03 JULY 2026

Welcome!

Unlock your personalized experience.
Sign Up

Sports: ‘କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସାମ୍ବାଦିକ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ’

Jul 02, 2026 - 20:52
Sports: ‘କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସାମ୍ବାଦିକ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ବର: ‘ମାନବିକ ଉତ୍କର୍ଷତା ପାଇଁ କ୍ରୀଡ଼ା ଯେତିକି ଜରୁରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ସେତିକି ଗୁରୁତ୍ବପୂର୍ଣ୍ଣ। କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସାମ୍ବାଦିକ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ। ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ।’ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ କେନ୍ଦ୍ର ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭୂପେନ୍ଦ୍ର ସିଂ ପୁନିଆ ଏଭଳି କଥା କହିଛନ୍ତି। 

‘ଓଡ଼ିଶାରେ ଫୁଟ୍‌ବଲ୍‌ର ସ୍ଥିତି’ ସଂପର୍କିତ ଆଲୋଚନାରେ ସାମିଲ ହୋଇ ସମ୍ମାନିତ ଅତିଥି ବିଶିଷ୍ଟ ଫୁଟ୍‌ବଲ୍‌ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା କହିଥିଲେ, ‘କ୍ରୀଡ଼ା ସାମ୍ବାଦିକତାକୁ ଛାଡ଼ି କ୍ରୀଡ଼ାର ଅସ୍ତିତ୍ବ ବିବେଚନା କରାଯାଇ ନପାରେ। ମୋ ଖେଳ ଜୀବନରେ ପ୍ରକାଶିତ ପ୍ରଥମ ରିପୋର୍ଟ ଏବେବି ମୁଁ ସାଇତି ରଖିଛି। ସାମ୍ପ୍ରତିକ ଓଡ଼ିଶା ଫୁଟ୍‌ବଲ୍‌ର ସ୍ଥିତି ବେଶ ଭଲ ରହିଛି। କିନ୍ତୁ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ହେବ।’

ପ୍ରୋତ୍ସାହନ ମିଳୁଛି: ଶ୍ରଦ୍ଧାଞ୍ଜଳି

ସେହିଭଳି ରାଜ୍ୟରେ ମହିଳା ଫୁଟ୍‌ବଲ୍‌ର ବିକାଶକୁ ତ୍ବରାନ୍ବିତ କରିବାରେ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଏବେ ଜାତୀୟ ଦଳରେ ଆମର ୩ଜଣ ଖେଳାଳି ରହିଛନ୍ତି। ଏଭଳି ନିରନ୍ତର ପ୍ରୟାସ ଜାରି ରହିଲେ ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନ୍ୟତମ ସମ୍ମାନିତ ଅତିଥି ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଥିଲେ।

ଆପଣଙ୍କ ପାଇଁ ମୁଁ ଏଠାରେ: ପ୍ୟାରୀ

WhatsApp Image 2026-07-02 at 19.14.57

ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ତାରକା ପ୍ୟାରୀ ଖାଖା କହିଥିଲେ, ‘ସୁନ୍ଦରଗଡ଼ର ଏକ ଉପାନ୍ତ ଗ୍ରାମରୁ ଆସି ଜାତୀୟ ଦଳରୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଯେତିକି ଗୌରବର କଥା, ମୁଁ ଯଦି ଏଠାରେ ଛିଡ଼ା ହୋଇ ପାରିଛି ତାହା ଆପଣମାନଙ୍କ (କ୍ରୀଡ଼ା ସାମ୍ବାଦିକ) ଦ୍ବାରା ସମ୍ଭବ ହୋଇ ପାରିଛି। କ୍ରୀଡ଼ାର ବିକାଶରେ କ୍ରୀଡ଼ା ସାମ୍ବାଦିକତାର ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି।’

ବାର୍ଷିକ ପତ୍ରିକା ଉନ୍ମୋଚିତ

osja

ଓସ୍‌ଜାର ବାର୍ଷିକ ପତ୍ରିକାକୁ ଏହି ଅବସରରେ ଅତିଥିମାନେ ଉନ୍ମୋଚନ କରିଥିଲେ।  ରାଜ୍ୟ ସୂଚନା କମିସନର ତଥା ଓସ୍‌ଜାର ପ୍ରତିଷ୍ଠାତା ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କୁ କ୍ରୀଡ଼ା ସାମ୍ବାଦିକତା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକ ଓ ସମ୍ପାଦକ ତପନ କୁମାର ସ୍ୱାଇଁ ମଞ୍ଚ ମଣ୍ଡନ କରିଥିଲେ। କୋଷାଧ୍ୟକ୍ଷ ସୁରେଶ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

osja2

ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କ ଉପସ୍ଥିତି 
ଅଲିମ୍ପିଆନ୍‌ ଦୂତି ଚାନ୍ଦ, ଅଲିମ୍ପିଆନ ଅନୁରାଧା ବିଶ୍ବାଳ, ପାରା କ୍ରୀଡ଼ାବିତ୍‌ ରାଖାଲ ସେଠୀ, ସୁଚିତ୍ରା ପରିଡ଼ା, ଏଭରେଷ୍ଟ ଆରୋହୀ ଗଣେଶ ଜେନା, ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା, ପାରା ଫେନସର ପୂଜାସ୍ୱିନୀ ନାୟକ ଓ କ୍ରିକେଟ୍‌ ପ୍ରଶିକ୍ଷକ କ୍ଷୀରୋଜ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।