Flood Damage Exposes Housing Scheme Irregularities: ବନ୍ୟା ଖୋଲିଦେଲା ଆବାସ ଦୁର୍ନୀତି ଗୁମର, ପକ୍କା ଘର ନଥିବାରୁ ହଟହଟା ପ୍ରକୃତ ହିତାଧିକାରୀ

Aug 03, 2026 - 19:55
Flood Damage Exposes Housing Scheme Irregularities: ବନ୍ୟା ଖୋଲିଦେଲା ଆବାସ ଦୁର୍ନୀତି ଗୁମର, ପକ୍କା ଘର ନଥିବାରୁ ହଟହଟା ପ୍ରକୃତ ହିତାଧିକାରୀ

ବନ୍ୟା ଖୋଲି ଦେଲା ରାଜ୍ୟରେ ଆବାସ ଦୁର୍ନୀତିର ଗୁମର। ଏହି ଯୋଜନାରେ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟା ଯାଉଥିବା କୁହାଯାଉଛି। କିନ୍ତୁ ଅନେକ ଯୋଗ୍ୟ ପରିବାର ଯେ ଏବେ ବି ଯୋଜନାରୁ ବହୁ ଦୂରରେ ତାହା ବନ୍ୟାଞ୍ଚଳରୁ ସ୍ପଷ୍ଟ। କାହିଁକି ନା ବନ୍ୟାର ପ୍ରକୋପରେ ନିଶ୍ଚିହ୍ନ ହୋଇାଯାଇଛି ଶହ ଶହ ଝାଟିମାଟିର ଘର। ଖାଲି ବନ୍ୟା ପ୍ରଭାବିତ ଜିଲ୍ଲା ନୁହେଁ, ରାଜ୍ୟର ଅନେକ ଅଂଚଳରୁ ଆସୁଛି ଆବାସ ଅନିୟମିତତାର ମାଳ ମାଳ ଅଭିଯୋଗ। 

କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ବାଙ୍କୀ ଆଦି ଅଞ୍ଚଳର ବହୁ କଚା ଘର ବନ୍ୟା ମାଡରେ ଶୋଇପଡିଛି। ଘରର ମୁରବୀ ଏବେ ଚିନ୍ତାରେ, କେମିତି ମୁଣ୍ଡ ଗୁଞ୍ଜିବ ପୁରା ପରିବାର। ତଥାପି ବନ୍ୟା ପାଣି ଛାଡିବା ପରେ ଝାଟି ମାଟି ଘରକୁ ପୁଣିଥରେ ଛିଡା କରିବାକୁ ଲାଗି ପଡିଛନ୍ତି ପରିବାର ସଦସ୍ୟ। ଏହା ପଛରେ ଅସଲ କାରଣ ହେଉଛି, ଖାଲି ବନ୍ୟା ଅଞ୍ଚଳ ନୁହେଁ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପକ୍କା ଘର ପାଇବାରୁ ବଞ୍ଚିତ ମାଳ ମାଳ ଯୋଗ୍ୟ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଫିସ୍ ଘେରାଉ କରିଛନ୍ତି ଶତାଧିକ ଲୋକ। ସେହିପରି ଝାରସୁଗୁଡ଼ା କୁଦୋପାଲି ପଞ୍ଚାୟତର ଭୂମିହୀନମାନଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି। ସେପଟେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଲି ପଞ୍ଚାୟତର ସକମା ଗାଁର ଅଧିକାଂଶ ବାସିନ୍ଦାଙ୍କ ହୋଇଛନ୍ତି ବାସହୀନ। ମୁଣ୍ଡ ଉପରେ ଛାତ ନଥିବାରୁ ପର ଘରେ ଏବେ ଦିନ କଟୁଛି। ଯେଉଁଥି ପାଇଁ ତୁରନ୍ତ ଏମାନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ସେପଟେ ଆବାସ ଯୋଜନାକୁ ନେଇ ଢେଙ୍କାନାଳରେ ଯୋଗାଣ ମନ୍ତ୍ରୀ ଓ ସରକାରୀ ଅଧିକାରୀ ତୁ ତୁ ମେ ମେ ଚିତ୍ର ସାମ୍ନାକୁ ଆସିବା ପରେ ଆଜି ଢେଙ୍କାନାଳ ଜନଶୁଣାଣି ଶିବିରରେ ଶତାଧିକ ଲୋକ କାଗଜପତ୍ର ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଦାବି ହୋଇଛି। 

ସେପଟେ ଆବାସ ଯୋଜନା କେଳେଙ୍କାରୀକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର PEOଙ୍କୁ ତାଗିଦ କରୁଥିବା ଭିଡିଓ ଦେଖାଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି। ଦଳ କହିଛି, କ୍ୟାବିନେଟ୍ ମନ୍ତ୍ରୀ ଦୁର୍ନୀତି କଥା ସ୍ୱୀକାର କରୁଥିବା ବେଳେ ନିଦା ବିଷ୍ଣୁ ସାଜିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ଏହା ମହା ଘୋଟଲା। କାରଣ ମନ୍ତ୍ରୀ କୃଷ୍ଣ ପାତ୍ର ଅଭିଯୋଗ କରୁଛନ୍ତି ୨୦ ହଜାର ଟଙ୍କା ଆଦାୟ ହେଇ ଘର ଦିଆଯାଉଛି। ସେପଟେ ବିଜେଡି ଅଭିଯୋଗକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ବାବୁ ସିଂ। ଆବାସ ଦୁର୍ନୀତି ପାଇଁ ସରକାରରୁ ଯାଇଛି ବିଜେଡି। ତାଙ୍କ ଠାରୁ ହିଁ ଆବାସ ଦୁର୍ନୀତି ଆରମ୍ଭ ହୋଇଥିଲା। ବିଜେଡି ବୃଥା ଆସ୍ଫାଳନ କରୁଛି।

ରାଜ୍ୟରେ ବିଜେପି ସରକାର ଆସିବା ପରେ ୨ ଲକ୍ଷ ୨୫ ହଜାର ଘର ବାଣ୍ଟିଛନ୍ତି। ଆଗକୁ ଆହୁରି ୩୦ ଲକ୍ଷ ଘର ବାଣ୍ଟିବା ପାଇଁ ସର୍ଭେ କରିଛନ୍ତି ସରକାର। ତେବେ ଦେଖିବାର କଥା, କେତେ ମାତ୍ରାରେ ପ୍ରକୃତ ହିତାଧିକାରୀ ଉପକୃତ ହେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।