Supreme Court Seeks Reply: ରାସନ ଦୋକାନରେ ମିଳିବ କି ସାନିଟାରୀ ପ୍ୟାଡ୍? କୋର୍ଟରେ ଉଠିଲା ବଡ଼ ଦାବି
ଏଣିକି ସରକାରୀ ରାସନ ଦୋକାନ ମାଧ୍ୟମରେ ମହିଳାମାନଙ୍କୁ ମିଳିବ କି ସାନିଟାରୀ ପ୍ୟାଡ୍? ଏଭଳି ଏକ ଜନହିତ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜବାବ ମାଗିଛନ୍ତି।
ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଦାଖଲ ହୋଇଛି। ସରୋଜ ବାଲା, ଜ୍ୟୋତି ଅଗ୍ରୱାଲ ଓ ଅନ୍ୟ ସହଯୋଗୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ଆବେଦନରେ ଦର୍ଶାଯାଇଛି ଯେ, ଗରିବ ଏବଂ ଗ୍ରାମାଞ୍ଚଳର ଝିଅ ଓ ମହିଳାମାନଙ୍କ ପାଇଁ ପ୍ରତି ମାସରେ ସାନିଟାରୀ ପ୍ୟାଡ୍ କିଣିବା ଏକ ଆର୍ଥିକ ବୋଝ ହୋଇଥାଏ। ଉପଯୁକ୍ତ ସ୍ୱାସ୍ଥ୍ୟ ସଚେତନତା ଓ ସାନିଟାରୀ ସାମଗ୍ରୀର ଅଭାବରୁ ସେମାନେ ବିଭିନ୍ନ ସଂକ୍ରମଣ ଓ ଗୁରୁତର ରୋଗର ଶିକାର ହେଉଛନ୍ତି।
ଯଦିଓ ସରକାରୀ ଜନ ଔଷଧି କେନ୍ଦ୍ରରେ ମାତ୍ର ୧ ଟଙ୍କାରେ ସାନିଟାରୀ ପ୍ୟାଡ୍ ଉପଲବ୍ଧ ହେଉଛି, କିନ୍ତୁ ସାରା ଦେଶରେ ଏଭଳି କେନ୍ଦ୍ର ସଂଖ୍ୟା ମାତ୍ର ପ୍ରାୟ ୧୯,୨୯୪ ରହିଛି। ଅପରପକ୍ଷେ, ଦେଶରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସରକାରୀ ପେଡ୍-ରେଟ୍ (ଫେୟାର୍ ପ୍ରାଇସ୍) ବା ରାସନ ଦୋକାନ ସକ୍ରିୟ ରହିଛି। ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ଏହି ବିଶାଳ ନେଟୱର୍କକୁ ବ୍ୟବହାର କରି ମାଗଣାରେ କିମ୍ବା ଏକ ନିର୍ଦ୍ଦିଷ୍ଟ କୋଟା ମାଧ୍ୟମରେ ମହିଳାମାନଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଗଲେ, ଏହା ସହଜରେ ସମସ୍ତଙ୍କ ପାଖରେ ପହଞ୍ଚିପାରିବ।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ମୌଳିକ ଅଧିକାରର ମାନ୍ୟତା ଦେଇ ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ବାୟୋ-ଡିଗ୍ରେଡେବଲ୍ ସାନିଟାରୀ ନାପକିନ ଯୋଗାଇବା ସହ ସ୍କୁଲରେ ପୃଥକ ଶୌଚାଳୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ସୁବିଧାକୁ ସାଧାରଣ ଗରିବ ଶ୍ରେଣୀର ମହିଳାଙ୍କ ପାଖରେ ପହଞ୍ଚାଇବା ପାଇଁ ରାସନ ବ୍ୟବସ୍ଥାର ବ୍ୟବହାର ଉପରେ କୋର୍ଟ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଢ଼ିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।