Mgnrega: ବନ୍ଦ ହେଲା ମନରେଗା: ବାକି ଅଛି ୩୩୮.୨ କୋଟି, ୩୬ କୋଟି ଟଙ୍କାର ମଜୁରି ବି ମିଳିନି

ସମ୍ବଲପୁର: ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟାନ୍ବୟନ ପରେ ଜୁଲାଇ ୧ ତାରିଖରୁ ବନ୍ଦ ହୋଇଗଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା। ହେଲେ ଏହି ଯୋଜନାରେ ରାଜ୍ୟରେ ୩୩୮.୨୦ କୋଟି ଟଙ୍କା ବକେୟା ରହିଛି। ସେଥିରୁ କେବଳ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ବାବଦରେ ୩୬ କୋଟି ୦୧ ଲକ୍ଷ ଟଙ୍କା ରହିଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବାକିଥିବା ପୁରୁଣା ବର୍ଷର ୨୩୩ କୋଟି ଟଙ୍କା ସହିତ ୨୦୨୬ ଆର୍ଥିକ ବର୍ଷରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା। ଯୋଜନା ବନ୍ଦ ହେବା ସୁଦ୍ଧା ୬୬୯.୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଅଧିକାଂଶ ଜିଲ୍ଲା ଆବଣ୍ଟିତ ଅର୍ଥଠାରୁ ଅଧିକ ଟଙ୍କା ଉପଯୋଗ କରିଛନ୍ତି। କେବଳ ଯାଜପୁରରେ ୪୫.୨%, ବରଗଡ଼ରେ ୯୨.୬୯%, ଦେବଗଡ଼ରେ ୯୬.୦୪%, ମାଲକାନଗିରିରେ ୯୨.୦୬% ଖର୍ଚ୍ଚ ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ମଜୁରି ସହିତ ଉପକରଣ ଖର୍ଚ୍ଚ ବକେୟା ଚିନ୍ତା ବଢ଼ାଇଛି।
୩୬ କୋଟି ଟଙ୍କାର ମଜୁରି ବି ମିଳିନି
ଦାଦନପ୍ରବଣ ଜିଲ୍ଲାରେ ସମସ୍ୟା ଅଧିକ
ଏଥିରେ କଳାହାଣ୍ଡିର ସର୍ବାଧିକ ୧୧୩.୦୮ କୋଟି, ବଲାଙ୍ଗୀରର ୧୨.୭୮ କୋଟି, ବୌଦ୍ଧର ୨.୮୯ କୋଟି, ଦେବଗଡ଼ର ୪.୬୩ କୋଟି, ଢେଙ୍କାନାଳର ୬.୪୬ କୋଟି, ଗଜପତିର ୧୧.୫୩ କୋଟି, ଗଞ୍ଜାମର ୨୨.୫୪ କୋଟି, ଝାରସୁଗୁଡ଼ାର ୧.୪୭ କୋଟି, କନ୍ଧମାଳର ୧୨.୮୨ କୋଟି, ସୁନ୍ଦରଗଡ଼ର ୧୫.୦୨ କୋଟି, ସୁବର୍ଣ୍ଣପୁରର ୩.୧୪ କୋଟି, ସମ୍ବଲପୁରର ୧.୧୪ କୋଟି, ନୂଆପଡ଼ାର ୧୨.୫୪ କୋଟି, ଅନୁଗୁଳର ୯ କୋଟି, ବାଲେଶ୍ବରର ୬.୦୬ କୋଟି, ବରଗଡ଼ର ୩.୩୬ କୋଟି, ଭଦ୍ରକର ୫.୦୬ କୋଟି ଟଙ୍କା ବକେୟା ରହିଛି। ଏଥିମଧ୍ୟରୁ ଶ୍ରମିକଙ୍କ ବକେୟାରେ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ଅର୍ଥାତ କୁଶଳୀଙ୍କ ୨.୨୪ କୋଟି ଏବଂ ଅର୍ଦ୍ଧକୁଶଳୀଙ୍କ ୩.୫୬ କୋଟି ଟଙ୍କା ବାକି ରହିଛି। ଦାଦନପ୍ରବଣ ନୂଆପଡ଼ା, ଗଞ୍ଜାମ, ସୁନ୍ଦରଗଡ଼ଠାରୁ ଆରମ୍ଭ କରି ଅଧିକାଂଶ ଜିଲ୍ଲାରେ ସମାନ ସ୍ଥିତି ରହିଛି।
Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...
ପ୍ରଶାସନିକ ସୂତ୍ର ଅନୁସାରେ, ମନରେଗାରେ କାର୍ଯ୍ୟ କରୁଥିବା କୌଣସି ଶ୍ରମିକ ଛଟେଇ ହେବେ ନାହିଁ। ବରଂ ସ୍ବତଃପ୍ରବୃତ୍ତ ଭାବରେ ମନରେଗା ‘ଭିଭିଜି ରାମଜି’ ପ୍ରକଳ୍ପକୁ ଚାଲି ଆସିବ। ମନରେଗାରେ ରାଜ୍ୟ ସରକାର ୧୯୭.୧୨ କୋଟି ଏବଂ କେନ୍ଦ୍ର ସରକାର ୮୪୩.୩୬ କୋଟି ଟଙ୍କା ଦେଇଛନ୍ତି। ମନରେଗାରେ ଦାଦନ ପ୍ରବଣ ଜିଲ୍ଲା ପାଇଁ ରାଜ୍ୟ ନିଜ ପକ୍ଷରୁ ସ୍ବତନ୍ତ୍ର ଟଙ୍କା ଆବଣ୍ଟନ କରୁଥିଲା। କିନ୍ତୁ ନୂତନ ଯୋଜନାରେ ଏହା କାର୍ଯ୍ୟକାରୀ କରାଯାଇ ନାହିଁ। କୃଷି ସମୟ ୬୦ ଦିନରେ ଏହା କାର୍ଯ୍ୟକାରୀ ହେବ ନାହିଁ। କିନ୍ତୁ ମନରେଗା ତୁଳନାରେ ‘ଭିଭିଜି ରାମଜି’ ଶ୍ରମିକ ଅଧିକ ପାଉଣା ପାଇବେ ବୋଲି ପ୍ରଶାସନ କହିଛି। ୨୦୦୬ ଫେବ୍ରୁଆରି ୨ ତାରିଖରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ କାର୍ଯ୍ୟକାରୀ ହୋଇଥିଲା। ୨୦ ବର୍ଷ ଅବଧି ମଧ୍ୟରେ ଏହି ଯୋଜନା ଉତ୍ଥାନ-ପତନ ଦେଇ ଗତି କରିଛି।
କାର୍ଯ୍ୟ ଯୋଗାଇ ନପାରିଲେ ବେକାରି ଭତ୍ତା, କାର୍ଯ୍ୟସ୍ଥଳରେ କ୍ରେଚ୍ (ଶିଶୁ ଯତ୍ନ କେନ୍ଦ୍ର) ଆଦି ନିୟମ ଥିଲେ ମଧ୍ୟ ଏହା ପାଳନ ହୋଇ ନାହିଁ। ଓଡ଼ିଶା ସରକାର ଏହାକୁ ଦାଦନ ସମସ୍ୟା ସମାଧାନର ବଡ଼ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଲକ୍ଡାଉନ୍ ସମୟରେ ଏହି ଯୋଜନା ବେଶ ଉପଯୋଗୀ ହୋଇଥିଲା। ଅନେକ ସମୟରେ ଓ ସ୍ଥାନରେ ଏହି ଯୋଜନାରେ ଦୁର୍ନୀତି ଦୁର୍ନାମ ବି ଲାଗିଲା। ଏବେ ‘ଭିଭିଜି ରାମଜି’ ଯୋଜନା ଗ୍ରାମୀଣ ରୋଜଗାର ସମସ୍ୟାର କେତେ ସମାଧାନ କରିବ ତାହା ଦେଖିବାକୁ ବାକି ରହିଲା।