Student Agitation Continues: ଜିଦରୁ ଓହରୁ ନାହାଁନ୍ତି GEN-Z ; ଦ୍ୱିତୀୟ ଥର ନଡ୍ଡାଙ୍କ ସହ ଆଲୋଚନା ପରେ ବି ଫିଟିଲାନି ବାଟ

Jul 24, 2026 - 20:06
Student Agitation Continues: ଜିଦରୁ ଓହରୁ ନାହାଁନ୍ତି GEN-Z ; ଦ୍ୱିତୀୟ ଥର ନଡ୍ଡାଙ୍କ ସହ ଆଲୋଚନା ପରେ ବି ଫିଟିଲାନି ବାଟ

ତେଜିବାରେ ଲାଗିଛି GEN-Zଙ୍କ ଆନ୍ଦୋଳନ। ସଡ଼କରୁ ଆରମ୍ଭ ହୋଇଥିବା ବିକ୍ଷୋଭ ସଂସଦ ଯାଏଁ ପହଞ୍ଚିଲାଣି। ହଲ୍ଲାବୋଲ, ନାରାବାଜିରେ କମ୍ପୁଥିବା ଦିଲ୍ଲୀରେ ଆଜି ଦ୍ବିତୀୟ ଥର ପାଇଁ ବସିଛି ଆଲୋଚନା। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ କଥା ହୋଇଛନ୍ତି କକରୋଚ୍ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳୀ। ହେଲେ ସମାନ ସେଇ ଜିଦ୍ ରେ ଅଟଳ...କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ତା ପରେ ଯାଇ ଯେଉଁ କଥା। ଏହାରି ଭିତରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ GEN Zଙ୍କ ଅନ୍ଦାଜରେ ଦେଇଥିବା ଅପିଲ୍ ଭିଡିଓ ପରେ ଅନଶନରୁ ହଟିଛନ୍ତି ସୋନମ୍ ୱାଙ୍ଗଚୁକ୍। ପିଏମଓରୁ ପ୍ରତିଟି ସ୍ଥିତି ଓ ପରିସ୍ଥିତି ଉପରେ ରହିଛି ନଜର।

ନିଟ୍ ପେପର୍ ଲିକ୍ କୁ ନେଇ ଥମିବାର ନାଁ ନେଉନି ଆନ୍ଦୋଳନ, ଧାରଣା, ବିକ୍ଷୋଭ ପଲିଟିକ୍ସ। ସଡ଼କରୁ ସଂସଦ ଯାଏଁ ହଲ୍ଲାବୋଲା ନାରାରେ ଅଟଳ ବିରୋଧୀ। ଜନ୍ତରମନ୍ତରରୁ ପାର୍ଲାମେଣ୍ଟ...ଦାବି ଗୋଟିଏ, ଜିଦ୍ ଗୋଟିଏ...କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ଆଉ ୟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଅପିଲ୍। ହଠାତ୍ ରାତି ୧୨ଟାରେ ନିଜ ଇନଷ୍ଟାଗ୍ରାମରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ମୋଦି ଦେଇଛନ୍ତି ଆଶ୍ବାସନା। 

ପେପର୍ ଲିକରେ ସଂପୃକ୍ତ ଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। କ୍ୟାବିନେଟରେ କଡ଼ା ପଦକ୍ଷେପ ନିଆଯିବ। ମୋଦିଙ୍କ ଏହି ଅପିଲ୍ ପରେ ଆଜି କକରୋଚ୍ ଜନତା ପାର୍ଟିର ଦୁଇ ଜଣିଆ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂ ସିଜେପିର ମୁଖପାତ୍ର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ସହ ଦ୍ବିତୀୟ ଥର ପାଇଁ କରିଛନ୍ତି କଥାବାର୍ତ୍ତା। ପୂର୍ବ ସର୍ତ୍ତ ମୁତାବକ ଉଭୟ ଦିଲ୍ଲୀ ସ୍ଥିତ ଭିପି ପଟେଲ କନଫରେନସ୍ ହଲରେ ଆଲୋଚନା କରିଥିଲେ। 

ଆଉ ନିଜର ଦାବି...(୧) କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା (୨) ୨୦ ତାରିଖ ବିକ୍ଷୋଭରେ ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଓ ମାମଲା ପ୍ରତ୍ୟାହାର ଏବଂ (୩) ନିଟ୍ ପେପର୍ ଲିକ୍ ପରେ ଜୀବନ ହାରିଥିବା ପିଲାଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ।ଏଇ ତିନି ଦାବି ସରକାର ଶୁଣିଛନ୍ତି, ପରଖିଛନ୍ତି ଏବଂ ଆସନ୍ତାକାଲି ପୁଣି ଥରେ ଆଲୋଚନା କରିବାକୁ ପୁଣି ଡାକିଛନ୍ତି। 

୨୬ ଦିନର ଆମରଣ ଅନଶନ ଭାଙ୍ଗିଛନ୍ତି ବୈଜ୍ଞାନିକ ସୋନମ୍ ୱାଙ୍ଗୁଚୁକ୍। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଖାଦ୍ୟ ଗ୍ରହଣ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନଶନରୁ ଓହରିଛନ୍ତି। ହେଲେ ରାଜନୈତିକ ତାତି କିନ୍ତୁ ଏଯାଏଁ କମିନି। ସଂସଦ ଭିତରେ ଓ ବାହାରେ ବିରୋଧୀ ପୁଣି ସମାନ ଅନ୍ଦାଜରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ଭିତରେ ଲୋକସଭା ଓ ରାଜ୍ୟସଭା ବାରମ୍ବାର ମୁଲତବୀ ଯୋଗୁଁ ଧୋଇ ଯାଇଛି ଗୃହକାର୍ଯ୍ୟ। 

ବଢ଼ିବାରେ ଲାଗିଛି ଛାତ୍ରଛାତ୍ରୀଙ୍କୁ ସମର୍ଥନ। ଆଉ ଏସବୁରେ ବଲିଉଡ୍ ଷ୍ଟାର୍ ସଲମାନ ଖାନଙ୍କ ୟୁଟର୍ଣ୍ଣକୁ ନେଇ ବେଶ୍ ଚର୍ଚ୍ଚା।
ଦୁଇ ଦିତ ତଳେ ସଲମାନ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ପରେ ଗତକାଲି ଆନ୍ଦୋଳନରୁ ଓହରି ଯିବାକୁ ଅପିଲ କରି ଟ୍ରୋଲର ଶିକାର ହୋଇଛନ୍ତି ଭାଇଜାନ୍। 

ସେହିପରି ବଲିଉଡ୍ ର ଏକାଧିକ ଅଭିନେତା, ଅଭିନେତ୍ରୀ ପିଲାଙ୍କୁ ସମର୍ଥନ ଜଣାଇଛନ୍ତି। କମଲ ହସନ୍, କରିନା କପୁର, ଆଲିଆ ଭଟ୍ଟ, ବରୁଣ ଧୱନ ଭଳି ଅନେକ ଷ୍ଟାର୍ ଏବେ ଖୋଲା ସମର୍ଥନ ଦେଇଛନ୍ତି। ଅପରପକ୍ଷେ, ସିଜେପି ଆନ୍ଦୋଳନ, ପେପର ଲିକର ପ୍ରତିଟି ସ୍ଥିତିର ଅନୁଧ୍ୟାନ ସହ ତଦନ୍ତର ଅଗ୍ରଗତି ଉପରେ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ ଅଫିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।