Lord Jagannath's Bahuda Yatra: ଜନ୍ମବେଦୀରେ ସରିଲା ଲୀଳାଖେଳା; ମାଉସୀ ଘରେ ପୋଡ଼ପିଠା ଖାଇ ରତ୍ନବେଦୀ ମୁହାଁ ଶ୍ରୀଜିଉ
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଶ୍ରୀମନ୍ଦିର ଅଭିମୁଖେ ୩ ରଥ। ଗଡୁଛି ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ବଡ଼ଭାଇ, ଭଉଣୀଙ୍କ ପଛେ ପଛେ କାଳିଆ ସାଆନ୍ତେ । ଭକ୍ତିମୟ ପରିବେଶରେ ୩ ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର ।
ସଅଳ ନୀତିକାନ୍ତି ଓ ଶୃଙ୍ଖଳିତ ରଥଟଣା ସହିତ ସିଂହଦ୍ବାର ଅଭିମୁଖେ ଆଗେଇ ଚାଲିଛି ରଥ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ସିଂହଦ୍ବାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛକୁ ରହିଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ। କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ ରଥ ମଧ୍ୟ ସିଂହଦ୍ବାର ଅଭିମୁଖେ। ଦିବ୍ୟଲୀଳା ଦେଖିବାକୁ ଭକ୍ତଭିଡ଼ରେ ଉଚ୍ଛୁଳୁଛି ବଡ଼ଦାଣ୍ଡ।
ଆଖିରେ ଅପେକ୍ଷାର ଚମକ...ଓଠରେ 'ଜୟ ଜଗନ୍ନାଥ' ଧ୍ୱନି...ଆଉ ହୃଦୟରେ ଅବର୍ଣ୍ଣନୀୟ ଆନନ୍ଦ। ଭକ୍ତିର ଢେଉରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଶରଧାବାଲିରୁ ସିଂହଦ୍ବାର...ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼, ଚାରିଆଡ଼େ ଘଣ୍ଟଘଣ୍ଟା, ଶଙ୍ଖ ଧ୍ବନିର କମ୍ପନ। ଏହାରି ବିତରେ ନାକଚଣା ଦ୍ବାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲେ ତିନି ରଥ। ଆଉ ସେପଟେ ଆଡ଼ପ ମଣ୍ଡପରୁ ସଅଳ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ବାହାରି ପଡ଼ିଥିଲେ ଭାବ ବିନୋଦିଆ...ଭକ୍ତ-ଭଗବାନଙ୍କ ଭାବର ଇଏ ସେହି ଅନନ୍ୟ ମିଳନର ଦୃଶ୍ୟ।
ସମୟ ୧୦ଟା ୫୦ ମିନିଟ୍। ଧାର୍ଯ୍ୟ ସମୟର ପ୍ରାୟ ଘଣ୍ଟାଏ ଆଗରୁ ଆରମ୍ଭ ହୋଇଥିଲା ଦିବ୍ୟ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ପଛକୁ ଦେବୀ ସୁଭଦ୍ରା । ଆଉ ସବା ଶେଷରେ ଟାହିଆ ହଲେଇ ହଲିଝୁଲି ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ଆସିଥିଲେ କାଳିଆ ଠାକୁର। ନାକଚଣା ଦ୍ବାର ନିକଟରେ ଟିକେ ଅଝଟ ହୋଇଥିଲେ। ଆଗକୁ ଘୁଞ୍ଚିନଥିଲେ। ମଝିରେ ମଝିରେ ଅଟକୁଥିଲେ, ଭକ୍ତଙ୍କ ଆଡ଼କୁ ବୁଲି ବୁଲି ବାଙ୍କ ଚାହାଣୀରେ ଚାହୁଁଥିଲେ। ଜଗା ମଥାରେ ଅପରୂପ ଟାହିଆ ଦେଖି ବିଭୋର ହୋଇୁପଡ଼ିଥିଲେ ଭକ୍ତ।
ବିଶ୍ୱାସ, ଭକ୍ତି ଓ ଭାବର ମହାମିଳନ ଭିତରେ ନିର୍ଦ୍ଧାରିତ ସମୟ ଆଗରୁ ସରିଥିଲା ବାହୁଡ଼ା ପହଣ୍ଡି। ଅନ୍ୟାନ୍ୟ ରୀତିନୀତି ପରେ ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମରାହାଜା ଦିବ୍ୟସିଂହ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା। ପରେ ଅନ୍ୟ ନୀତିକାନ୍ତି ସହିତ ଆସିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।
ସମୟ ସାଢେ ୪ଟା। ଆରମ୍ଭ ହୋଇଥିଲା ରଥ ଟଣା। ଘର୍ଘର ନାଦରେ ରଥ ଗଡ଼ିବା କ୍ଷଣି ଖେଳିଯାଇଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ।
ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର। ଶ୍ରୀଜିଉଙ୍କ ବାହୁଡ଼ା ଦେଖିବାକୁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ଭକ୍ତଙ୍କ ଭିଡ଼ର ଦରିଆରେ ଗଡ଼ି ଚାଲିଥିଲେ ତିନି ରଥ । ଏସବୁ ଭିତରେ କିଛି ସମୟ ରଥତ୍ରୟ ଅଟକିଥିଲେ ମାଉସୀ ମାଆଙ୍କ ମନ୍ଦିର ଆଗରେ। ସେଠୁ ପୋଡ଼ ପିଠା ଖାଇ ପୁଣି ସିଂହଦ୍ବାର ଅଭିମୁଖେ ବାହାରିଥିଲେ ତିନି ଠାକୁର। ଦୁର୍ଲଭ ଓ ଦିବ୍ୟ ଦୃଶ୍ୟ ଦେଖି କାହାର ହାତ ପ୍ରାର୍ଥନାରେ ଯୋଡ଼ି ହୋଇଥିଲା, ତ ଆଉ କାହାର ଆଖି ଭକ୍ତିର ଅଶ୍ରୁରେ ଭିଜିଯାଇଥିଲା।
ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ମଥାରେ ଟାହିଆ ନଥିବା ନେଇ ସୃଷ୍ଟି ହୋଇଥିଲା ଘୋର ବିବାଦ। ଭକ୍ତ ମହଲରେ ଦେଖିବାକୁ ମିଳିଥିଲା ଅସନ୍ତୋଷ। ହେଲେ ବାହୁଡ଼ାରେ କାଳିଆ ମଥାର ଟାହିଆ ସମସ୍ତଙ୍କୁ ବିମୋହିତ କରୁଥିଲା। ତେବେ ରଥ ଉପରକୁ ଯିବା ପରେ ଟାହିଆକୁ କିଛି ଜଣ ଛିଡ଼ାଇ ବାହାର କରିବା ଦୃଶ୍ୟ ଭକ୍ତ ମନକୁ ଆଘାତ ପହଞ୍ଚାଇଛି। ଅନ୍ୟପଟେ ଆଜି ସଅଳ ପହଣ୍ଡି ହୋଇଥିଲେ ମଧ୍ୟ ରଥରେ କିଛି ଅଣସେବାୟତ ଚଢିଯାଇଥିଲେ। ତେବେ ଠାକୁର ଆସିବା ଆଗରୁ ସେମାନଙ୍କୁ ଚିହ୍ନଟ କରି ରଥ ଉପରୁ ବାହାର କରିଥିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେପଟେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି ।
ରଥଯାତ୍ରାରେ ସାରାଦିନ ଭିଜିଥିଲେ ଭକ୍ତ। ହେଲେ ବାହୁଡ଼ାରେ ପାଗ ଅନୁକୂଳ ସାଙ୍ଗକୁ ହାଲୁକା ଗୁଳୁଗୁଳି ଭିତରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ କରିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଆସନ୍ତାକାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ତା ପରଦିନ ଅଧରପଣା। ସୋମବାର ହେବ ନୀଳାଦ୍ରିବିଜେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।