Six Bangladeshi Nationals Detained: ଟ୍ବିନସିଟିରୁ ଧରାପଡିଲେ ୬ ବାଂଲାଦେଶୀ ନାଗରିକ
କମିଶନରେଟ୍ ପୋଲିସ କବଜାରେ ପୁଣି ୬ ବାଂଲାଦେଶୀ। କଟକ ଓ ଭୁବନେଶ୍ବରରୁ ଧରାପଡ଼ିଲେ ଆଉ ୬ ବାଂଲାଦେଶୀ ନାଗରିକ। ଗତବର୍ଷଠୁ ଓଡ଼ିଶାରୁ ବେଆଇନ୍ ବାଂଲାଦେଶୀ ଅନୁପ୍ରବେଶକାରୀ ହଟାଅ ଅଭିଯାନକୁ ରାଜ୍ୟ ସରକାର ଜୋରଦାର କରିିବା ପରେ ସେଇ ଅଭିଯାନରେ ପୋଲିସ ହାତରେ ଧରାପଡ଼ିଛନ୍ତି ଆଉ ୬ ଜଣ ବାଂଲା ନାଗରିକ। କଟକ ଓ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରୁ ଚଢାଉ ପରେ ଏମାନଙ୍କୁ ଗିରଫ କରି କଟକ ଆଠଗଡ଼ସ୍ଥିତ ଟ୍ରାଂଜିଟ୍ ହାଉସରେ ରଖିଛି କମିଶନରେଟ୍ ପୋଲିସ। ଏମାନଙ୍କର ଭେରିଫିକେସନ୍ ପରେ ଖୁବଶୀଘ୍ର ସିଧା ସ୍ୱଦେଶ ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର।
କମିଶନରେଟ୍ ପୋଲିସର ସୂଚନା ଅନୁସାରେ ଗତ ବର୍ଷେ ଭିତରେ କେବଳ କଟକ ଓ ଭୁବନେଶ୍ବରରୁ ଧରାପଡ଼ିଲେଣି ପାଖାପାଖି ୫୦ ଜଣ ବାଂଲଦେଶୀ ଅନୁପ୍ରବେଶକାରୀ। କଟକରୁ ଗତବର୍ଷ ଜୁଲାଇରେ ୧୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେହିବର୍ଷ ଅଗଷ୍ଟରେ ଜଣେ ଓ ପରେ ଗତ ଜୁଲାଇ ମାସରେ ଆଉ ଜଣଙ୍କୁ ଧରିଥିଲା ପୋଲିସ। ଏପଟେ ଭୁବନେଶ୍ବରରେ ବି ଗତବର୍ଷ ଜୁଲାଇରେ ଏକାବେଳକେ ୧୬ ଜଣଙ୍କୁ ଗିରଫ କରି ସ୍ବଦେଶ ପଠାଇବାର ବ୍ୟବସ୍ଥା କରିଥିଲା। ପରେ ଅଗଷ୍ଟରେ ୮ ଜଣ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ପୋଲିସ ହାତରେ ଧରାପଡ଼ିଥିଲେ ଆଉ ୨ ବାଂଲାଦେଶୀ ନାଗରିକ। ଆଉ ଏବେ ଆଉ ୬ ଜଣ ଧରାପଡ଼ିବା ପରେ କଟକ-ଭୁବନେଶ୍ବର ଯେ ଆଦୌ ବାଂଲେଦେଶୀ ମୁକ୍ତ ହୋଇନି, ସେ କଥା ପୁଣି ସାମ୍ନାକୁ ଆସିଛି।
ବିଭିନ୍ନ ସମୟରେ ଅଭିଯୋଗ ଆସୁଛି ଯେ, ପଶ୍ଚିମବଙ୍ଗ ଦେଇ ଓଡ଼ିଶା ପ୍ରବେଶ ପରେ କଟକ-ଭୁବନେଶ୍ବରରେ ସୁବିଧା ଦେଖି ଆଡ୍ଡା ଜମାଇ ପରେ ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପର ରିଙ୍ଗ ଲିଡର ସାଜୁଛନ୍ତି ଏ ବେଆଇନ୍ ଅନୁପ୍ରବେଶକାରୀ। କେତେବେଳେ ଦେହବେପାର ତ ଆଉ କେତେବେଳେ ଜାଲନୋଟ୍ କାରବାର ଓ ଚୋରି ଡକାୟତି ଭଳି ସଙ୍ଗୀନ ଅଭିଯୋଗ ଲାଗୁଛି ଏମାନଙ୍କ ନାଁରେ। ତେଣୁ ବାଂଲାଦେଶୀଙ୍କୁ ତୁରନ୍ତ ଚିହ୍ନଟ କରି ଅଟକ ରଖିବାକୁ ରାଜ୍ୟରେ ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଓ ୨ ଟି ରାଜ୍ୟସ୍ତରୀୟ କେନ୍ଦ୍ର ଖୋଲା ଯାଇଥିବା ନେଇ ଗତବର୍ଷ ବିଧାନସଭାରେ ତଥ୍ୟ ରଖିଥିଲେ ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।