Sugar: ୩୦ ଦିନରୁ ଅଧିକ ସମୟ ଚିନି ରଖିପାରିବେନି ବ୍ୟବସାୟୀ

Jul 28, 2026 - 20:15
Sugar: ୩୦ ଦିନରୁ ଅଧିକ ସମୟ ଚିନି ରଖିପାରିବେନି ବ୍ୟବସାୟୀ

"ନୂଆଦିଲ୍ଲୀ: ଚିନି ଦରରେ ହଠାତ୍‌ ଦେଖାଦେଇଥିବା ବୃଦ୍ଧିକୁ ରୋକିବା ଓ ବଜାରରେ ଉପଲବ୍ଧତା ବଢ଼ାଇବା ଲକ୍ଷ୍ୟ ନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଷ୍ଟକ୍‌ ସୀମା ଧାର୍ଯ୍ୟ କରାଯାଇଛି।

କୌଣସି ଡିଲର୍‌ ଚିନି ମଗାଇବା ପରେ ତାହାକୁ ୩୦ ଦିନରୁ ଅଧିକ ସମୟ ନିଜ ପାଖରେ ରଖିପାରିବେ ନାହିଁ।

ଯେକୌଣସି ସମୟରେ ତାଙ୍କ ପାଖରେ ୪୦୦୦ କ୍ବିଣ୍ଟାଲ୍‌ରୁ ଅଧିକ ଚିନି ରହିପାରିବ ନାହିଁ।

Advertisment ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ୧୯୫୫ ଓ ଚିନି (ନିୟନ୍ତ୍ରଣ) ଆଦେଶ, ୨୦୨୫ ଅନୁସାରେ ଏହି କଟକଣା ଲଗାଯାଇଛି।

କିଛି ଟ୍ରେଡର୍‌ ଚିନିକୁ ବେଆଇନ ଭା‌ବେ ମହଜୁଦ ରଖିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢ଼ାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ସରକାର ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରିଛନ୍ତି।

ଚିନ କାରବାର ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାରଙ୍କୁ ନିଜ ପାଖରେ ମହଜୁଦ ଥିବା ଚିନି ସମ୍ପର୍କରେ ପ୍ରତି ସପ୍ତାହରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାର ଏଭଳି କିଛି ମାମଲା ବିଷୟରେ ଜାଣିବାକୁ ପାଇଛନ୍ତି ଯେଉଁଠାରେ ପ୍ରତ୍ୟକ୍ଷ ଭାବେ ଚିନି ନ ପଠାଇ କେବଳ କାଗଜପତ୍ରରେ ତାହାର ଦରବୃଦ୍ଧି କରାଯାଉଛି।

ଦେଶରେ ଚିନିର କୌଣସି ଅଭାବ ନାହିଁ ଓ ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ରହିଛି ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଜଳବାୟୁରେ ଏଲ୍‌ନିନୋ ପ୍ରଭାବ ଥିବାରୁ ଆଖୁ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ଦେଖାଦେବା ପରେ କିଛି ମାସ ତଳେ ସରକାର ଚିନିର ରପ୍ତାନି ଉପରେ ସେପ୍ଟେମ୍ବର ୩୦ ପର୍ଯନ୍ତ କଟକଣା ଲଗାଇଥିଲେ।

Sugar: ଚିନି ଉତ୍ପାଦନ ୧୮% ହ୍ରାସ: ଚାହିଦା ବଢ଼ୁଛି, ଯୋଗାଣ କମୁଛି ଏହାସତ୍ତ୍ବେ ସେପ୍ଟେମ୍ବରରେ ଶେଷ ହେଉଥିବା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ଟନ୍‌ ଚିନି ରପ୍ତାନି କରିବାକୁ ଅନୁମତି ଦିଆଯାଇଥିଲା।

ଚଳିତ ମାସ ୧୭ ତାରିଖରେ ଶିଳ୍ପର ଦୁଇଟି ସଂଘ ଆଇଏସ୍‌ଏମ୍‌ଏ ଓ ଏନ୍‌ଏଫ୍‌ସିଏସ୍‌ଏଫ୍‌ ତରଫରୁ ଅଧିକ ଦରରେ ଚିନି ନ କିଣିବାକୁ ସଂସ୍ଥାଗତ କ୍ରେତା, ପାଇକାରୀ ଓ ଖୁଚୁରା ବିକ୍ରେତାମାନଙ୍କୁ ଆହ୍ବାନ ଦିଆଯାଇଥିଲା।

ସେମାନେ କହିଥିଲେ ଯେ ବର୍ତ୍ତମାନ ସମୟରେ ଚିନି ଦରରେ ହୋଇଥିବା ବୃଦ୍ଧିର ବଡ଼ କାରଣ ହେଉଛି ଟ୍ରେଡରମାନେ ତାହାକୁ ମହଜୁଦ ରଖି ଜାଣିଶୁଣି ଦର ବଢ଼ାଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।