Gandhamardan Herbs Offer New Cancer Hope: ମାରାତ୍ମକ କ୍ୟାନ୍ସର ରୋଗର ଚିକିତ୍ସା କ୍ଷେତ୍ରରେ ଗବେଷକଙ୍କୁ ବଡ଼ ସଫଳତା
ଗନ୍ଧମାର୍ଦ୍ଦନର ସବୁଜିମା ଭରା ଘଞ୍ଚ ଜଙ୍ଗଲ। ଏହି ପାହଡ଼ରେ ବୁଲୁଛନ୍ତି ଅଭିଜ୍ଞ ବୈଦ୍ୟରାଜ। ଆଉ ଖୋଜୁଛନ୍ତି ଦୁର୍ଲଭ ଚେର-ମୂଳ, ଔଷଧୀୟ ଗଛ। ଯାହା ବଡ଼ ବଡ଼ ଜଟିଳ ରୋଗକୁ ଭଲ କରିବାର କ୍ଷମତା ରଖିଛି। କରାଣ ଆୟୁର୍ବେଦର ଏହି ଗନ୍ତାଘର ଏବେ ସାରା ବିଶ୍ୱକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେବା ପାଇଁ ନୂଆ ଆଶା ସଞ୍ଚାର କରିଛି। ଗନ୍ଧମାର୍ଦ୍ଦନ ପାହାଡ଼ର ମିଳିଥିବା ଔଷଧୀୟ ଉଦ୍ଭିଦରୁ ପ୍ରସ୍ତୁତ ଔଷଧ ଏବେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। ଏହି ସଫଳତା ପାଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ତଥା 'ରିସର୍ଚ୍ଚ ସେଣ୍ଟର ଅଫ୍ ଏକ୍ସିଲେନ୍ସ'ର ଗବେଷକମାନେ। ୨୦୧୯ ମସିହାରୁ ବୈଦ୍ୟମାନଙ୍କ ପରାମର୍ଶ କ୍ରମେ ପ୍ରାୟ ୫୦ ପ୍ରକାରର ଔଷଧୀୟ ଉଦ୍ଭିଦରୁ ଗବେଷଣା ଆରମ୍ଭ କରିଛନ୍ତି। ସେଥିରୁ ୫ଟି ସ୍ୱତନ୍ତ୍ର ଗଛରୁ ପ୍ରସ୍ତୁତ ହୋଇଛି 'ପଲିହର୍ବାଲ ଆଣ୍ଟିକ୍ୟାନ୍ସର ଫର୍ମୁଲେସନ୍'। ଏହାକୁ ଆନିମଲ୍ ଟ୍ରାଏଲ୍ କରାଯାଇ ଶତ ପ୍ରତିଶତ ସଫଳତା ମିଳିଛ। ପ୍ରଥମେ ମୂଷା ଦେହରେ କ୍ୟାନ୍ସର ସେଲ୍ ଇଞ୍ଜେକ୍ଟ କରି ଟ୍ୟୁମର ସୃଷ୍ଟି କରାଯାଇଥିଲା। ଆଉ ହର୍ବାଲ ଫର୍ମୁଲା ଦ୍ୱାରା ପ୍ରାୟ ୩୫ ଦିନର ଚିକିତ୍ସା ପରେ ଟ୍ୟୁମରଟି ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। କେମୋଥେରାପି ଭଳି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।
ଖୁବଶୀଘ୍ର ଏହାର 'କ୍ଲିନିକାଲ୍ ଟ୍ରାଏଲ୍' ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସେସ (CCRS) ଏବଂ ଭୁବନେଶ୍ୱର ସ୍ଥିତ ଏମ୍ସ (AIIMS)ର ସହଯୋଗରେ ଖୁବଶୀଘ୍ର ମଣିଷଙ୍କ ଉପରେ ଏହାର 'କ୍ଲିନିକାଲ୍ ଟ୍ରାଏଲ୍' କରାଯିବ।ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅତ୍ୟାଧୁନିକ ଲାବୋରେଟୋରୀରେ ଗବେଷକମାନେ ଦିନରାତି ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଏହାର ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ଗବେଷଣା କାର୍ଯ୍ୟ ପଛରେ ରହିଛି ବିଭାଗର PhD ସ୍କଲାରଙ୍କର ଅକ୍ଳାନ୍ତ ପରିଶ୍ରମ ସହ ପୁଣେର NCCSରୁ ତରଳ ଅବସ୍ଥାରେ ଥିବା କ୍ୟାନ୍ସର ସେଲ୍ ସଂଗ୍ରହ କରି ଲାବୋରେଟରିରେ ଗବେଷଣା କରାଯାଇଥିଲା।
ଆସନ୍ତୁ ଜାଣିବା ଏହା କାହିଁକି କ୍ୟାନ୍ସର ରୋଗୀଙ୍କ ପାଇଁ ଆଶୀର୍ବାଦ ହେବ ? ଆଧୁନିକ କ୍ୟାନ୍ସର ଚିକିତ୍ସା ପଦ୍ଧତିରେ କିମୋଥେରାପି ଏବଂ ରେଡିଏସନ ପ୍ରକ୍ରିୟାରେ ରୋଗୀଙ୍କୁ କଷ୍ଟଦାୟକ ପାର୍ଶ୍ୱ ପ୍ରତିକ୍ରିୟା ସହିବାକୁ ପଡ଼ିଥାଏ। ଏହାଦ୍ବାରା ଶରୀରର ସୁସ୍ଥ କୋଷଗୁଡ଼ିକ ପ୍ରଭାବିତ ହୁଏ। ମାତ୍ର ଗନ୍ଧମାର୍ଦ୍ଦନ ପାହଡ଼ରୁ ମିଳିଥିବା ପ୍ରାକୃତିକ ଗୁଳ୍ମରୁ ପ୍ରସ୍ତୁତ ଏହି ଆୟୁର୍ବେଦିକ ଔଧଷ ନିର୍ଦ୍ଦିଷ୍ଟ ଭାବେ କ୍ୟାନ୍ସର କୋଷକୁ ହିଁ ନଷ୍ଟ କରିବାରେ ପ୍ରଭାବଶାଳୀ ହେବା ସହ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଗବେଷକ ମତ ଦେଉଛନ୍ତି। ତେଣୁ ଏହା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଆର୍ଶିବାଦ ସାବ୍ୟସ୍ତ ହୋଇପାରେ ବୋଲି ଆଶା ରହିଛି।
ODISHA
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।