Subhadra Shakti Vision: ‘ସୁଭଦ୍ରା ଶକ୍ତି ଭିଜନ୍‌’ ସମ୍ମିଳନୀ: ୨.୮୮ଲକ୍ଷ ଏସ୍‌ଏଚ୍‌ଜିଙ୍କୁ ୧୪୭ କୋଟି ଟଙ୍କା ସୁଧ ଫେରସ୍ତ

Jun 25, 2026 - 07:03
Subhadra Shakti Vision: ‘ସୁଭଦ୍ରା ଶକ୍ତି ଭିଜନ୍‌’ ସମ୍ମିଳନୀ: ୨.୮୮ଲକ୍ଷ ଏସ୍‌ଏଚ୍‌ଜିଙ୍କୁ ୧୪୭ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱର: ଆଜି ସ୍ଥାନୀୟ ମିସନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ୍‌ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୩୦ ଜଣ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨,୮୮,୧୯୮ଟି ଏସ୍‌ଏଚ୍‌ଜିଙ୍କୁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ କରିଛନ୍ତି। ୨୬ଟି ଜିଲ୍ଲାର ୨୩,୫୩୬ଟି ଏସ୍‌ଏଚ୍‌ଜିଙ୍କୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧାର ମା’ ମଙ୍ଗଳା ଓ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯଥାକ୍ରମେ ୩୦ ହଜାର ଟଙ୍କାର ଚେକ୍ ମନ୍ତ୍ରୀଙ୍କଠାରୁ ଗ୍ରହଣ କରିଛନ୍ତି।

TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା

୨୪୪ କୋଟିରୁ ଅଧିକ ଟଙ୍କାର ଆବର୍ତ୍ତନ, ଗୋଷ୍ଠୀ ବିନିଯୋଗ ଓ ନିରାପତ୍ତା ପାଣ୍ଠି ପ୍ରଦାନ
‘ସୁଭଦ୍ରା ଶକ୍ତି ଭିଜନ୍‌’ ସମ୍ମିଳନୀ

ଗ୍ରାମାଞ୍ଚଳର ମହିଳାଙ୍କୁ ସଂଗଠିତ କରିବା ପାଇଁ ୨୭ଟି ଜିଲ୍ଲାର ୬୨୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୮୯.୫୭ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ପ୍ରଦାନ କରାଯାଇଛି। ଏଥିରେ ପୁରୀର ଅଭୟମୁଖୀ ଓ ଗୁଆଳିପଡ଼ା ସଂଘର ମହିଳାମାନେ ଯଥାକ୍ରମେ ୩୫ ଲକ୍ଷ ଟଙ୍କାର ଚେକ୍ ସିଧାସଳଖ ଭାବରେ ପାଇଛନ୍ତି। ଏହା ବ୍ୟତୀତ, ୧୫ଟି ଜିଲ୍ଲାର ୬୫୬ଟି ଆଞ୍ଚଳିକ ମହାସଂଘକୁ ୯.୬୪ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ମଧ୍ୟ ପ୍ରଦାନ କରାଯାଇଛି। ଯେଉଁଥିରେ ଯାଜପୁରର ରାମପୁର ଓ ଜହ୍ନା ଆଞ୍ଚଳିକ ମଞ୍ଚର ମହିଳାମାନେ ଯଥାକ୍ରମେ ୧.୫୦ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ରାଜ୍ୟ ସରକାର ନିର୍ଦ୍ଧାରିତ ସମୟର ୧ ବର୍ଷ ପୂର୍ବରୁ ହିଁ ୨୫ ଲକ୍ଷର ମାଇଲଖୁଣ୍ଟ ଅତିକ୍ରମ କରି ବର୍ତ୍ତମାନ ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ୨୬,୩୯,୯୦୯ରେ ପହଞ୍ଚାଇ ପାରିଛନ୍ତି। ଏହି ସମ୍ମିଳନୀରେ ଓଡ଼ିଶା ଭିଜନ୍‌-୨୦୩୬ରେ ମହିଳାଙ୍କ ଭୂମିକା, ଲକ୍ଷପତି ଦିଦି, ମହାଲକ୍ଷପତି ଦିଦି ଓ କୋଟିପତି ଦିଦି ସୃଷ୍ଟି, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ, ପ୍ରଡ୍ୟୁସର ଗ୍ରୁପ୍ ଓ ପ୍ରଡ୍ୟୁସର କମ୍ପାନିର ପ୍ରୋତ୍ସାହନ, ବଜାର ସଂଯୋଗ, ଆର୍ଥିକ ସହାୟତା ଓ ବିଭିନ୍ନ ଜିଲ୍ଲାର ସଫଳ ଉଦ୍ୟୋଗର ଅନୁଭୂତି ବିନିମୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ଜିଲ୍ଲାର ଡିଏଲ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମିସନ ଶକ୍ତି ବିଭାଗର ଶାସନ ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ଏସ୍‌ଏଲ୍‌ବିସି ଓଡ଼ିଶାର ମହାପ୍ରବନ୍ଧକ ପ୍ରଣବ କୁମାର ବିଶ୍ୱାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ