Heartbreaking Post-Flood Scenes: ବନ୍ୟା ପରେ ଚାରିଆଡ଼େ ହୃଦୟବିଦାରକ ଚିତ୍ର, ଗୁହାଳରେ ମୁଣ୍ଡ ଗୁଞ୍ଜିଲେ ଲୋକେ
ବନ୍ୟାର ପ୍ରକୋପ କମିଛି, କିନ୍ତୁ ଯନ୍ତ୍ରଣା ଏବେ ବି ଥମିନି। ପାଣି ଛାଡ଼ୁଛି, ହେଲେ ଛାଡ଼ୁନି ସମସ୍ୟା। କେଉଁଠି ଘରଦ୍ୱାର ଉଜୁଡ଼ିଯାଇଛି, କେଉଁଠି ଲୋକେ ଆଜି ବି ପାଣିଘେରରେ ଫସି ରହିଛନ୍ତି। ବନ୍ୟା ପରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସହ ସାପ ଓ ବନ୍ୟଜନ୍ତୁଙ୍କ ଭୟରେ ଅତିଷ୍ଠ ହୋଇପଡ଼ିଲେଣି ଲୋକ । ଚାରିଆଡ଼େ ବନ୍ୟା ପରବର୍ତ୍ତୀ ହୃଦୟବିଦାରକ ଚିତ୍ର।
ଶୁଖିଲା ଆଖି, ଶୁଖିଲା ପେଟ, ଶୁଖିଲା ମନ। ଆଖି ହଳକରେ ଲୁହ ଦିଶୁନି ସତ, ହେଲେ ଛାତି ତଳେ ସତେ ଯେମିତି କୋହର ବନ୍ୟା ବହିଚାଲିଛି। ହେବନି ବା କେମିତି...ଗାଈ ଗୁହାଳଟାରେ ପରା ଜୀବନଟାକୁ ଗୁଞ୍ଜିବାକୁ ପଡ଼ିଛି। ମୁଣ୍ଡ ଉପରେ ଭଙ୍ଗା ଚାଳ, ଆଉ ପେଟକୁ ଦୁଇ ଖଣ୍ଡ ବାସି ରୁଟି ହିଁ ଭରସା ସାଜିଛି । ଇନ୍ଦ ଜେନା, ସ୍ଥାନୀୟ ବାସିନ୍ଦା ବ୍ରାହ୍ମଣୀ ବନ୍ୟାର ପଛେ ପଛେ ଏମିତି ନିଃସ୍ବ ହେଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜୀବନରେଖା। ପେଣ୍ଠପାଳ ପଞ୍ଚାୟତ କୋଳଥିଆ ଗାଁକୁ ଆଜି ବି ଘେରି ରହିଛି ପନ୍ୟାପାଣି। ସନ୍ତସନ୍ତିଆ ଘର। କେଉଁଠି କାନ୍ଥ ଭୁଶୁଡ଼ିଛି, କାହାର ଚୁଲି ଆଜି ବି ଶୁଖିନି। ମନ୍ଦିର ପରିସରରେ ମଣିଷ ଉଚ୍ଚର ପାଣି। ଆଉ ତା ଭିତରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ। ଏପରିକି ଆସନ୍ନ ପ୍ରସବା ବି ସାପ କୁମ୍ଭୀର ଭୟରେ। ବନ୍ୟା ପାଣି ଘେରି ରହିଥିବାରୁ ଡାକ୍ତରଖାନା ଯିବା ମଧ୍ୟ ସମ୍ଭବ ହେଉନି।
ବଢ଼ି ପାଣି ପୂରା ଛିଣ୍ଡିନି। ହେଲେ ଏଠି ଓଦା ସଂସାରକୁ ସଜାଡ଼ିବା ଆରମ୍ଭ କରିଦେଲେଣି ବିପନ୍ନ। କିଏ ଚୁଲି ଲିପୁଛି ତ ଆଉ କିଏ ଭଙ୍ଗା କାନ୍ଥରେ ମାଟି ନେଶି ସ୍ବପ୍ନର ଉଆସଟାକୁ ପୁଣି ଛିଡ଼ା କରୁଛି। ଭଦ୍ରକ ଧାମନଗର ବ୍ଲକ କଟସାହି ପଞ୍ଚାୟତକୁ ସପ୍ତାହେ ହେଲା ଘେରି ରହିଛି ବନ୍ୟା ପାଣି। ତା ଭିତରେ ନାହିଁ ନଥିବା ସମସ୍ୟାରେ ଘାଣ୍ଟି ହେଉଛନ୍ତି ବିପନ୍ନ। ପୁଣି ତୁହାକୁ ତୁହା ବର୍ଷା ଦୁର୍ବିସହ କରିପକାଉଛି। ଏପଟେ ସାପ ଡର ବି କିଛି କମ୍ ନୁହେଁ। ବାସୁଦେବପୁର ଓ ଧାମନଗରରେ ଘୁରି ବୁଲୁଛନ୍ତି ମାଳମାଳ ସାପ। କେଉଁଠି କାହା ଘରେ ପଶିଲେଣି ତ ଆଉ କେଉଁଠି ମାଟିତଳେ ଚୁଲି ରହିଛନ୍ତି। ଏ ଦୃଶ୍ୟ ଧାମନଗର ଦୁଲହରପୁର ଗାଁର। ପଲଙ୍କ ପଟା ତଳେ ଛକି ରହିଥିଲା ୫ ଫୁଟର ବିରାଟ ତମ୍ପ। ଯାଜପୁର ବରିର ଦୃଶ୍ୟ ତ ହୋସ ଉଡ଼ାଇଦେବା ଭଳି। କାରଣ ଏଠି ଖାଲି ସାପ ନୁହେଁ, ବନ୍ୟା ପରେ ପରେ ଘରକୁ ପଶିଆସିଛି ବାରହା।
ସେପଟେ ଯାଜପୁରରେ ଆରମ୍ଭ ହୋଇଗଲାଣି ଘାଇ ମରାମତି। କାଣୀ ନଦୀରେ ଘାଇ ମରାମତି ଜୋରସୋରରେ ଚାଲିଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ସମସ୍ତ ୭ଟି ଯାକ ଘାଇ ଠିକ୍ କରିବାକୁ ଲକ୍ଷ ରଖାଯାଇଛି। ପୁରୀ ଜିଲ୍ଲାର ୧୪ ପଞ୍ଚାୟତରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି। କଣାସ ଅଞ୍ଚଳରେ ମୋବାଇଲ ଭ୍ୟାନ୍ ୟୁନିଟ ମାଧ୍ୟମରେ ଘରକୁ ଘର ଯୋଗାଇ ଦିଆଯାଉଛି ବିଶୁଦ୍ଧ ପାନୀୟ ଜଳ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଜଗତସିଂହପୁରର ବନ୍ୟାଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।
କାଲି ଏ ବଢିପାଣି ନଥିବ, ଜୀବନର ଚଲାପଥରେ ପଟୁମାଟିର ପାଦଚିହ୍ନ ବି ନିଶ୍ଚିହ୍ନ ହୋଇଯିବ। ହେଲେ ବନ୍ୟା ଦେଇଯାଇଥିବା ଦାଗ ଲିଭେଇବାକୁ ବର୍ଷ ବର୍ଷ ଲାଗିଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।