Solar Powered Smart Benches: ଭୁବନେଶ୍ୱର ଜନପଥରେ ଲାଗିଲା ସୋଲାର ବେଞ୍ଚ; ଖରା ହେଉ କି ବର୍ଷା ଆପଣ ଏଠାରେ ବସିପାରିବେ
ଭୁବନେଶ୍ୱର ଜନପଥରେ ଲାଗିଲା ସୋଲାର ବେଞ୍ଚ। ଖରା ହେଉ କି ବର୍ଷା ଆପଣ ଏଠାରେ ବସିପାରିବେ । କେବଳ ଏହା ନୁହଁ ଦରକାର ପଡିଲେ ଆପଣ ନିଜର ଇଲେକଟ୍ରି ଗେଜେଟଗୁଡିକୁ ଚାର୍ଜ ବି କରିପାରିବେ । ପରୀକ୍ଷାମୂଳକ ଭାବେ ୨ଟି ସୋଲାର ବେଞ୍ଚ ପ୍ରତିଷ୍ଠା ହୋଇଛି । ଆଗାମୀ ଦିନରେ ସାର୍ବଜନୀନ ସ୍ଥାନରେ ଆହୁରି ୩୦ଟି ବେଞ୍ଚ ଲଗାଇବାକୁ ଯୋଜନା କରିଛି ବିଏମସି।
ସ୍ମାର୍ଟ ସିଟିର ସ୍ମାର୍ଟ ବେଞ୍ଚ। ଦେଖିବାକୁ ଯେତିକି ଆକର୍ଷଣୀୟ ବସିବାକୁ ମଧ୍ୟ ସେତିକି ଆରାମଦାୟକ। ଖରା ହେଉ ଅବା ହେଉ ବର୍ଷା, ସ୍ମାର୍ଟ ବେଞ୍ଚର ଉପରି ଭାଗରେ ନିର୍ମିତ ସେଡ୍ସ ପାଇଁ ଖୋଲା ଆକାଶ ତଳେ ମଧ୍ୟ ବସିବା ବେଶ ସୁବିଧାଜନକ। ଖାଲି ସେତିକି ନୁହେଁ ସେଡ୍ସରେ ଲାଗିଥିବା ଦୁଇଟି ସୋଲାର ପାନେଲ ଦିନରେ ସୂର୍ଯ୍ୟ କିରଣରୁ ଶକ୍ତି ସଂଗ୍ରହ କରି ଆପେ ଆପେ ଚାର୍ଜ ହୋଇଥାଏ।
ଆଉ ସନ୍ଧ୍ୟା ହେବା କ୍ଷଣି ସ୍ମାର୍ଟ ବେଞ୍ଚରେ ଥିବା ଲାଇଟ ବ୍ୟବସ୍ଥା ପାଇଁ ନିରାପଦରେ ବସିବାର ସ୍ଥାନ ପାଲଟିଥାଏ। କେବଳ ସେତିକି ନୁହେଁ ଯଦି ଆପଣ ନିଜର ମୋବାଇଲ କିମ୍ବା ଲାପଟପ ଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ସୋଲାର ସ୍ମାର୍ଟ ବେଞ୍ଚରେ ସେ ସୁବିଧା ମଧ୍ୟ ଆପଣ ପାଇପାରିବେ। ଯାହା ସମ୍ପୂର୍ଣ୍ଣ ଦେୟମୁକ୍ତ ।
ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ସହରର ପ୍ରମୁଖ ସାର୍ବଜନୀନ ସ୍ଥାନରେ ସ୍ମାର୍ଟ ସୋଲାର ବେଞ୍ଚ ସ୍ଥାପନ କରିବା ଆରମ୍ଭ କରିଛି। ଜନପଥ ରାସ୍ତାରେ ପରୀକ୍ଷାମୂଳକ ଭାବରେ ଦୁଇଟି ସୌରଚାଳିତ ବେଞ୍ଚ ସ୍ଥାପନ କରାଯାଇଛି । ଏହି ବେଞ୍ଚଗୁଡ଼ିକ ସୌର ପ୍ୟାନେଲ୍ ସହ ସଜ୍ଜିତ ହୋଇଛି। ଯାହା ଇନ୍-ବିଲ୍ଟ ଲାଇଟିଂ ସିଷ୍ଟମକୁ ଶକ୍ତି ପ୍ରଦାନ କରୁଛି। ଏହା ଜନସାଧାରଣଙ୍କ ପାଇଁ ମୋବାଇଲ୍ ଚାର୍ଜିଂ ସୁବିଧା ମଧ୍ୟ ପ୍ରଦାନ କରୁଛି। ବର୍ତମାନ ଦୁଇଟି ସ୍ମାର୍ଟ ବେଞ୍ଚ ଲାଗିଥିବା ବେଳେ ଆସନ୍ତା ଦୁଇ ମାସ ମଧ୍ୟରେ ଆଉ ୩୦ଟି ସ୍ମାର୍ଟ ବେଞ୍ଚ ଲଗାଯିବ। ବିଶେଷ କରି ପାର୍କ, ଧାର୍ମିକ ସ୍ଥଳ, ୟୁନିର୍ସିଟି ଭଳି ସ୍ଥାନରେ ଏବଂ ରାସ୍ତା ପାର୍ଶ୍ୱରେ ଏପରି ଅଧିକ ସ୍ମାର୍ଟ ବେଞ୍ଚ ସ୍ଥାପନ କରାଯିବ।
ଭୁବନେଶ୍ୱରରେ ସାର୍ବଜନୀନ ସ୍ଥାନଗୁଡିକରେ ସବୁଜ ଏବଂ ସ୍ଥାୟୀ ଶକ୍ତିର ବ୍ୟବହାର କରି ପରିବେଶ ଅନୁକୂଳ ବ୍ୟବସ୍ଥା ଲାଗି ବିଏମସି ଏଭଳି ନୂଆ ପରିକଳ୍ପନା ଆରମ୍ଭ କରିଛି ।
- ଭୁବନେଶ୍ୱର ଜନପଥରେ ଲାଗିଲା ସୋଲାର ବେଞ୍ଚ
- ଖରା ହେଉ କି ବର୍ଷା ଆପଣ ଏଠାରେ ବସିପାରିବେ
- ଇଲେକଟ୍ରିକ୍ ଗେଜେଟଗୁଡିକୁ ଚାର୍ଜ ବି କରିପାରିବେ
- ୩୦ଟି ସ୍ମାର୍ଟ ବେଞ୍ଚ ଲଗାଇବାକୁ BMCର ଯୋଜନା