Climate Change Intensifies Rainfall and Flood Risks: ବଦଳୁଛି ବର୍ଷା-ବନ୍ୟାର ପ୍ୟାଟର୍ଣ୍ଣ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ

Aug 05, 2026 - 20:25
Climate Change Intensifies Rainfall and Flood Risks: ବଦଳୁଛି ବର୍ଷା-ବନ୍ୟାର ପ୍ୟାଟର୍ଣ୍ଣ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ

ଚାରିଆଡେ ଜଳପ୍ରଳୟ। ନଦୀ-ନାଳ, ରାସ୍ତାଘାଟ, ଚାଷଜମି ସବୁ ଏକାକାର। କଳ୍ପନା ବାହାରେ ଥିଲା ଏମିତି ବର୍ଷା। ଅସମ୍ଭାଳ ହୋଇପଡିଲା ନଦୀଗର୍ଭ। ବନ୍ଧ ଭାଙ୍ଗି, ଘାଇ ହୋଇ ଗାଁ ଗାଁକୁ ଭସାଇନେଲା ବନ୍ୟା ପାଣି। ବାସଠୁ ବସତି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଜଳବନ୍ଦୀ ହେଲେ ଲକ୍ଷ ଲକ୍ଷ ଲୋକ। ପ୍ରଶ୍ନ ଉଠୁଛି, କାହିଁକି ବଦଳିଯାଉଛି ବର୍ଷାର ସ୍ବଭାବ ? କାହିଁକି ଅଳ୍ପ ସମୟରେ ଆକାଶରୁ ଢାଳୁଛି ଏତେ ପାଣି ? ବିଶେଷଜ୍ଞଙ୍କ ମତରେ, ଏହା କେବଳ ସାଧାରଣ ବର୍ଷା ନୁହେଁ, ଏହା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ। 

ନାସା ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ପକ୍ଷରୁ ୨୦୨୩ରେ କରାଯାଇଥିବା ଏକ ରିସର୍ଚ୍ଚରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଗବେଷଣାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାଂଲାଦେଶ ଓ ଉତ୍ତର-ପୂର୍ବ ଭାରତରେ ଅତ୍ୟଧିକ ମୌସୁମୀ ବର୍ଷା ଓ ବନ୍ୟା କିପରି ବଢ଼ୁଛି, ତାହା ବିଶ୍ଳେଷଣ କରାଯାଇଛି। ଯେଉଁଥିରେ ୧୯୫୦ରୁ ୨୦୨୧ ଯାଏଁ ଦୀର୍ଘ ୭ ଦଶନ୍ଧିର ବର୍ଷା ତଥ୍ୟ ଓ କ୍ଲାଇମେଟ୍ ମଡେଲକୁ ନିଆଯାଇଥିଲା। ଯେଉଁଥିରେ ଦର୍ଶାଯାଇଛି,  ମୌସୁମୀଜନିତ ଅତ୍ୟଧିକ ବର୍ଷା ପ୍ରାୟ ୪ ଗୁଣ ବଢ଼ିଛି। ବନ୍ୟା ଆଶଙ୍କା ବି ବଢିଛି ବହୁ ଗୁଣ। ଏଥିରେ ବଙ୍ଗୋପସାଗର ଏକ ପ୍ରମୁଖ ଭୂମିକା ନେଉଥିବା ଦର୍ଶାଇଛନ୍ତି ବୈଜ୍ଞାନିକ। 

ବଙ୍ଗୋପସାଗରରେ ସମୁଦ୍ର ପୃଷ୍ଠ ତାପମାତ୍ରା ବଢ଼ିଲେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ସୃଷ୍ଟି ହୁଏ। Low-Level Jet (LLJ) ନାମକ ଶକ୍ତିଶାଳୀ ବାୟୁପ୍ରବାହ ସେହି ଆର୍ଦ୍ରତାକୁ ଉତ୍ତର-ପୂର୍ବ ଭାରତ ଆଡ଼କୁ ଟାଣି ଆଣୁଛି। ଫଳରେ କିଛି ଘଣ୍ଟାରେ ହେଉଛି ମାସେକର ବର୍ଷା। ଯାହା ବନ୍ୟା ଆଶଙ୍କା ବଢ଼ାଉଛି। ଭବିଷ୍ୟତରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଗବେଷଣାରେ କୁହାଯାଇଛି। ସେହିପରି CMIP6 ଜଳବାୟୁ ମଡେଲର ୨୦୫୦-୨୦୭୯ ଭବିଷ୍ୟତ ଆକଳନ ଅନୁସାରେ ଭାରତରେ ଆକସ୍ମିକ ବର୍ଷା ଘଟଣା ଆହୁରି ବଢ଼ିବ। ବିଶେଷଜ୍ଞଙ୍କ ମତରେ ମୁଖ୍ୟତଃ ୩ଟି କାରଣ ପାଇଁ ବନ୍ୟା ପରିସ୍ଥତି ଉପୁଜୁଛି।

୧. ସମୁଦ୍ରର ତାପମାତ୍ରା ବୃଦ୍ଧି: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଉତ୍ତାପ ୧ ଡିଗ୍ରୀ ବଢ଼ିଲେ ତାହା ୭ ସେଣ୍ଟିମିଟର ବର୍ଷା ଅଧିକ କରିବାରେ ସକ୍ଷମ। ଫଳରେ ଗୋଟିଏ ଗୋଟିଏ ଅଂଚଳରେ ହଠାତ ପ୍ରଚୁର ବର୍ଷା ହେଉଛି। 

୨. ସହରୀକରଣ ଓ କଂକ୍ରିଟ ମାଟି: ଅଧିକ ଗରମ ଦ୍ୱାରା ନରମ ମାଟି କଂକ୍ରିଟ ଭଳି ଶକ୍ତ ହେଉଛି। ଫଳରେ ବର୍ଷା ପାଣି ମାଟି ଭିତରକୁ ନଯାଇ ନଦୀରେ ମିଶୁଛି। ସେହିପରି ସହରୀକରଣ ଦ୍ବାରା ରାସ୍ତା ପକ୍କା ହେବାରୁ ମାଟି ଜଳ ଧାରଣ କରି ନପାରିବାରୁ ସବୁ ପାଣି ନାଳ ଓ ନଦୀକୁ ଯାଉଛି। ଜଳଧାରଣ କ୍ଷମତାଠାରୁ ଅଧିକ ପାଣି ସମ୍ଭାଳି ପାରୁନି ନଦୀ ନାଳ। 

୩. କମୁଛି ନଦୀ ଗଭୀରତା: ସେହିପରି ନଦୀ ଗୁଡିକରେ ବାଲି ଉତ୍ତୋଳନ ଓ ବର୍ଜ୍ୟ ବସ୍ତୁ ମିଶିବା ଦ୍ବାରା ନଦୀ ତାର ଗଭୀରତା ହରାଉଛି। ହ୍ରାସ ପାଉଛି ନଦୀର ଜଳ ଧାରଣା କ୍ଷମତା।  

ବିଶେଷଜ୍ଞ ମୁତାବକ, କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବନ୍ୟା ପାଇଁ କିଛି ମାତ୍ରାରେ ମନୁଷ୍ୟ ବି ଦାୟୀ। ନଦୀକୂଳ ଜବରଦଖଲ, ଡ୍ରେନ୍ ଉପରେ ବେଆଇନ ନିର୍ମାଣ, ଗଛ କାଟିବା, କଂକ୍ରିଟର ଜଙ୍ଗଲ ସୃଷ୍ଟି ଆଉ ଆଉ ବେଆଇନ ବାଲି ଉତ୍ତୋଳନ ପ୍ରାକୃତିକ ଜଳପ୍ରବାହକୁ ବଦଳାଇ ଦେଉଛି। ଏସବୁ ଭୁଲ ଆଜି ବଡ଼ ବିପର୍ଯ୍ୟୟର ରୂପ ନେଉଛି। ଆଜିର ବନ୍ୟା କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏହା ଭବିଷ୍ୟତର ଏକ ସତର୍କ ଘଣ୍ଟି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।