ଜାତୀୟ କଂଗ୍ରେସ ସରକାରଙ୍କୁ ଏ ପ୍ରସଙ୍ଗରେ କଟୁ ସମାଲୋଚନା କରୁଛନ୍ତି । ସରକାରଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଉଛନ୍ତି ।  କେବଳ ସେତିକି ନୁହେଁ, - ସାମାଜିକ ଗଣମାଧ୍ୟମରେ ଅନେକ ଏ ନେଇ ସମାଲୋଚନାମୂଳକ ରିଲ୍‌ସ ତିଆରି କରି ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି ।

ପାଠ୍ୟ ପୁସ୍ତକ ତ୍ରୁଟି ଏକ ସାଧାରଣ ତ୍ରୁଟି ନୁର୍ହେଁ, - ଏହା ଏକ ଅକ୍ଷମଣୀୟ ତ୍ରୁଟି । ଏହି ତ୍ରୁଟିରେ ଭବିଷ୍ୟତ ବଂଶଧରମାନଙ୍କ ଚେତନା ଓ ଭାବନା ବେଶ୍ ପ୍ରଭାବିତ ହେବାକୁ ଯାଉଥିଲା । ଏଭଳି ତ୍ରୁଟି ଇଛାକୃତ କିମ୍ବା ଅନିଚ୍ଛାକୃତ, ତାହା ସାଧାରଣ ଜନତା ଜାଣିବାର ଆବଶ୍ୟକତା ରହିଛି । ଅବଶ୍ୟ କ୍ରାଇମବ୍ରାଞ୍ଚ ଆଜି ସ୍ଫଷ୍ଟ କରିଛି ଯେ, ମନୋଜ ପାଢ଼ୀ ଇଚ୍ଛାକୃତ ଭାବେ ଏହି ତ୍ରୁଟି କରିଛନ୍ତି । ସରକାରଙ୍କର ୧୭୫ କୋଟି ଟଙ୍କା ପାଣିରେ ପକାଇ ଦେଇଛନ୍ତି ।

ପାଠ୍ୟ ପୁସ୍ତକ ପସ୍ତୁତିରେ ଅନେକ ବ୍ୟକ୍ତି ବିଶେଷ ବିଭିନ୍ନ କମିଟି ମାଧ୍ୟମରେ ସମ୍ପୃକ୍ତ ହୋଇଥାଆନ୍ତି । ପାଠ୍ୟ ଖସଡ଼ା ବା ସିଲାବସ୍ ପ୍ରସ୍ତୁତି ପାଇଁ ଏକ ସମ୍ପାଦନା ମଣ୍ଡଳୀ ବା ଏଡିଟୋରିଆଲ୍ ବୋର୍ଡ ଗଠନ ହୋଇଥାଏ । ଏଥିରେ ପାରଦର୍ଶୀ ତଥା ଅଭିଜ୍ଞ ଶିକ୍ଷାବିତ୍‌ମାନଙ୍କୁ ନିଆଯାଇଥାଏ । ସେହିପରି ଏକ ସ୍କୃଟିନି ବା ଯାଞ୍ଚ କମିଟି ବା ସିଲାବସ୍ ତଦାରଖ କମିଟି ପାଠ୍ୟ ପୁସ୍ତକ ସଠିକତା ପରିଖିବା ପାଇଁ ଥାଏ ।

ପରିଶେଷରେ ସିଲାବସ୍ ଠିକ୍ ଅଛି କି ନାହିଁ, ତାହା ନିରେଖି କରି ପରୀକ୍ଷା କଲା ପରେ ଭେଟିଂ କମିଟି ତାହାର ସ୍ୱୀକୃତି ପ୍ରଦାନ କରିଥାଏ । ଭେଟିଂ କମିଟିର ସମସ୍ତ ସଦସ୍ୟଙ୍କ ଦସ୍ତଖତ ପରେ ପାଠ୍ୟ ପୁସ୍ତକ ପରେ ଏହା ଟେକ୍‌ଟ ବୁକ୍ ପ୍ରିଣ୍ଟିଂ ପ୍ରେସ୍‌କୁ ମୁଦ୍ରଣ ପାଇଁ ପଠାଯାଇଥାଏ । ଟେକ୍ସଟ୍ ବୁକ୍ ମୁଦ୍ରଣ ପରେ ମଧ୍ୟ ଏହା ଠିକ୍ ଅଛି କି ନାହିଁ, ତାହା ମଧ୍ୟ ପୁଣିଥରେ ପ୍ରାଧିକୃତ କମିଟି ଦ୍ୱାରା ଦେଖାଯାଇଥାଏ । 

ଉପରୋକ୍ତ ବ୍ୟବସ୍ଥା ସମୂହ ଥାଉଥାଉ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ପ୍ରଣୟନ ହେବା ସମ୍ପୂର୍ଣ୍ଣ ଅସ୍ୱାଭାବିକ ଲାଗୁଛି । ଉପରବର୍ଣ୍ଣିତ କମିଟିଗୁଡ଼ିକରେ କେଉଁମାନଙ୍କୁ ସଦସ୍ୟ ଭାବରେ ନିଆଯାଇଥିଲା? ସେମାନଙ୍କର ଅଭିଜ୍ଞତା କେତେ ପରିମାଣରେ ରହିଛି ? ସେମାନେ ପ୍ରତ୍ୟକ୍ଷ ଭାବରେ ନିଜନିଜ ଦାୟିତ୍ୱରେ ସମ୍ପୃକ୍ତ ଥିଲେ ନା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବୈଷୟିକ ଜ୍ଞାନକୌଶଳର ସହାୟତା ନେଇଥିଲେ ଭଳି ଅନେକ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କିମାରୁଛି । ସେହି କମିଟିଗୁଡିକର ସଦସ୍ୟମାନଙ୍କୁ ସେମାନଙ୍କ କାମ ଠିକ୍ ଭାବେ କରିବାକୁ କୁହଯାଛି, ନା ସେମାନଙ୍କ ଉପରେ କିଛି ଚାପ ଥିଲା ?

ନୂତନ ପାଠ୍ୟ ଖସଡ଼ା ପ୍ରସ୍ତୁତି ହେବା ପ୍ରକ୍ରିୟା ଠାରୁ ଆରମ୍ଭ କରି ମୁଦ୍ରଣ ଓ ବିତରଣ ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ରାଜକୋଷରୁ ବ୍ୟୟ କରାଯାଇଛି । କେବଳ ସେତିକି ନୁହେଁ, ଅନେକ ମାନବ ସମ୍ବଳ ଶକ୍ତି ଓ ସମୟ ମଧ୍ୟ ବ୍ୟୟ କରାଯାଇଛି । ଏହି ମାନବ ସମ୍ବଳ ହେଉଛନ୍ତି ବିଭାଗୀୟ ଅଧିକାରୀ ଏବଂ ବିଶେଷଜ୍ଞ । ସେମାନେ ରାଜକୋଷରୁ ଦରମା ଓ ଭତ୍ତା ପାଇଛନ୍ତି ।  ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ମୋହନ ମାଝୀ ସରକାରଙ୍କ ଭାବମୂର୍ତ୍ତି ଯେତିକି ପରିମାଣରେ କ୍ଷତିଗ୍ରସ୍ତ ହୋଇଛି, ଅନ୍ୟ କେଉଁ ଘଟଣାରେ ଏତିକି କ୍ଷତିଗ୍ରସ୍ତ ହୋଇନଥିଲା ।

ଗାଁ ଗହଳିରେ ଲୋକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରିବା ଦେଖାଯାଇଥିଲା । ଏହି ଘଟଣାରେ ବ୍ୟାପକ ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ ହେବା ସହିତ କିଛି ଲୋକଙ୍କୁ ଅହେତୁକ ଅନୁକମ୍ପା ପାଇଁ ଏମିତି କରାଯାଇଛି ବୋଲି କୁହାଯାଉଛି ।

ବଢ଼ିବ କି ଜନ ଆକ୍ରୋଶ ?

ଏବେ ସମସ୍ତଙ୍କ ନଜର କ୍ରାଇମ୍  ବ୍ରାଞ୍ଚ ତଦନ୍ତ ଉପରେ । ଏହି ସଂସ୍ଥା ସଠିକ୍ ଭାବରେ ତଦନ୍ତ କରୁଛି  କି ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ । ହେଲେ, ଗୋଟିଏ କଥା ନିଶ୍ଚିତ ଏଭଳି ଗୁରୁତର ଘଟଣାର ସଠିକ୍ ପର୍ଦ୍ଦାଫାସ ନହୋଇପାରିଲେ, ଲୋକଙ୍କ ସନ୍ଦେହ ଆହୁରି ବଢ଼ିବ ଏବଂ ସରକାରଙ୍କ ସ୍ଥିତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସରକାର ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଯଦି ଅଭିଯୁକ୍ତମାନଙ୍କୁ ବାନ୍ଧି ଜେଲ୍‌କୁ ନପଠାଇଛନ୍ତି, ତେବେ ଆଗାମୀ ଦିନରେ ଜନାକ୍ରୋଶ ଆହୁରି ବଢ଼ିବ ଏବଂ ଶାସକ ଭାରତୀୟ ଜନତା ପାର୍ଟି ରାଜନୈତିକ ଭାବେ ବେଶି କ୍ଷତିଗ୍ରସ୍ତ ହେବ । 

କ୍ରାଇମ୍ ବ୍ରାଞ୍ଚ ଆଗରେ ବର୍ତ୍ତମାନ ଯେଉଁ କେତେକ ଆହ୍ୱାନ ରହିଛି, ସେଗୁଡ଼ିକ ହେଲା ପାଠ୍ୟ ପୁସ୍ତକ ପ୍ରଣୟନ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ପ୍ରତ୍ୟେକ କମିଟିର ସଦସ୍ୟମାନଙ୍କର ଭୂମିକାକୁ ପରଖିବା, ସେମାନେ କେଉଁ ଆଧାରରେ ବିଷୟ ଚୟନ କଲେ ତାହା ଦେଖିବା ଏବଂ ଶେଷରେ କେଉଁମାନେ କେଉଁ ପରିସ୍ଥିତିରେ ଏଭଳି ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକଗୁଡ଼ିକୁ ପ୍ରିଣ୍ଟିଂ କରିବା ପାଇଁ ଅନୁମତି ଦେଲେ । ଯେ ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନଙ୍କର ଚେହେରା ସାମ୍ନାକୁ ନଆସିଛି, ସେ ପର୍ଯ୍ୟନ୍ତ ଜନସାଧାରଣ ଏହକୁ ସନ୍ଦେହ ଚକ୍ଷୁରେ ଦେଖିବେ । ବିଶେଷଜ୍ଞମାନଙ୍କୁ କେଉଁ ଆଧାରରେ ବଛାଯାଇଛି ଓ ସେମାନେ ରାଜକୋଷରୁ କେତେ ଟଙ୍କା ନେଇଛନ୍ତି, ତାହା ମଧ୍ୟ ଜନସାଧାରଣ ଜାଣିବା ଜରୁରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।