School Holiday Declared: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା, ବନ୍ଦ ରହିବ ସବୁ ସ୍କୁଲ

Jul 06, 2026 - 10:02
School Holiday Declared: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା, ବନ୍ଦ ରହିବ ସବୁ ସ୍କୁଲ

ସମ୍ବଲପୁରରେ ପ୍ରବଳ ବର୍ଷା ପରେ ବିଗିଡ଼ିଲା ସ୍ଥିତି। ସମ୍ବଲପୁରରେ ଗତକାଲିଠାରୁ ଅବିରତ ବର୍ଷା ଜାରି ରହିବାରୁ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗତକାଲି ଦିନତମାମ ଓ ରାତିସାରା ସମ୍ବଲପୁରରେ ଲଗାଣ ବର୍ଷା ହୋଇଥିଲା। ଅନେକ ଘର ଭିତରକୁ ପାଣି ପଶିଥିବା ବେଳେ କିଛି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। 

ସହରର ବହୁ ଡ୍ରେନ ପୋତି ହୋଇଯିବା, ଅବରୋଧ ଓ ସଂକୁଚିତ ହୋଇପଡ଼ିଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନି। ଏହାର ପ୍ରଭାବରେ ବିଭିନ୍ନ ଜନବସତି ଅଞ୍ଚଳରେ ଏବେ ବି ପାଣି ଜମି ରହିଛି। ପରିସ୍ଥିତିର ତଦାରଖ ପାଇଁ ରାତିରେ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଅନ୍ୟାନ୍ୟ ଅଧିକାରୀ ମାନେ ସହରର ବିଭିନ୍ନ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। 

ସେହିପରି ଧନୁପାଲି ଅଞ୍ଚଳରେ ୪ ଫୁଟ୍ ଉଚ୍ଚ ପାଣି ଜମିଛି। ଏଥିରେ ଧନୁପାଲି ଥାନାଧିକାରୀ ନିଜ ଟିମ୍ ସହ ପଶି ଲୋକଙ୍କ ସ୍ଥିତି ପରଖିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମ୍ବଲପୁର ମହାନଗର ନିଗମ ଓ ଧନକଉଡ଼ା ବ୍ଲକ୍ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।