Social Media Fame Turns Dangerous: ସେଲ୍ଫି, ରିଲ୍ସ ପଛରେ ବାୟା ଯୁବ ପୀଢ଼ି, ଲାଇକ୍-ଭିୟୁଜ୍ ଲାଗି ବାଜିରେ ଲାଗୁଛି ଜୀବନ

Jul 06, 2026 - 21:24
Social Media Fame Turns Dangerous: ସେଲ୍ଫି, ରିଲ୍ସ ପଛରେ ବାୟା ଯୁବ ପୀଢ଼ି, ଲାଇକ୍-ଭିୟୁଜ୍ ଲାଗି ବାଜିରେ ଲାଗୁଛି ଜୀବନ

ନରାଜର ଘଟଣା ଏବେ ବି ସମସ୍ତଙ୍କୁ ସ୍ତବ୍ଧ କରିଛି। ମହାନଦୀର ଉଛୁଳୁଥିବା ପାଣିର ସୁଅ, ତା ସାଙ୍ଗକୁ ବର୍ଷା। ଆଉ ଏଇ ଅକାତ ଅକାତ ପାଣିରେ ଜୀବନକୁ ବଞ୍ଚାଇବାକୁ ଲାଗିଛି ସଂଘର୍ଷ। ଗୋଟେ ପରେ ଗୋଟେ ତିନି ସାଙ୍ଗ ଭାସି ଯାଉଛନ୍ତି। କୂଳରେ ଲୋକ ଥିଲେ ହେଲେ ପାଣି ଭିତରକୁ ପଶିବାକୁ କାହାରି ଯେମିତି ସାହସ ହିଁ ହେଇନଥିଲା। କାରଣ ପାଣିର ସୁଅ ଏତେ ପ୍ରଖର ଥିଲା ଯେ, ନା ମଣିଷ ନା ଡଙ୍ଗା କେହି ବି ସୁଅକୁ କାଟି ଆଗକୁ ବଢ଼ି ପାରିନଥିଲା। ତଥାପି ସ୍ଥାନୀୟ ଯୁବକ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ପ୍ରବଳ ପାଣି ମାଡ଼ ଭିତରୁ ଦୁଇ ଜଣଙ୍କୁ ସିନା ବାହାର କରାଯାଇପାରିଲା ହେଲେ ଆକାଶ ବେହେରା ଏବେ ବି ନିଖୋଜ। ରାତି ଦିନ ଏକ କରି ଖୋଜୁଛି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍। କିନ୍ତୁ ନା ଆକାଶ ନା କୌଣସି ଖୋଜଖବର ମିଳୁଛି।

ସେଲଫି, ରିଲ୍ସ, ସୋସିଆଲ୍ ମିଡିଆର ପୋଷ୍ଟ। ଲାଇକ୍,  ସେୟାର ଏବଂ ଭିୟୁଜ୍...ବାସ୍ ଏଇ ସବୁ ପାଇଁ ଏବେ ଦିୱାନା ଯୁବ ପୀଢ଼ି। କଟକ ନରାଜ ସ୍ଥିତ ବୁଢ଼ାବନ୍ଧକୁ ବି ରାତି ପାହିଲେ ଅନେକ ଆସନ୍ତି। ଫଟୋଟେ କଏଦ କରିବାକୁ...ହେଲେ ସେଇ ଫଟୋ ଯେ, ଜୀବନକୁ ବାଜି ଲଗାଇବା କେତେ ଦୂର ଠିକ୍? ଭଲ ଭାବେ ଦେଖନ୍ତୁ ଏଇ ସବୁ ରିଲ୍ସକୁ। ସୋସିଆଲ୍ ମିଡିଆରେ ଗଦା ଗଦା ଦୁଃସାହସିକ ଷ୍ଟଣ୍ଟ। ଯାହାକୁ ସମ୍ପୂର୍ଣ୍ଣ ଦେଖାଇବା, ସମ୍ପୂର୍ଣ୍ଣ ଦର୍ଶାଇବା ବି ସମ୍ଭବ ନୁହେଁ। ବହୁ ଫୁଟ୍ ଉପରୁ ନଦୀକୁ ଡେଇଁବା ତା ପୁଣି ଏତେ ପାଣି ଭିତରେ...ଏମିତି କିଛି ରିଲ୍ସ ପାଇଁ ହିଁ ଆକାଶ ଓ ତିନି ବନ୍ଧୁ ଏକାଠି ଆସିଥିଲେ। ନିଇତି ନରାଜରେ ମହାନଦୀ କୂଳରେ ସୋସିଆଲ୍ ମିଡିଆ ଦିୱାନା ଭିଡ଼ ଜମାନ୍ତି। 

ଖାଲି ନରାଜ ନୁହେଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏମିତି ଅଘଟଣ ଘଟୁଛି। କୋରାପୁଟ ଡୁଡୁମା ଜଳପ୍ରପାତରେ ଭିଡିଓ ସୁଟ୍ ବେଳେ ଗତବର୍ଷ ଅଗଷ୍ଟ ମାସରେ ଭାସି ଯାଇଥିଲେ ୟୁଟ୍ୟୁବର ସାଗର ଟୁଡୁ। ବାରିପଦା ସୀତାକୁଣ୍ଡରେ ଗତ ଫେବୃଆରୀରେ ଦୁଇ ଯୁବକ ବୁଲିବାକୁ ଆସି ବୁଡ଼ି ଯାଇଥିଲେ। ରାୟଗଡ଼ା ନାଗାବଳୀ ଝୁଲା ପୋଲ ଉପରେ ଫଟୋ ଭିଡିଓ ନେଇ ଅନେକ ଜୀବନ ହରାଉଛନ୍ତି। ଆଉ ପର୍ଯ୍ୟଟନ ଋତୁ ଆସିଲେ ତ ସୁନ୍ଦରଗଡ଼ କାହ୍ନାକୁଣ୍ଡ ତ ଯେମିତି ଅଭିଶପ୍ତ ପାଲଟୁଛି। 

ତୁହାକୁ ତୁହା ବର୍ଷା, ମେଘରେ ଘୋଡ଼ାଇ ରଖିଥିବା ଆକାଶ। ଅଚିହ୍ନା ଓ ଅଜଣା ଠିକଣାକୁ ଏସବୁ ହିଁ ପର୍ଯ୍ୟଟକକୁ ଟାଣି ଆଣିବାକୁ ଯଥେଷ୍ଟ। ହେଲେ ବର୍ଷା ଦିନ ଯେମିତି ବିପଦକୁ ଡବଲ କରୁଛି। ପାଣିର ସୁଅ ଭୟଙ୍କର ଭାବେ ବଦଳୁଛି। ଯେଉଁ ମାଟି ପୂର୍ବରୁ କଠିନ ଥିଲା ତାହା ଏବେ ଦୁର୍ବଳ ହୋଇପଡ଼ୁଛି। ତେଣୁ ପାହାଡ଼, ନଦୀକୂଳକୁ ଯିବା ପୂର୍ବରୁ ଅଧିକ ସତର୍କ ହେବା ଆବଶ୍ୟକ। କେବଳ ସେଲଫି କିମ୍ବା ରିଲ୍ସ ସୁଟ୍ କରିବାକୁ ଯାଇ ଏମିତି ବିପଦରେ ପଡ଼ନ୍ତୁ ନାହିଁ। ଅଳ୍ପ କିଛି ଖୁସି ପାଇଁ ନିଜ ଜୀବନକୁ ବିପଦକୁ ଠେଲି ଦେବା ଉଚିତ୍ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।