Shocking Incident: ଚିପ୍ସ ପ୍ୟାକେଟରେ ଥିବା ଖେଳନା ବଲ୍ ଗିଳିଦେବାରୁ ୫ ବର୍ଷର ଶିଶୁର ମୃତ୍ୟୁ

Aug 02, 2026 - 15:32
Shocking Incident: ଚିପ୍ସ ପ୍ୟାକେଟରେ ଥିବା ଖେଳନା ବଲ୍ ଗିଳିଦେବାରୁ ୫ ବର୍ଷର ଶିଶୁର ମୃତ୍ୟୁ

ଏକ ହୃଦୟବିଦାରକ ଘଟଣା ଘଟିଛି। ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଏକ ଛୋଟ ପ୍ଲାଷ୍ଟିକ ଖେଳନା ବଲ୍ ଗିଳିଦେବାରୁ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁର ନାମ ମୁକୁନ୍ଦ ମୟୂର। ସେ ପୂର୍ବତନ ଗ୍ରାମ ପଞ୍ଚାୟତ ଉପାଧ୍ୟକ୍ଷାଙ୍କ ନାତି ଥିଲେ । ବାପାମାଆଙ୍କର ଏକମାତ୍ର ପୁଅ ଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୈସୁରୁ ଜିଲ୍ଲାରେ ମୁକୁନ୍ଦ ଏକ ଚିପ୍ସ ପ୍ୟାକେଟ୍ ଭିତରେ ମିଳିଥିବା ଛୋଟ ପ୍ଲାଷ୍ଟିକ ବଲ୍କୁ ଗିଳିଦେଇଥିଲେ। ଏହି ବଲ୍ଟି ତାଙ୍କ ଗଳାରେ ଅଟକି ଯାଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଘଟଣାକୁ ନେଇ ହୁନସୁର ଗ୍ରାମୀଣ ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ମଧ୍ୟ ଘଟିଥିଲା ଏଭଳି ଦୁଃଖଦ ଘଟଣା

ଚଳିତ ବର୍ଷ ମାର୍ଚ୍ଚ ମାସରେ ମୈସୁରୁର ହୁନସୁର ଅଞ୍ଚଳର ଡୋଡ୍ଡାହେଜ୍ଜୁର ଗାଁରେ ଆଉ ଏକ ଦୁଃଖଦ ଘଟଣା ଘଟିଥିଲା। ଘରେ ପୂଜା ପାଇଁ ରଖାଯାଇଥିବା ଶୁଖିଲା ମନ୍ଦାର ଫୁଲର ଏକ ଅଂଶ ଗିଳିଦେବାରୁ ସାଢ଼େ ୬ ମାସର ଶିଶୁ ଚିନ୍ମୟ ଗୌଡାଙ୍କ ମୃତ୍ୟୁ ହୋଇଥିଲା।

ଶିଶୁଟି ନିଜ ବଡ଼ ଭାଇ ସହ ଖେଳୁଥିବା ବେଳେ ଘର ସାମ୍ନାରେ ରଖାଯାଇଥିବା ଶୁଖିଲା ମନ୍ଦାର ଫୁଲର ଏକ ଖଣ୍ଡ ଉଠାଇ ପାଟିରେ ପକାଇ ଦେଇଥିଲା। ପରେ ତାହାକୁ ଗିଳିଦେବାରୁ ଶ୍ୱାସ ନେବାରେ ଅସୁବିଧା ହୋଇଥିଲା।
ପରିବାର ଲୋକେ ତୁରନ୍ତ ତାଙ୍କୁ ହନାଗୋଡୁ ହସ୍ପିଟାଲକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ମୈସୁରୁର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଶିଶୁଟିକୁ ବଞ୍ଚା ଯାଇ ପାରିନଥିଲା । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।