Schools Reopen After Flood: ବନ୍ୟା ପରେ ଖୋଲିଲା ସ୍କୁଲ, ସାପ-କୁମ୍ଭୀର ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

Aug 03, 2026 - 19:37
Schools Reopen After Flood: ବନ୍ୟା ପରେ ଖୋଲିଲା ସ୍କୁଲ, ସାପ-କୁମ୍ଭୀର ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

ବନ୍ୟା ପାଣି ଛାଡ଼ିଲା, ସ୍କୁଲ ଖୋଲିଲା। ୫ ଦିନ ପରେ ବନ୍ୟାଂଚଳର କିଛି ସ୍ଥାନରେ ଆଜି ସ୍କୁଲ ଖୋଲିଛି ସତ ହେଲେ ପାଠପଢା ଆରମ୍ଭ ହୋଇପାରିନି। ସବୁଠି ଦିନ ତମାମ ଚାଲିଲା ସଫାସୁତୁରା। ସେପଟେ ଅନେକ ସ୍ଥାନରେ ଏବେବି ସ୍କୁଲ ପାଣି ଘେରରେ ରହିଛି। ସାପ-କୁମ୍ଭୀର ଭୟରେ ପିଲାଙ୍କୁ ସ୍କୁଲ ଛାଡୁନାହାଁନ୍ତି ଅଭିଭାବକ। ଏହାରି ଭିତରେ କେଉଁଠି ସ୍କୁଲରେ ପିଲାଙ୍କ ବହି-ଖାତା ଭିଜିଛି ତ କେଉଁଠି ଘରେ ବନ୍ୟା ଜଳ ସବୁ ଭସାଇନେଇଛି। 

ଭଦ୍ରକରେ ବଢି ପାଣି ଛାଡୁଛି, ଧିରେ ଧିରେ ସ୍ବାଭାବିକ ହେଉଛି ଜନଜୀବନ। ସୁଧୁରୁଛି ସ୍ଥିତି। ପାଂଚ ଦିନ ପରେ ଖୋଲିଛି ସ୍କୁଲ। ହେଲେ ପାଠପଢା ହୋଇପାରିନି। ଆଜି ଅଧିକାଂଶ ପିଲା ବି ଆସିନଥିଲେ। ଭଦ୍ରକ ଅର୍ଣ୍ଣପାଳ ପଂଚାୟତ ରାଜୁଆଳିବିନ୍ଧା ସ୍କୁଲଭିତରେ ପଶିଥିଲା ସାଳନ୍ଦୀର ବନ୍ୟା ପାଣି। ଆଜି ଶିକ୍ଷକ ଆସିଥିଲେ, କିଛି ପିଲା ବି ପହଁଚିଥିଲେ। ହେଲେ ପାଂଚ ଦିନ ଧରି ପାଣି ଘେରରେ ଥିବାରୁ ପିଲାଙ୍କୁ ଶ୍ରେଣୀକୁ ଛଡାଯାଇନଥିଲା। ଧୁଆ ଧୋଇ କରି ବ୍ଲିଚିଂ ପକାଇ ଦିନ ତମାମ ସଫା କରାଯାଇଥିଲା ସ୍କୁଲକୁ। 

ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଯାଜପୁରରେ ବି ସମାନ ଚିତ୍ର। ସ୍କୁଲ ଖୋଲିଛି, ଆରମ୍ଭ ହୋଇଛି ସଫେଇ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ନୂଆ ମାହାରା ନଦୀରେ ବିଶାଳ ଘାଇ ଯୋଗୁଁ ଜଳବନ୍ଦୀ ହୋଇଥିଲା ହଳଦୀଡିହ ପଂଚାୟତ। ଏବେ ଧିରେ ଧିରେ ପାଣି ଛାଡୁଛି ସିନା ଆରମ୍ଭ ହୋଇପାରିନି ପାଠପଢା। 

ସେପଟେ ଏବେବି ଅନେକ ସ୍ଥାନରୁ ଛାଡିନି ବନ୍ୟା ଜଳ। ସ୍କୁଲ ଜଳବନ୍ଦୀ, ପରିସରରେ ବି ପାଣି ଜମିଛି। ବ୍ରାହ୍ମଣୀର ବନ୍ୟା ଜଳ ପଟାମୁଣ୍ଡାଇ ପେଣ୍ଠଶାଳ ପଂଚାୟତରେ ଜମି ରହିଥିବାରୁ ସସପେଣ୍ଡ କରାଯାଇଛି କ୍ଲାସ୍। କୁମ୍ଭୀର ଓ ସାପ ଭୟ ପାଇଁ ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି ଅଭିଭାବକ l

ବାଲେଶ୍ବରରେ ବଢି ପାଣିରେ ଭିଜିଛି ପଢା ବହି। କିଛି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଆଉ କିଛି ଅଧା ଭିଜିଛି। କାହାର ମଲାଟ ନାହିଁ ତ କାହାର ଭିତରେ ଧୋଇଯାଇଛି ପାଠ। ବାରଣ୍ଡାରେ ପାଲ ବିଛାଇ ଶୁଖାଯାଇଛି ପିଲାଙ୍କ ଓଦା ବହିକୁ। ସ୍କୁଲର ଜରୁରୀ ଫାଇଲ ପତ୍ର ବି ବନ୍ୟା ପାଣିରେ ଭିଜିଛି। ଶ୍ରେଣୀ ଗୃହ ଭିତରେ କାଦୁଅ ପଚପଚ, ଅଧା ଜିନିଷ ଓଦା। ପିଲାଙ୍କ ପାଇଁ ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ଫିମ୍ପି ମାଡ଼ିଗଲାଣି। ପାଣି ଛାଡ଼ିବା ପରେ ବାଲେଶ୍ବର ରେମୁଣା ସ୍ଥିତ ବଡୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଚାଲିଛି ସଫା ସୁତୁରା। 

ଗାଁ ଗାଁକୁ ଘେରି ରହିଛି ବନ୍ୟା ପାଣି। ଘରେ ଘରେ ଦୁର୍ଦ୍ଦଶାର ଚିତ୍ର। ହଠାତ୍ ବନ୍ୟା ପାଣି ଘରେ ପଶି ସବୁ ଧୋଇନେଇଛି। ପିଲାଙ୍କ ପଢ଼ା ବହି ବି ବର୍ତ୍ତିନି ବଢ଼ି ପାଣିର ସୁଅରୁ। ପାଣି ଛାଡ଼ିଲା, କିଛି ସ୍ଥାନରେ ସ୍କୁଲ ଖୋଲିଲା, ହେଲେ ଓଦା ବହି-ଖାତାରେ ପିଲା କେମିତି ପାଠ ପଢିବେ, ସେହି ଚିନ୍ତା ଘାରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।