03 JULY 2026

Welcome!

Unlock your personalized experience.
Sign Up

State's industrial history: ରାଜ୍ୟ ଶିଳ୍ପ ଇତିହାସରେ ନୂଆ ଅଧ୍ୟାୟ: ୧.୧୦ ଲକ୍ଷ କୋଟି ନି‌ବେଶ ରାସ୍ତା ଖୋଲିଲା

Jul 03, 2026 - 01:45
State's industrial history: ରାଜ୍ୟ ଶିଳ୍ପ ଇତିହାସରେ ନୂଆ ଅଧ୍ୟାୟ: ୧.୧୦ ଲକ୍ଷ କୋଟି ନି‌ବେଶ ରାସ୍ତା ଖୋଲିଲା

ଭୁବନେଶ୍ୱର: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କ ପାଇଁ ଓଡ଼ିଶାର ଆକର୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏହି କ୍ରମରେ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଓ ସଂଯୁକ୍ତ ଆରବ ଏମିରେଟ୍‌ସର ଆଇଏଚ୍‌ସି ଗ୍ରୁପ କମ୍ପାନି ମଧ୍ୟରେ ଓଡ଼ିଶାରେ ୧୧.୫ ବିଲିଅନ୍‌ ଡଲାର (ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା) ନିବେଶରେ ଏକ ମେଗା ସମନ୍ବିତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ହେବ। 

Low pressure formed: ସୃଷ୍ଟି ହେଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ ଏବଂ  ସଂଯୁକ୍ତ ଆରବ ଏମିରେଟ୍‌ସର ଇଣ୍ଟରନ୍ୟାସ୍‌ନାଲ ହୋଲ୍‌ଡିଂ କମ୍ପାନି ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଉକ୍ତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ମେଟ୍ରିକ ଟନ୍‌ର ଆଲୁମିନା ରିଫାଇନାରି, ବାର୍ଷିକ ୨ ନିୟୁତ ଟନ୍‌ର ଆଲୁମିନିୟମ୍‌ ସ୍ମେଲ୍‌ଟର, ୧ ମିଲିଅନ୍‌ ମେଟ୍ରିକ୍‌ ଟନ୍‌ର ଡାଉନ୍‌ଷ୍ଟ୍ରିମ୍‌ ପାର୍କ ମ୍ୟାନୁଫାକ୍‌ଚରିଂ ପାର୍କ ସ୍ଥାପନ ହେବ। ଫଳରେ ଏହା ଦେଶର ସର୍ବବୃହତ୍‌ ସମନ୍ବିତ ଆଲୁମିନିୟମ୍‌ ପ୍ରକଳ୍ପରେ ପରିଣତ ହେବ। ଉକ୍ତ ଗ୍ରିନଫିଲ୍‌ଡ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ୬୬ ହଜାର କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୪୪ ହଜାର କୋଟି ଟଙ୍କା ନିବେଶ ହେବ। 

ଆଇଏଚ୍‌ସି ଓ ଆଦାନୀ କରିବେ ମେଗା ଆଲୁମିନିୟମ ପ୍ରକଳ୍ପ
୫୩, ୫୦୦ ନିଯୁକ୍ତି ସୁଯୋଗ ମିଳିବ: ମୁଖ୍ୟମନ୍ତ୍ରୀ

ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ ଓ ସମାବେଶୀ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଉଦ୍ୟମ ସଫଳତାର ସହ ଜାରି ରହିଛି ବୋଲି କହିଥିଲେ। ଓଡ଼ିଶାର ସମ୍ବଳ ଓ ପ୍ରତିଭା ସହ ମଧ୍ୟପ୍ରାଚ୍ୟର ପୁଞ୍ଜି ଏବଂ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟରେ ଏକ ସମୃଦ୍ଧ ସହଭାଗିତା ଗଠନ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଂ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍‌ଷ୍ଟ୍ରିମ୍‌ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ମେଗା ପ୍ରକଳ୍ପ ଦ୍ୱାରା ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଊର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ‌ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରୁ ଖଣିଜ ସମ୍ବଳର କେବଳ ରପ୍ତାନି ନୁହେଁ, ବରଂ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଆମର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Protest: ମଦ ବିକ୍ରି ବିରୋଧରେ ଜାତୀୟ ରାଜପଥରେ ଧାରଣା, ଯାତାୟତ ବନ୍ଦ

ଏହି ଅବସରରେ ଆଇଏଚ୍‌ସିର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର୍ (ସିଏସ୍ଓ) ପିଟର ଆବ୍ରାମ କହିଛନ୍ତି ଯେ ଏହା ଭାରତ ଓ ୟୁଏଇ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚୁକ୍ତି କେବଳ ଏକ ବ୍ୟାବସାୟିକ ନିବେଶ ନୁହେଁ, ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗୀଦାରି ବୋଲି ସେ ପ୍ରକାଶ କରିଥିଲେ। ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ କହିଥିଲେ, ବର୍ତ୍ତମାନର ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟରୁ ରୂପାନ୍ତରିତ ହୋଇ ଏକ ମୂଲ୍ୟ ସଂଯୋଜିତ ଉତ୍ପାଦନ କେନ୍ଦ୍ର ପାଲଟିଛି। ଏହି ଏମ୍ଓୟୁ ଓଡ଼ିଶାର ଜନସାଧାରଣ ଓ ସ୍ଥାନୀୟ ଅର୍ଥନୀତିକୁ ବିଶ୍ୱସ୍ତରକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ୟୁଏଇ ଆଇଏଚ୍‌ସି ଗ୍ରୁପ୍‌ ଏମ୍‌ଡି ଓ ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍‌ଡିଂ (ଆଇଆର୍‌ଏଚ୍‌)ର ସିଇଓ  ଅଲି ଅଲ୍-ରସ୍‌ଦି, ଆଇଏଚ୍‌ସି ଗ୍ରୁପ୍‌ର ନେତୃବୃନ୍ଦ ହେସାମ୍ ଓ ଅବ୍‌ଦୁଲା ଅଲ୍-ରସ୍‌ଦିଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଏବଂ ଇପିକଲ୍‌ର ନିର୍ଦ୍ଦେଶିକା ଅବୋଲି ସୁନୀଲ ନରଭଣେ ଧନ୍ୟବାଦ ଅର୍ପଣ କରିଥିଲେ।