Supreme Court Judge: ସୁପ୍ରିମ୍କୋର୍ଟ ବିଚାରପତି ଭାବି ଅୱେସିଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ପୁଲିସ
ସାହାରନପୁର: ଉତ୍ତରପ୍ରଦେଶର ସାହାରଣପୁରରେ ପୁଲିସର ଏକ ବଡ଼ ଭୁଲ୍ ସାମ୍ନାକୁ ଆସିଛି।
ସୁପ୍ରିମ୍କୋର୍ଟର ଜଣେ ବିଚାରପତିଙ୍କୁ ଗାର୍ଡ ଅଫ୍ ଅନର୍ ଦେବା ପାଇଁ ପ୍ରସ୍ତୁତ ଥିବା ପୁଲିସ କର୍ମଚାରୀ ଭୁଲ୍ରେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ୍ ଅୱେସିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଶନିବାର ସକାଳ ପ୍ରାୟ ୧୧ଟା ୩୦ ମିନିଟ୍ରେ ସାହାରଣପୁର ସର୍କିଟ୍ ହାଉସ୍ରେ ଏହି ଘଟଣା ଘଟିଛି।
ଏହାକୁ ପୁଲିସ ବିଭାଗର ଗୁରୁତର ପ୍ରୋଟୋକଲ୍ ତ୍ରୁଟି ବୋଲି ବିବେଚନା କରାଯାଉଛି।
Advertisment Farmers: ଚାଷୀଙ୍କ ନିକଟରେ ନାହିଁ ଖଳା, ଜମିରେ ପଡିଛି ଶହ ଶହ କ୍ବିଣ୍ଟାଲ ଧାନ ସୂଚନା ଅନୁସାରେ, ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ମନମୋହନ ସିଂହ ସର୍କିଟ୍ ହାଉସ୍କୁ ଆସିବାର କାର୍ଯ୍ୟକ୍ରମ ଥିଲା।
ତାଙ୍କୁ ସ୍ୱାଗତ କରିବା ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଦଳ ସକାଳୁ ସେଠାରେ ମୁତୟନ ହୋଇଥିଲେ।
ଏହି ସମୟରେ ଅୱେସି ନିଜ ଗାଡ଼ିମାଳା ସହ ସେଠାରେ ପହଞ୍ଚିଥିଲେ।
ତାଙ୍କ ସହ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ଓ ଅନ୍ୟ ଗାଡ଼ି ଥିବାରୁ ପୁଲିସ କର୍ମଚାରୀ ତାଙ୍କୁ ବିଚାରପତି ବୋଲି ଭାବି ନେଇଥିଲେ।
ଫଳରେ ନିର୍ଦ୍ଧାରିତ ବିଚାରପତିଙ୍କ ବଦଳରେ ଅୱେସିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।
ପୁଲିସ କର୍ମଚାରୀମାନେ ଔପଚାରିକ ସଲାମି ଦେବା ସମୟରେ ଅୱେସି ମଧ୍ୟ ଛିଡ଼ା ହୋଇ ତାହା ଗ୍ରହଣ କରିଥିଲେ।
ପରେ ନିଜ ଭୁଲ୍ ଜାଣିବା ପରେ ପୁଲିସ ଅଧିକାରୀମାନେ ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ।
ସାହାରଣପୁରର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍ଏସ୍ପି) ଘଟଣାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସହରାଞ୍ଚଳ ଏସ୍ପି ବ୍ୟୋମ ବିନ୍ଦଲ ମଧ୍ୟ ଏହାକୁ ପ୍ରୋଟୋକଲ୍ରେ ତ୍ରୁଟି ବୋଲି ସ୍ୱୀକାର କରି ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି।
ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ଓ ପ୍ରମାଣ ଆଧାରରେ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
Horoscope 2026 November 23: ଜାଣନ୍ତୁ ଆଜିର ରାଶିଫଳ ଅନ୍ୟପକ୍ଷରେ, ଅୱେସି ସାହାରଣପୁର ଗସ୍ତରେ ଆଜାଦ ସମାଜ ପାର୍ଟି (କାଂଶୀରାମ) ମୁଖ୍ୟ ତଥା ନାଗିନାର ସାଂସଦ ଚନ୍ଦ୍ରଶେଖର ଆଜାଦଙ୍କୁ ଭେଟିବା ସହ ତାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଉଭୟ ନେତା ଆଗାମୀ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖିରେ ରଖି 'ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା' ନାମରେ ଏକ ମିଳିତ ରାଜନୈତିକ ମଞ୍ଚ ଗଠନ କରିଛନ୍ତି।
ଏହି ମେଣ୍ଟରେ ଚନ୍ଦ୍ରଶେଖର ଆଜାଦଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଅୱେସି ସମାଜବାଦୀ ପାର୍ଟିର ନିର୍ବାଚନୀ ରଣନୀତିକୁ ସମାଲୋଚନା କରିବା ସହ ଛୋଟ ଦଳଗୁଡ଼ିକର ନିର୍ବାଚନରେ ଭାଗ ନେବାକୁ ନେଇ ହେଉଥିବା ଆପତ୍ତିର ଜବାବ ଦେଇଥିଲେ।
ସର୍କିଟ୍ ହାଉସ୍ରେ ଗାର୍ଡ ଅଫ୍ ଅନର୍ ପ୍ରଦାନର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସର ପରିଚୟ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
