Devotees Receive Nabajouban Darshan: ସରିଲା ୧୪ ଦିନର ଅପେକ୍ଷା, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ

Jul 14, 2026 - 19:53
Devotees Receive Nabajouban Darshan: ସରିଲା ୧୪ ଦିନର ଅପେକ୍ଷା, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲେ ଭକ୍ତ

ଓଠରେ କାଳିଆ ଜଣାଣ...ପାଦରେ ଭକ୍ତିର ତାଳ...ଆନନ୍ଦରେ ନାଚୁଛି ମନପ୍ରାଣ। ଏ ଖୁସି ଖାଲି ଗୋଟିଏ ପର୍ବର ନୁହେଁ...ଇଏ କାଳିଆକୁ ପାଖରେ ପାଇବାର ଆନନ୍ଦ। ଯାହାଙ୍କ ଦର୍ଶନ ପାଇଁ ହୃଦୟ ବ୍ୟାକୁଳ ଥିଲା, ମନ ଦିନ ଗୁଣୁଥିଲା, ଆଜି ସେହି ମହାପ୍ରଭୁଙ୍କ ଆଗମନର ଖବରରେ ପ୍ରତିଟି ହୃଦୟ ଭକ୍ତିରେ ଭିଜିଯାଇଛି। ସେଥିପାଇଁ ତ ଶ୍ରୀକ୍ଷେତ୍ରର ପବନରେ ଭାସି ବୁଲୁଛି ଭକ୍ତିର ସ୍ୱର। କିଏ ନାଚୁଛି, କିଏ ଗାଉଛି, କିଏ ପୁଣି ନିରବରେ ଅପଲକ ନୟନରେ ଶ୍ରୀମନ୍ଦିରକୁ ଚାହିଁ ରହିଛି। ୧୪ ଦିନ ଧରି ଚାତକ ଭଳି ଚାହିଁ ରହିଥିବା ଭକ୍ତଙ୍କୁ ଆଜି ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଅଳ୍ପ ସମୟ ହେଉପଛେ ଅନବସରର ନିରବତା ଭାଙ୍ଗି ନବଯୌବନରେ ଝଲସି ଉଠିଛନ୍ତି ଶ୍ରୀଜିଉ।.. ଏହା ପୂର୍ବରୁ ଖଡ଼ିପ୍ରସାଦ ବିଜେ ସହ ବଡ଼ସିଂହାର ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି କରାଯାଇଥିଲା। ଚତୁର୍ଦ୍ଦଶୀ କ୍ଷୟ ଯୋଗୁ ଦୁଇଦିନର କାମ ଗୋଟିଏ ଦିନରେ ସମ୍ପନ୍ନ ହେଉଥିବାରୁ ଦର୍ଶନ ଅବଧି ହ୍ରାସ ପାଇଛି। ଏଣୁ ମନଭରି ଚକାଆଖିକୁ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। 

ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ବି ଭକ୍ତ ମନରେ ଅଧୁରାପଣ...କାରଣ ସମସ୍ତଙ୍କ ଆଖି ଏବେ ରଥଯାତ୍ରାକୁ ଖୋଜୁଛି। ଆଉ ଦିନକ ପରେ ସେହି ପ୍ରତୀକ୍ଷିତ କ୍ଷଣ। ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ। ସାଆନ୍ତେଙ୍କ ଆସିବା ବାଟକୁ ଚାହିଁବସିଛନ୍ତି ସଭିଏଁ। ପତିତପାବନକୁ ପାଛୋଟି ନେବାକୁ ଛିଡ଼ା ହୋଇ ରହିଛି ତିନି ରଥ। ଆଉ ଦାରୁବ୍ରହ୍ମଙ୍କ ଆଗମନକୁ ଅନାଇ ବସିଛି କୋଟି କୋଟି ଭକ୍ତ ହୃଦୟ। ଖାଲି ମଣିଷ କାହିଁକି, ଆକାଶ ବି ସାମିଲ ହୋଇଛି ଭକ୍ତିର ମହାପର୍ବରେ। ଦେଖୁନାହାନ୍ତି, ଆଜିଠୁ କେମିତି ଭକ୍ତି ଅର୍ଘ୍ୟ ଢାଳି ଚାଲିଛି। ଝିପିଝିପି ବର୍ଷାରେ ସତେଯେମିତି ଆଗୁଆ ପୁଷ୍ପବର୍ଷା କରୁଛି। ଚକାଆଖିରେ ଆଖି ମିଶାଇ ମନର କୋହ ବଖାଣିବାକୁ ଏବେଠୁ କାହିଁ କେତେଦୂରୁ ଛୁଟିଆସିଲେଣି ଭକ୍ତ। ଏଇ ଯେମିତି, କଟକର କ୍ୟାନସର ପୀଡ଼ିତ ପ୍ରମୋଦ ପାତ୍ର ଆଉ ତାଙ୍କ ପତ୍ନୀ।

ଏପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଜୋରଦାର । ଫୋକସରେ ଟ୍ରାଫିକ୍ ପରିଚାଳନା ଓ ଭିଡ଼ନିୟନ୍ତ୍ରଣ। ଚଳିତବର୍ଷ ୬ଟି ନୂଆ ସ୍ଥାନକୁ ମିଶାଇ ମୋଟ ୩୦ଟି ସ୍ଥାନରେ ପାର୍କିଂ କରାଯିବ। କେବଳ ବସ୍ ପାଇଁ ରହିଛି ୪ଟି ସ୍ପେଶାଲ୍ ପାର୍କିଂ ପ୍ଲେସ୍ । ୩ଟି ସ୍ଥାନରେ ଡ୍ରୋନ୍ ଦ୍ବାରା ଟ୍ରାଫିକ ଗତିବିଧି ଉପରେ ନଜର ରହିବ। ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଓ ଟ୍ରାଫିକ ପକ୍ଷରୁ ସ୍ବତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ ବୋନ୍, ବଲ୍କ ଏସଏମଏସର ବ୍ୟବସ୍ଥା ହୋଇଛି। ସହରର ବିଭିନ୍ନ ସ୍ଥାନରେ ୧୦୫୦ ସାଇନେଜ୍, ୭୩ ଟ୍ରାଫିକ ସହାୟତା କେନ୍ଦ୍ର, ୨ ଏଲଇଡି ମୋବାଇଲ୍ ଭ୍ୟାନ୍ ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି। ସେହିଭଳି ରଥଯାତ୍ରାରେ ବର୍ଷା ସମ୍ଭାବନା ଥିବାରୁ ପାର୍କିଂ ସ୍ଥାନଗୁଡ଼ିକରେ ପାଣି ନଜମିବା ପାଇଁ ଡି-ୱାଟରିଂ ପମ୍ପ ଲଗାଯାଇଛି।  କୌଣସି ଆକସ୍ମିକ ଦୁର୍ଘଟଣା ବା ଅଘଟଣ ହେଲେ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ୨୬ଟି ସୁରକ୍ଷିତ ସ୍ଥାନ ପ୍ରସ୍ତୁତ କରାଯାଇଛି । 

ଆସନ୍ତାକାଲି ଆଜ୍ଞାମାଳ ବିଜେ ପରି ତିନିରଥ ସିଂହଦ୍ବାର ସମ୍ମୁଖକୁ ଅଣାଯିବ। ଏବେ କେବଳ ଅପେକ୍ଷା ସେହି ପବିତ୍ର କ୍ଷଣକୁ । ଯେତେବେଳେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଉଠିବ ଶ୍ରୀକ୍ଷେତ୍ର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।