SIR: ଗାଁ-ଭିଟାମାଟି ଛାଡି ଓଡ଼ିଶାରେ ଆଶ୍ରୟ ନେଉଥିବା ତିବ୍ଦତୀୟଙ୍କୁ କେବେ ମିଳିବ ପରିଚୟ?
"ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ଗଜପତି ଜିଲ୍ଲାର ପାହାଡ଼, ଜଙ୍ଗଲ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମଧ୍ୟରେ ରହିଛି ଏକ ଅନନ୍ୟ ଜଗତ।
ଏଠାରେ ଆଜି ବି ଶୁଣାଯାଏ ତିବ୍ଦତୀୟ ଭାଷା, ଦେଖାଯାଏ ବୌଦ୍ଧ ସଂସ୍କୃତିର ଛାପ ଏବଂ ଅନୁଭବ କରାଯାଏ ଏକ ବିସ୍ଥାପିତ ଜାତିର ଦୀର୍ଘ ସଂଘର୍ଷର କାହାଣୀ।
ପ୍ରାୟ ୬୭ ବର୍ଷ ତଳେ ନିଜ ମାଟି ଛାଡ଼ି ଭାରତରେ ଆଶ୍ରୟ ନେଇଥିବା ତିବ୍ଦତୀୟ ଶରଣାର୍ଥୀଙ୍କ ବଂଶଧରମାନେ ଏବେ ଚତୁର୍ଥ ପିଢ଼ିରେ ପହଞ୍ଚିଥିଲେ ମଧ୍ୟ, ଭାରତୀୟ ନାଗରିକ ଭାବେ ପୂର୍ଣ୍ଣ ପରିଚୟ ଓ ଗଣତାନ୍ତ୍ରିକ ଅଧିକାର ପାଇବାର ଅପେକ୍ଷା ଶେଷ ହୋଇନାହିଁ।
ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ଗଜପତି ଜିଲ୍ଲାର ତିବ୍ଦତୀୟ ବସତିଗୁଡ଼ିକୁ ସାମିଲ କରାଯାଇନଥିବାରୁ ପୁଣିଥରେ ସେମାନଙ୍କ ନାଗରିକତ୍ୱ ଓ ଭୋଟାଧିକାର ପ୍ରଶ୍ନ ଚର୍ଚ୍ଚାକୁ ଆସିଛି।
ଫଳରେ ଏସଆଇଆର ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
୧୯୫୯ ମସିହାରେ ଚୀନ ଦଖଲଦାରୀ ବିରୋଧରେ ତିବ୍ଦତରେ ବିଦ୍ରୋହ ପରେ ଧର୍ମଗୁରୁ ଦଲାଇ ଲାମା ଭାରତରେ ଆଶ୍ରୟ ନେଇଥିଲେ।
ତାଙ୍କ ସହ ହଜାର ହଜାର ତିବ୍ଦତୀୟ ମଧ୍ୟ ଭାରତକୁ ଆସିଥିଲେ।
ସେମାନଙ୍କ ମଧ୍ୟରୁ କିଛି ପରିବାରକୁ ଓଡ଼ିଶାର ଗଜପତି ଜିଲ୍ଲାରେ ପୁନର୍ବାସ କରାଯାଇଥିଲା।Advertisment ବର୍ତ୍ତମାନ ମୋହନା ଓ ଆର୍.ଉଦୟଗିରି ବ୍ଲକ୍ର ଚନ୍ଦ୍ରଗିରି, ଲାବରାସିଂହ, ମହେନ୍ଦ୍ରଗଡ଼, ଟଙ୍କିଲିପାଦର ଓ ଜିରାଙ୍ଗ କ୍ୟାମ୍ପରେ ଦୁଇ ହଜାରରୁ ଅଧିକ ତିବ୍ଦତୀୟ ବସବାସ କରୁଛନ୍ତି।
ଦଶନ୍ଧି ଦଶନ୍ଧି ଧରି ଭାରତରେ ରହିଥିଲେ ମଧ୍ୟ ସମସ୍ତ ତିବ୍ଦତୀୟ ଭୋଟାଧିକାର ପାଇପାରିନାହାନ୍ତି।
ଭାରତୀୟ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭାରତରେ ଜନ୍ମ ହୋଇଥିବା ତିବ୍ଦତୀୟମାନେ ନାଗରିକତ୍ୱ ଦାବି କରି ଭୋଟର ତାଲିକାରେ ନାମ ସାମିଲ କରିପାରିବେ।
କିନ୍ତୁ ଦଲିଲପତ୍ର ଅଭାବ, ପ୍ରଶାସନିକ ଜଟିଳତା ଓ ଦୀର୍ଘ ଆଇନଗତ ପ୍ରକ୍ରିୟା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ଏବେ ବି ଭୋଟର ତାଲିକା ବାହାରେ ରହିଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରୁ ମାତ୍ର ୪୨ ଜଣ ତିବ୍ଦତୀୟ ଭୋଟଦାନ କରିଥିବା ତଥ୍ୟ ଏହି ବାସ୍ତବତାକୁ ସ୍ପଷ୍ଟ କରିଛି।
ଆହୁରି ପଢନ୍ତୁ: Confusion: ଏସ୍ଆଇଆର୍ରେ ସାମିଲ ହେବା ନେଇ ଦ୍ୱନ୍ଦ୍ୱ ନିକଟରେ ଭୋଟର ତାଲିକା ସଂଶୋଧନ ସମୟରେ ମଧ୍ୟ କିଛି ତିବ୍ଦତୀୟ ପରିବାର ନିଜ ନାମ ତାଲିକାରେ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ବର୍ତ୍ତମାନ ଚାଲିଥିବା ଏସଆଇଆର ପ୍ରକ୍ରିୟାରେ ୨୦୦୨ ମସିହା ପୂର୍ବରୁ ବସବାସର ପ୍ରମାଣପତ୍ର ଆଧାରରେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ତିବ୍ଦତୀୟ ବସତି ଅଞ୍ଚଳର ଚାରିଟି ବୁଥ୍ର ସର୍ଭେ କାର୍ଯ୍ୟ ସ୍ଥଗିତ ରଖାଯାଇଛି।
ଫଳରେ ଏହି ପ୍ରକ୍ରିୟାରେ ତିବ୍ଦତୀୟଙ୍କ ସାମିଲ ହେବାକୁ ନେଇ ଅନିଶ୍ଚିତତା ବଢ଼ିଛି।
ଅନ୍ୟପଟେ, ତିବ୍ଦତୀୟ ସମ୍ପ୍ରଦାୟ ମଧ୍ୟ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ସ୍ପଷ୍ଟ ମତ ଦେଇପାରୁନାହାନ୍ତି।
ସେମାନେ ଏହି ପ୍ରସଙ୍ଗକୁ ଧର୍ମଶାଳାସ୍ଥିତ କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ (CTA) ନିକଟରେ ଉଠାଇଥିବା ଜଣାପଡ଼ିଛି ଏବଂ ସେଠାରୁ ନିର୍ଦ୍ଦେଶ ଅପେକ୍ଷାରେ ରହିଛନ୍ତି।
ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ବିଷୟଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଛି।
ସେଠାରୁ ନିର୍ଦ୍ଦେଶ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।