Tapaswini Express: ମହଙ୍ଗା ମାଡ଼, ଜଗିରଖି ଘର ଚଳାନ୍ତୁ

Jun 04, 2026 - 08:19
Tapaswini Express: ମହଙ୍ଗା ମାଡ଼, ଜଗିରଖି ଘର ଚଳାନ୍ତୁ

କିଛି ଦିନ ହେଲା ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା ହୋଇଛି। କ୍ଷୀର ଦର ଠାରୁ ଆରମ୍ଭ କରି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲଗାତାର ବଢ଼ୁଛି। ବର୍ଦ୍ଧିତ ଆମଦାନୀ ଶୁଳ୍କ, ସୁନା ଓ ରୁପାର ମୂଲ୍ୟ ବଢ଼ାଇ ଦେଇଛି। ରୋଷେଇ ଘରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ ସବୁଠି ଦରବୃଦ୍ଧି ସମସ୍ୟା ଦେଖାଦେଇଛି। ତେବେ ଏହାକୁ ତାଳ ଦେଇ ଦରମା ବଢ଼ୁନାହିଁ। ତା’ରି ଭିତରେ ପ୍ରତ୍ୟେକ ପରିବାର ଟିକେ କଷ୍ଟରେ ଘରୋଇ ଖର୍ଚ୍ଚ ପରିଚାଳନା କରୁଛନ୍ତି। ତେବେ ଏଭଳି ସମୟରେ ଉଦ୍ଦେଶ୍ୟମୂଳକ ଭାବେ କଟକଣା ଭିତରେ ନୁହେଁ, ଚିନ୍ତାଶୀଳ ହୋଇ ଟଙ୍କା ଖର୍ଚ୍ଚ କରିବା ଜରୁରି ହୋଇ ପଡ଼ିଛି।

Kung-fu master: କୁଙ୍ଗ୍‌-ଫୁ ମାଷ୍ଟର୍‌ଙ୍କ ଲୌହ ପାପୁଲି


ଖାଦ୍ୟ ଅର୍ଡର୍‌ କମାନ୍ତୁ: ଆଜିକାଲି ସମ‌େସ୍ତ ବ୍ୟସ୍ତ। ତା’ରି ଭିତରେ ରୋଷେଇ ପାଇଁ ଅନେକ ପରିବାର ସମୟ ଅଭାବରୁ ଖାଦ୍ୟ ଅର୍ଡର୍‌ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ବ୍ୟସ୍ତତାର ଆଳ କରି ଏହାକୁ ଅଭ୍ୟାସରେ ପରିଣତ କରିଦେଲେ ଆପଣଙ୍କ ମାସିକ ସଞ୍ଚୟ ଉପରେ ପ୍ରଭାବ ପକାଇଥାଏ। ଆମକୁ ମନେ ରଖିବାକୁ ହେବ ଯେ, ଘରର ଖାଦ୍ୟ ସ୍ୱାସ୍ଥ୍ୟକର ଓ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଭଲ। ତେଣୁ ଏ ସମୟରେ ଯେତେ ସମ୍ଭବ ଖାଦ୍ୟ ମଗାଇ ଖାଇବା ଠାରୁ ଦୂରେଇଲେ ଭଲ। ତେଜରାତି ସାମଗ୍ରୀ: ବେଳେବେଳେ ଆମେ ଛୋଟ ଛୋଟ ତେଜରାତି ସାମଗ୍ରୀ ଦୋକାନରୁ ଆଣିବା ଭୁଲିଯାଉ ଆଉ ସେଗୁଡ଼ିକ ଅର୍ଡର୍‌ କରି ପକାଉ। ଏସବୁ ଖର୍ଚ୍ଚ ଗୁରୁତ୍ବହୀନ ମନେ ହୋଇପାରେ। ହେଲେ ପରିବାରର ମାସିକ ବଜେଟ୍‌ ଉପରେ ଭଲ ରକମର ପ୍ରଭାବ ପକାଏ। ତେଣୁ ଯଥାସମ୍ଭବ ଡୋର୍‌ଷ୍ଟେପ୍ ଡେଲିଭରି କମାନ୍ତୁ।

Fire: ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଜୀବନ ବିକଳରେ ଚିତ୍କାର କରୁଥିଲେ ରୋଗୀ, ସଂପର୍କୀୟ


ମଉକା ଦେଖି ନୂଆ ପୋଷାକ: ପୂର୍ବ ଅପେକ୍ଷା ଏବେ ପ୍ରାୟ ସମସ୍ତଙ୍କ ପୋଷାକପତ୍ରର ସଂଖ୍ୟା ବଢ଼ିଛି। ଅଫିସ୍‌ ବା ଘରେ ସମସ୍ତେ ପ୍ରାୟ ସବୁ ଅବସରରେ ନୂଆ ପୋଷାକ କିଣିବା ଉପରେ ଗୁରୁତ୍ବ ଦେଉଛନ୍ତି। ତେବେ ମନେ ରଖିବାକୁ ହେବ ଯେ, ନିୟମିତ ଏଭଳି ପୋଷାକ କିଣିବା ଏକ ମହଙ୍ଗା ଅଭ୍ୟାସ ହୋଇପାରେ। ଆମେ ଚାହିଲେ ଏହି ଅଭ୍ୟାସ ବଦଳାଇ ପାରିବା।
ବ୍ରାଣ୍ଡ୍‌ର ମୋହ: ଆଜିକାଲି ବିଭିନ୍ନ ଡିଜାଇନର୍ ଘଣ୍ଟା, ପ୍ରିମିୟମ୍ ହ୍ୟାଣ୍ଡବ୍ୟାଗ୍ ଓ ମହଙ୍ଗା ବ୍ରାଣ୍ଡ୍‌ର ଆହୁରି ଅନେକ ସାମଗ୍ରୀ ପ୍ରତି ସମସ୍ତଙ୍କ ଆକର୍ଷଣ ବଢୁଛି। ପ୍ରତିଦିନ ନୂଆ ନୂଆ ବିଳାସପୂର୍ଣ୍ଣ ଉତ୍ପାଦ ବଜାରକୁ ଆସୁଛି। ମହଙ୍ଗା ସମୟରେ ଯେତେ ସମ୍ଭବ ଏହି ମୋହକୁ ଏଡ଼ାଇବା ବୁଦ୍ଧିମାନର କାର୍ଯ୍ୟ ହେବ।
ମହଙ୍ଗା ଛୁଟି: ଏବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଛୁଟି ଉପଭୋଗ କରିବା ମହଙ୍ଗା ହୋଇପଡ଼ିଛି। ଛୁଟି କାଟିବା ପାଇଁ ବିମାନରେ ବୁଲିବା, ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିବା ଆଦି ସାଧାରଣ କଥା ପାଲଟିଛି। ଏହି ସମୟରେ ସେଥିରୁ ବିରତ ରହିଲେ ଭଲ। ଆମ ରାଜ୍ୟ ଭିତରେ ବି ଅନେକ ଜାଗା ଅଛି, ଯେଉଁଠାରେ ଆପଣ ଆରାମଦାୟକ ଛୁଟିଦିନ କାଟିପାରିବେ। ଉତ୍ସବ ଆଣେ ବଡ଼ ବିଲ୍: ଜନ୍ମଦିନ, ବିବାହ ବାର୍ଷିକୀ ତଥା ଅନ୍ୟ ପାରିବାରିକ ସମାବେଶ ଏବେ ଖୁବ୍‌ ମହଙ୍ଗା ହେଲାଣି। ସାଜସଜ୍ଜା, ଖାଦ୍ୟପେୟ ଓ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତିରେ ଅନେକ ଖର୍ଚ୍ଚ ହେଉଛି। ଏହି ସମୟରେ ସେହି ବାବଦରେ ଜଗି ରଖି ଖର୍ଚ୍ଚ କରନ୍ତୁ।

ଜୀବନଶୈଳୀର ମୁଦ୍ରାସ୍ଫୀତି: ବର୍ତ୍ତମାନର ବଡ଼ଖର୍ଚ୍ଚ ହେଉଛି, ଆମ ଜୀବନଶୈଳୀ। କାରଣ ସବୁବେଳେ ଆରାମକୁ ଆମେ ଆବଶ୍ୟକତା ଭାବି ନେଉଛୁ। ତେବେ ବାରମ୍ବାର ସପିଂ ଓ ଅନ୍ୟ ଖର୍ଚ୍ଚଗୁଡ଼ିକ କାଣ୍ଟଛାଣ୍ଟ କରିବାକୁ ଚେଷ୍ଟା କରନ୍ତୁ। ବର୍ତ୍ତମାନର ମୂଲ୍ୟବୃଦ୍ଧି ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାର ପାଇଁ ସତର୍କ ଘଣ୍ଟି ଭଳି। ଆମକୁ ମନେ ରଖିବାକୁ ହେବ ଯେ, ଅଧିକ ରୋଜଗାର ଆର୍ଥିକ ଶାନ୍ତି ଦେଇ ନଥାଏ,  ବରଂ ଅର୍ଥର ଯଥାର୍ଥ ବ୍ୟବହାର ଜରୁରି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।