School: ସିଓଆର୍‌ ବିନା ଖୋଲିବନି ସ୍କୁଲ: ଗଣଶିକ୍ଷା ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି

Jul 04, 2026 - 07:01
School: ସିଓଆର୍‌ ବିନା ଖୋଲିବନି ସ୍କୁଲ: ଗଣଶିକ୍ଷା ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ବର: ଏଣିକି ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌ (ସିଓଆର) ବିନା କୌଣସି ଘରୋଇ ବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ ନାହିଁ। ଆରସିଏଫ୍‌ସିଇ ଆଇନ ୨୦୦୯ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ଥିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ନୂତନ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଆଗ୍ରହୀ ଶିକ୍ଷାନୁଷ୍ଠାନ, ସଙ୍ଗଠନଗୁଡ଼ିକ ନିୟମ ପାଳନ କରିବା ବାଧ୍ୟତାମୂଳକ। ଯଦି କୌଣସି ସଂସ୍ଥା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତିକି ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

School Closed: ଲଗାଣ ବର୍ଷା ପାଇଁ ବିଦ୍ୟାଳୟ ଦୁଇଦିନ ଛୁଟି ଘୋଷଣା

ଗଣଶିକ୍ଷା ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି
ଅନୁମତି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ବାଧ୍ୟତାମୂଳକ
୪,୫୧୩ଟି ଘରୋଇ ବିଦ୍ୟାଳୟ ପାଇଛନ୍ତି ସିଓଆର୍‌

ଓଡ଼ିଶାରେ ମାଳମାଳ ଘରୋଇ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ଅଧିକାଂଶ ସିଓଆର୍‌ ପାଇନାହାନ୍ତି। ଏବେ ସୁଦ୍ଧା ମାତ୍ର ୪,୫୧୩ଟି ଘରୋଇ ବିଦ୍ୟାଳୟ ସିଓଆର୍‌ ପାଇବା ସହ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହୋଇଛନ୍ତି। ତେବେ ତଥ୍ୟ କହୁଛି ରାଜ୍ୟରେ ୭ ହଜାରରୁ ଅଧିକ ଛୋଟ, ବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ ରହିଛି। ପାଖାପାଖି ୨୫୦୦ ଘରୋଇ ବିଦ୍ୟାଳୟର ସିଓଆର୍‌ ନ ଥିବାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆକଳରେ ପଡ଼ୁଛନ୍ତି। ଏହାକୁ ନଜରରେ ରଖି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆବେଦନକାରୀ ଶିକ୍ଷାନୁଷ୍ଠାନ, ସଙ୍ଗଠନଗୁଡ଼ିକ ସୋସାଇଟିଜ୍‌ ରେଜିଷ୍ଟ୍ରେସନ ଆକ୍ଟ, ୧୮୬୦ କିମ୍ବା ଇଣ୍ଡିଆନ୍‌ ଟ୍ରଷ୍ଟସ୍‌ ଆକ୍ଟରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ବିଦ୍ୟାଳୟ ପାଇଁ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ସହ ଏକ ସୁରକ୍ଷିତ, ପରିମଳ ଓ ସୁସ୍ଥ ପରିବେଶ ରହିଥିବ। ଏଥିସହ ଶ୍ରେଣୀଗୃହ, ଶୌଚାଳୟ, ପାନୀୟଜଳ, ଖେଳପଡ଼ିଆ, ରାମ୍ପ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମେତ ପର୍ଯ୍ୟାପ୍ତ ପରିମାଣର ଜମି ରହିଥିବା ନେଇ ଆବେଦନକାରୀଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ। ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯୋଗ୍ୟ, ତାଲିମପ୍ରାପ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିୟୋଜିତ କରିବେ।

School Closed: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା; ପୁରୀ ସହରରେ ସମସ୍ତ ସ୍କୁଲ ଛୁଟି

ଆରସିଏଫ୍‌ସିଇ ଆଇନ ୨୦୦୯ର ଧାରା ୧୯ ଓ ୨୫ ଅନୁଯାୟୀ ନିୟମ ଓ ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଅନୁମତି ପାଇବା ପାଇଁ ଅତ୍ୟାବଶ୍ୟକତା ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ ହେବ ନାହିଁ। ତେବେ ଆରସିଏଫ୍‌ସିଇ ଆଇନ ୨୦୦୯ର ଧାରା ୧୮ ଅନୁଯାୟୀ ସିଓଆର୍‌ ପାଇଁ ଆବେଦନ କରି‌ବାକୁ ହେବ। ସ୍କୁଲ ଖୋଲିବା ଆବେଦନକୁ ଅନୁମୋଦନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ସୁପାରିସ କରାଯିବ। ଅନୁମୋଦନ ପରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନେ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଖୋଲିବାକୁ ଅନୁମତି ପ୍ରଦାନ କରିବେ। ବିଦ୍ୟାଳୟ ଆରସିଏଫ୍‌ସିଇ ଆଇନ ୨୦୦୯ ଓ ଓଡ଼ିଶା ଆରସିଏଫ୍‌ସିଇ ନିୟମ ୨୦୧୦ର ସମସ୍ତ ବ୍ୟବସ୍ଥା ପାଳନ କରିବେ। ଡିଇଓ ଓ ବିଇଓମାନେ ଭଲ ଭାବେ ସ୍କୁଲର ଭିତ୍ତିଭୂମି ଯାଞ୍ଚ ସୁନିଶ୍ଚିତ କରିବେ। ନିୟମ ପାଳନ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ଅଧିକାରୀମାନେ ନିୟମିତ ଭାବେ ଯାଞ୍ଚ କରିବେ। ନିୟମ ଅନୁପାଳନ ନ କଲେ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀ, ନିଷ୍ପତ୍ତି ଉପରେ ସଂଶୋଧିତ ନିର୍ଦ୍ଦେଶାବଳୀ ଲାଗୁ ହେବ। ଏହି ନିୟମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମଝିରେ ମଝିରେ ଆବଶ୍ୟକ ନିର୍ଦ୍ଦେଶାବଳୀ, ସ୍ପଷ୍ଟୀକରଣ ଜାରି ହୋଇପାରେ ବୋଲି ବିଭାଗ ସ୍ପଷ୍ଟ କରିଛି।