Supreme Court's Big Remark: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ମନା: ସୁପ୍ରିମକୋର୍ଟ

Jul 27, 2026 - 12:40
Supreme Court's Big Remark: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ମନା: ସୁପ୍ରିମକୋର୍ଟ

ସମସ୍ତଙ୍କର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ଅଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଦେଶରେ ନିଟ୍ ପେପର ଲିକ୍‌କୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବର୍ତ୍ତମାନ ତାହା ଥମିଯାଇଛି। କିନ୍ତୁ ସିଜେପି ଓ ବିଭିନ୍ନ ଛାତ୍ର ସଂଗଠନ ଦ୍ୱାରା ଜନ୍ତରମନ୍ତରରେ କରାଯାଉଥିବା ଆନ୍ଦୋଳନ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଚାରିଆଡେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ଛାତ୍ରମାନଙ୍କ ଉପରେ କାହିଁକି ଲାଠିଚାର୍ଜ କରାଗଲା ବୋଲି ପ୍ରଶ୍ନ କରିଥିଲେ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ କରିବା ସମ୍ବିଧାନ ପ୍ରଦତ୍ତ ଅଧିକାର। କେବଳ ଆନ୍ଦୋଳନ ହେଉଛି ବୋଲି ଲାଠିଚାର୍ଜକୁ ଯଥାର୍ଥ କୁହାଯାଇପାରିବ ନାହିଁ। 

ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଅତ୍ୟଧିକ ବଳପ୍ରୟୋଗ କରିଥିବା ସୁପ୍ରିମକୋର୍ଟରେ ଆବେଦନକାରୀମାନେ ଅଭିଯୋଗ କରିଥିଲେ।

ଶୁଣାଣି ବେଳେ ସିଜେଆଇ କହିଛନ୍ତି, ଯଦି କୌଣସି ପ୍ରତିବାଦ ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଭାବେ ହେଉଛି, ତେବେ କେବଳ ଆନ୍ଦୋଳନ ଚାଲିଛି ବୋଲି ପୋଲିସ ଲାଠିଚାର୍ଜ କରିପାରିବ ନାହିଁ। ଯଦି କେଉଁଠି ପୋଲିସ ପକ୍ଷରୁ ମାତ୍ରାଧିକ ବଳପ୍ରୟୋଗ ହୋଇଥାଏ, ତାହାର ସ୍ୱାଧୀନ ଭାବେ ତଦନ୍ତ ହେବା ଆବଶ୍ୟକ। ଏହା କେବଳ ଦିଲ୍ଲୀର ପ୍ରସଙ୍ଗ ନୁହେଁ, ବରଂ ସାରା ଦେଶରେ ପ୍ରଦର୍ଶନ ପରିଚାଳନା ପାଇଁ ସମାନ ପୋଲିସ ପ୍ରୋଟୋକଲ ରହିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ ଯେ, ପୋଲିସ କର୍ମଚାରୀ ହୁଅନ୍ତୁ କିମ୍ବା ପ୍ରଦର୍ଶନକାରୀ, ଯେକୌଣସି ବ୍ୟକ୍ତି ଆହତ ହେବା ସମାନ ଚିନ୍ତାର ବିଷୟ। ପ୍ରଦର୍ଶନ ପରିଚାଳନା ପାଇଁ ପୋଲିସଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଏବଂ ହେଲମେଟ ଇତ୍ୟାଦି କାହିଁକି ଦିଆଯାଇନଥିଲା, ସେନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇପାରେ ବୋଲି ସେ ମତ ଦେଇଥିଲେ।

ସୁପ୍ରିମକୋର୍ଟ ଏହି ସମସ୍ତ ଆବେଦନକୁ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସର ବଳପ୍ରୟୋଗ, ପ୍ରଦର୍ଶନକାରୀଙ୍କ ଅଭିଯୋଗ ଏବଂ ପୋଲିସର ପକ୍ଷ ସମେତ ସମସ୍ତ ଦିଗକୁ ବିଚାର କରାଯିବ ବୋଲି କୋର୍ଟ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।