Terror in Raighar: ରାଇଘରରେ ଆତଙ୍କ: ଶିଶୁକନ୍ୟାକୁ ଝାମ୍ପିନେଲା ବାଘ
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ଯୋଡ଼ିଙ୍ଗା ପଞ୍ଚାୟତର ଚଡ଼ିଆପାରା ଗ୍ରାମରେ କଲରାପତରିଆ ବାଘ ଦୁଇ ବର୍ଷର ଶିଶୁ କନ୍ୟାକୁ ଅଗଣାରୁ ଝାମ୍ପି ନେଇଛି।
ଏହା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ସନ୍ଧ୍ୟା ୭ଟାରେ ଏହି ଅଭାବନୀୟ ଘଟଣା ଘଟିଛି।
Advertisment ସୂଚନା ଅନୁଯାୟୀ, ଚଡ଼ିଆପାରା ଗ୍ରାମର ବିଷ୍ଣୁ ଗଣ୍ଡ ଏବଂ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦ୍ୱିତୀୟ ସନ୍ତାନ ତଥା ଦୁଇ ବର୍ଷର ଝିଅ ବେଦିକା ସନ୍ଧ୍ୟାରେ ଘର ଅଗଣାରେ ଥିଲା।
ମାଆ ସୁମିତ୍ରା ଘର ଭିତରେ ଖାଇବାକୁ ବସିଥିବା ବେଳେ ଜଙ୍ଗଲରୁ ଆସିଥିବା କଲରାପତରିଆ ବାଘ ଶିଶୁ କନ୍ୟା ବେଦିକାକୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ପଳାଇଥିଲା।
ଅଗଣାର କିଛି ସ୍ଥାନରେ ରକ୍ତର ଛିଟା ପଡ଼ିଥିବା ବେଳେ ବାଉଁଶ ବୁଦା ନିକଟରେ ବାଘ ଥିବା ନେଇ ପରିବାର ଲୋକ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେ।
କୁନ୍ଦେଇ ବନ କର୍ମଚାରୀ ଏବଂ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁକନ୍ୟାର କୌଣସି ଖୋଜଖବର ମିଳିପାରିନି।
ପ୍ରକାଶଥାଉକି, ବିଷ୍ଣୁଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ସଂରକ୍ଷିତ ଜଙ୍ଗଲ।
ଜଙ୍ଗଲ ଛତିଶଗଡ଼ ସୀମାକୁ ଲାଗିଥିବା ଯୋଗୁଁ କଲରାପତରିଆ ବାଘର ଅବାଧ ଆତଯାତ ଆଶଙ୍କା କରାଯାଉଛି।
ସୋମବାର ଅପରାହ୍ନ ୩ଟାରେ ମାରିପାରା ଗ୍ରାମର କିଛି ଲୋକ ଜଙ୍ଗଲରେ କଲରାପତରିଆ ବାଘ ଦେଖିଥିଲେ।
ମାରିପାରା ଗ୍ରାମକୁ ଲାଗି ରହିଛି ଚଡ଼ିଆପାରା ଗ୍ରାମ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
