Shri Jagannath: ପ୍ରଥମ ସ୍ତମ୍ଭ: ଶ୍ରୀଜଗନ୍ନାଥ

Jul 19, 2026 - 07:45
Shri Jagannath: ପ୍ରଥମ ସ୍ତମ୍ଭ: ଶ୍ରୀଜଗନ୍ନାଥ

"ଏଥର ରଥଯାତ୍ରା ଥିଲା ମୋ ପାଇଁ ସଂପୂର୍ଣ୍ଣ ନିଆରା।

ଶ୍ରୀଜଗନ୍ନାଥ ଝୁଲି ଝୁଲି ସିଂହଦ୍ୱାରରୁ ବାହାରି ରଥ ଆଡ଼କୁ ବିଜେ କରିବାର ସେହି ଅପୂର୍ବ ଦୃଶ୍ୟ ମୋତେ ଯେଉଁ ଅନୁଭୂତି ଦେଇଥିଲା, ତାହା ବାସ୍ତବିକ ଅବର୍ଣ୍ଣନୀୟ।

ତାହା କେବଳ ଏକ ବିରଳ ଅନୁଭୂତି ନଥିଲା, ବରଂ ଥିଲା ଏକ ଦିବ୍ୟ ସାକ୍ଷାତ୍‌କାର।

ମୁଁ ବହୁବାର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଟେଲିଭିଜନ୍‌ ପରଦାରେ, ମୋବାଇଲ୍‌ ସ୍କ୍ରିନ୍‌ରେ ଦେଖିଛି; କିନ୍ତୁ ସିଂହଦ୍ବାରରେ ଭକ୍ତଙ୍କ ଭିଡ଼ରେ ଠିଆ ହୋଇ ତାଙ୍କୁ ଦର୍ଶନ କରି ଯେଉଁ ଅନୁଭବ ହେଲା, ତାହା ସତରେ ଅତୁଳନୀୟ।

ମହାପ୍ରଭୁଙ୍କୁ ଦେଖି ମୋ ମନ ଅପୂର୍ବ ଆନନ୍ଦ ଓ ବିସ୍ମୟରେ ଭରି ଯାଇଥିଲା।Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ସେଦିନ ଯେତେବେଳେ ମହାପ୍ରଭୁ ନିଜ ଇଚ୍ଛାରେ ବାଇଶି ପାହାଚ ଓ ସିଂହଦ୍ବାର ମଝିରେ ଦୁଇଘଣ୍ଟା ଅଟକିଗଲେ, ସେତେବେଳେ କେହି କିଛି କରିପାରିଲେ ନାହିଁ।

ସରକାର, ପ୍ରଶାସନ, ସେବକ- ସମସ୍ତେ ମହାବାହୁଙ୍କ ଆଗରେ ନାଚାର, ନିରୁପାୟ ଓ ଅସହାୟ ଅବସ୍ଥାରେ ଠିଆହୋଇ ରହିଲେ।

ଦାୟିତ୍ବରେ ଥିବା ବ୍ୟକ୍ତି କିମ୍ବା ପ୍ରଶାସନ ଦାବି କରିପାରନ୍ତି ଯେ ସେମାନେ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ଏବଂ ସୁଚାରୁରୂପେ ସମ୍ପାଦନ କରିଛନ୍ତି, କିନ୍ତୁ ସେହି ସନାତନ ସତ୍ୟ ପୁଣି ଥରେ ପ୍ରମାଣିତ ହେଲା- "ତାଙ୍କ ଇଚ୍ଛା ବିନା ଗଛର ପତ୍ରଟିଏ ବି ହଲେନାହିଁ"।

ପହଣ୍ଡିରେ ମହାପ୍ରଭୁଙ୍କର ଦିବ୍ୟରୂପ ଦର୍ଶନ କରିବା ପରେ ଆମକୁ ମହାପ୍ରସାଦ ପାଇବାର ସୌଭାଗ୍ୟ ମିଳିଲା।

ହେଲେ ତାଙ୍କ ଭୋଗ କାହିଁକି ଆଜି ଦରସିଝା?

କାରଣ ଶ୍ରୀଜଗନ୍ନାଥ ନିଜ ଭକ୍ତମାନଙ୍କୁ ଭେଟିବା ପାଇଁ ଏତେ ବ୍ୟାକୁଳ ଥିଲେ ଯେ ଭଲଭାବେ ରୋଷେଇ ହେବା ଯାଏଁ ବି ଅଟକିପାରିଲେ ନାହିଁ।

ରଥଯାତ୍ରା ଦିନ ନିଜ ସନ୍ତାନମାନଙ୍କୁ ଦେଖିବା ପାଇଁ ସେ ଏତେ ବ୍ୟଗ୍ର ଥାଆନ୍ତି ଯେ ଯାହା ବି ପ୍ରସ୍ତୁତ ହୋଇଥାଏ ତାହାକୁ ଆନନ୍ଦରେ ଗ୍ରହଣ କରି ସହଳ ସହଳ ବାହାରି ଆସନ୍ତି।

ସତରେ ଏମିତି  ଠାକୁର ସଂସାରରେ ନାହାନ୍ତି!

ଯାହାଙ୍କ କୃପା ପାଇଁ ସାରା ବିଶ୍ୱ ପାଗଳ, ସେ ଆମ ଭଲପାଇବାର ଡୋରିରେ ବାନ୍ଧିହୋଇ ରହିଛନ୍ତି।

ଆମେ ପରମ ଭାଗ୍ୟବାନ୍‌ ଯେ ତାଙ୍କୁ ଆମର ବୋଲି ଦାବି କରିପାରୁଛୁ ଏବଂ ତାଙ୍କରି ମାଟିକୁ ନିଜର ବୋଲି କହିବାର ଅଧିକାର ପାଇଛୁ।

ଶ୍ରୀଜଗନ୍ନାଥଙ୍କ ଲାଗି ଶ୍ରୀମନ୍ଦିରରେ ପ୍ରଚଳିତ ଅସୁମାରି ନୀତିକାନ୍ତି, ପରମ୍ପରା ଓ ବ୍ୟବସ୍ଥାକୁ ଦେଖିଲେ ମନ ବିସ୍ମୟାଭିଭୂତ ହୋଇଯାଏ।

କେତେ ସୁନ୍ଦର ଭାବେ ସବୁକିଛି ଯୋଜନା କରାଯାଇଛି ସତେ!

କେତେ ସୂକ୍ଷ୍ମ ଭାବେ ସେବକମାନଙ୍କ ମଧ୍ୟରେ କାର୍ଯ୍ୟର ବିଭାଜନ ହୋଇଛି, ପୁଣି କେଉଁ ସେବକ କେଉଁ ଦାୟିତ୍ୱ କେତେବେଳେ ତୁଲାଇବେ, ତାହା ବି ଅତି ନିଖୁଣ ଭାବେ ନିର୍ଦ୍ଦିଷ୍ଟ କରାଯାଇଛି!

କିନ୍ତୁ ଏହି ସୁଚିନ୍ତିତ ବ୍ୟବସ୍ଥା, ନିୟମ ଓ ଶୃଙ୍ଖଳା ପରେ ମଧ୍ୟ, ସେହି କାଳିଆର ଇଚ୍ଛା ହିଁ ସର୍ବୋପରି।

ମହାପ୍ରଭୁଙ୍କ ଜୀବନଶୈଳୀ ଅସଂଖ୍ୟ ଶିକ୍ଷାରେ ଭରପୂର।

ତାଙ୍କର ପରମ୍ପରା ଓ ନୀତିକାନ୍ତି ହଜାରେ ବର୍ଷର ପୁରୁଣା ହେଲେ ମଧ୍ୟ ଆମ ଜୀବନ ପାଇଁ ଆଜି ବି ସେତିକି ପ୍ରାସଙ୍ଗିକ।

ଜୀବନର ପ୍ରତି ପାଦରେ, ପ୍ରତି ଦ୍ୱନ୍ଦ୍ୱରେ ଏବଂ ସବୁ ପରିସ୍ଥିତିରେ ସେ ଆମ ପାଇଁ ସମାଧାନର ଉତ୍ସ।

ଆଉ ମନରେ ଉଠୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର କେବଳ ତାଙ୍କଠାରୁ ହିଁ ମିଳିଥାଏ।

ଶ୍ରୀମନ୍ଦିରର ବିଶାଳ ପରିଚାଳନା ବ୍ୟବସ୍ଥା ହେଉଛି ସୂକ୍ଷ୍ମ ଯୋଜନା, କାର୍ଯ୍ୟ ବଣ୍ଟନ ଏବଂ ଶ୍ରମ ବିଭାଜନର ଏକ ଅଦ୍ଭୁତ ଉଦାହରଣ।

ସହସ୍ରାଧିକ ସେବକ ନିଜ ନିଜର ନିର୍ଦ୍ଦିଷ୍ଟ ସେବାକୁ ସମ୍ପୂର୍ଣ୍ଣ ସମନ୍ୱୟର ସହ ସମ୍ପାଦନ କରନ୍ତି।

ଏଥିରୁ ଆମକୁ ଶିକ୍ଷା ମିଳେ ଯେ- ଯଦି ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜର ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ, ତେବେ ତା"ର ଚୂଡ଼ାନ୍ତ ପରିଣାମ ସର୍ବଦା ସଫଳ ଓ ମଙ୍ଗଳମୟ ହେବ।

ସେହିପରି, ସମାନତା ଓ ସାମୂହିକତାର ପ୍ରକୃଷ୍ଟ ଉଦାହରଣ ବି ମିଳେ ମହାପ୍ରଭୁଙ୍କ ପରମ୍ପରାରୁ।

ତାଙ୍କ ରଥର ଦଉଡ଼ି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।

ରଥ ଟାଣିବା ସମୟରେ ଜାତି, ଧର୍ମ, ବର୍ଣ୍ଣ ଓ ସାମାଜିକ ସ୍ଥିତିର ସମସ୍ତ ପାଚେରି ବଡ଼ଦାଣ୍ଡର ଧୂଳିରେ ମିଶିଯାଏ।

ରଥ ଦଉଡ଼ି ଧରିଲା ବେଳକୁ କେହି ପଚାରନ୍ତି ନାହିଁ କି ତମ ବ୍ୟାଙ୍କ୍‌ଖାତାରେ କେତେ ପଇସା ଅଛି ବା ତମର ଜାତି କ"ଣ?

ଦଉଡ଼ିରେ ପ୍ରତିଟି ହାତ ପାଇଁ ସ୍ଥାନ ଥାଏ।

ଏହା ଶିଖାଏ ଯେ, ଆମକୁ ମଧ୍ୟ ନିଜ ଜୀବନରେ ଏହିଭଳି ଉଦାର ଓ ଭେଦଭାବହୀନ ମନୋଭାବ ଆପଣେଇବାକୁ ହେବ।

Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ସ୍ୱୟଂ ବ୍ରହ୍ମାଣ୍ଡର ନାଥ ଶ୍ରୀଜଗନ୍ନାଥଙ୍କର କୌଣସି ଅଭାବ ନାହିଁ।

ସେ ସମସ୍ତ ଐଶ୍ୱର୍ଯ୍ୟ ଏବଂ ସୁଖ-ଭୋଗର ଅଧିକାରୀ।

କୋଟି କୋଟି ଭକ୍ତ ତାଙ୍କର ଦର୍ଶନ ପାଇଁ ରତ୍ନସିଂହାସନ ତଳକୁ ଧାଇଁ ଆସନ୍ତି।

ତଥାପି, ପ୍ରତିବର୍ଷ ସେ ଶ୍ରୀମନ୍ଦିର ଓ ରତ୍ନବେଦି ଛାଡ଼ି ନିଜ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି।

ଏହି ଲୀଳା ଆମକୁ ଶିକ୍ଷା ଦିଏ ଯେ, ଜୀବନରେ ଆମେ ଯେତେ ବଡ଼ ସଫଳତା ପାଇଲେ କିମ୍ବା ଯେତେ ଉଚ୍ଚ ପଦବିକୁ ଗଲେ ମଧ୍ୟ, ନିଜର ମୂଳ ସଂସ୍କାର, ମାଟି ଓ ପରିବାର ସହିତ ସଦାସର୍ବଦା ଜଡ଼ିତ ହୋଇ ରହିବା ଉଚିତ।

ଜୟ ଜଗନ୍ନାଥ।

ତନୟା ପଟ୍ଟନାୟକସଂପାଦକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।