Saras Rasa: ସରସ ରସ: ଓଟିପି ପ୍ଲିଜ୍!
ଯେଉଁ ଏକ କ୍ଷୁଦ୍ର ଉପଦ୍ରବକାରୀ ଅଥଚ ଅନିମନ୍ତ୍ରିତ ହିତୈଷୀ ହେତୁ ଜୀବନ ଆମର ଆଜି ଉତ୍ପୀଡ଼ିତ, ସିଏ ହେଉଛି ଛଅ ଅଙ୍କ ବିଶିଷ୍ଟ ଗୋଟିଏ ଓଟିପି।
'ଵାନ ଟାଇମ ପାସ୍ଵାର୍ଡ' ନାମକ ଏ ଉପଦ୍ରବୀଟି ପ୍ରକୃତରେ ପାସ୍ଵାର୍ଡ ନୁହେଁ, ଏକ ପାସ୍ ନମ୍ବର।
ମନୁଷ୍ୟକୁ ଗମ୍ଭୀର ବିଶ୍ବାସ ସଙ୍କଟରେ ପକାଇ ଦେଉଥିବା ଗୋଟିଏ କ୍ଷୁଦ୍ର ସଂଖ୍ୟା।
'ଗୁଡ୍ ମର୍ଣ୍ଣିଂ' ବଦଳରେ ଦିନଚର୍ଯ୍ୟା ଆମର ଆରମ୍ଭ ହୁଏ 'ଗୁଡ୍ ଓଟିପି ମର୍ଣ୍ଣିଂ'ରୁ।
ସକାଳୁ ଉଠୁଉଠୁ ପତ୍ନୀ କହିବେ ଅଟା ସରିଯାଇଛି, ଜଳଖିଆ ହେବ କେମିତି?
ଆପଣ ମୋବାଇଲ ଖୋଲି ଅନଲାଇନରେ ଅଟା ମଗାଇବେ।
ଆବଶ୍ୟକ ହେବ ଗୋଟିଏ ଓଟିପିର।
ବନ୍ଧୁ ମୋର କାଲି ଏୟାରପୋର୍ଟରେ ସିକ୍ୟୁରିଟି ଚେକିଂରେ ଥିବାବେଳେ ଆକାଉଣ୍ଟାଣ୍ଟ ତାଙ୍କର ଫୋନ୍ କରି କହିଲା, ସାର୍, ଜିଏସଟି ପୈଠ କରୁଛି।
ଆପଣଙ୍କ ଫୋନକୁ ଓଟିପି ଯାଇଥିବ, ସେଇଟି କୁହନ୍ତୁ।
ରବିବାବୁ ଝିଅ ପାଖକୁ ଟଙ୍କା ପଠାଇବାକୁ ଫୋନ ଆପ୍ ଖୋଲିଲେ।
ଦରକାର ହେଲା ଗୋଟିଏ ଓଟିପି।
ଏଣେ ଫୋନରେ ଓଟିପିର ଦେଖା ନାହିଁ।
ଦଶ ସେକେଣ୍ଡ ପରେ ଆଉଥରେ ନୂଆ ଓଟିପି ସ୍ବୟଂ 'ରି-ସେଣ୍ଡ୍' ହେଲା।
ଏତେବେଳକୁ ପ୍ରଥମ ଓଟିପି ଆସିଗଲା, କିନ୍ତୁ ମୋବାଇଲ ଆପ୍ ସେ ପୁରୁଣା ଓଟିପି ଆଉ ଗ୍ରହଣ କଲାନି।
ଦ୍ବିତୀୟ ଓଟିପିଟି ସେତେବେଳକୁ ମଝି ରାସ୍ତାରେ।
ତିନି-ଚାରି ଥରର ଉଦ୍ୟମ ପରେ ଓଟିପି ତ ସମୟ ଥାଇ ମିଳିଗଲା, ଏଥର ଆପ୍ କହିଲା 'କ୍ୟାପ୍ଚା' ପୂରଣ କର।
ତେଢ଼ାମେଢ଼ା 'କାପ୍ଚା'କୁ ପଢ଼ି ପୂରଣ କଲାବେଳକୁ ପୁନଶ୍ଚ ନିର୍ଦ୍ଦେଶ: ଆପଣଙ୍କର ପାସ୍ଵାର୍ଡ ପୁରୁଣା ହେଲାଣି, ବଦଳାନ୍ତୁ।
ସେଥିପାଇଁ ପୁଣିଥରେ ଆବଶ୍ୟକ ଓଟିପି।
ସବୁକାମ ସରିବା ପରେ ଆଉଥରେ ଲଗଇନ୍ କର।
ସେଥିପାଇଁ ମଧ୍ୟ ଦରକାର ଓଟିପି।
ଟଙ୍କା ପଠାଇ ସାରିବା ବେଳକୁ ରବିବାବୁ ସଂପୂର୍ଣ୍ଣ ଝାଳନାଳ।
କାଲି ପଡ଼ୋଶୀଙ୍କର ହୃଦ୍ଘାତ ହୋଇ ଚେତା ହଜିଗଲା।
ଡାକ୍ତରଖାନାରେ ଆୟୁଷ୍ମାନ ସ୍ବାସ୍ଥ୍ୟ ବୀମା ସକ୍ରିୟ କରିବାପାଇଁ ଦରକାର ହେଲା ଓଟିପି।
ଫୋନ ରହିଛି ଘରେ, ତା' ପାସଵାର୍ଡ କାହାରିକୁ ଜଣାନାହିଁ।
ଅଗତ୍ୟା ଅଗ୍ରିମ ଅର୍ଥରାଶି ଜମା କରିବାକୁ ପଡ଼ିଲା।
ଥରେ ଗାଁକୁ ଯାଇ ଭାଗଚାଷୀକୁ ଖୋଜିଲା ବେଳକୁ ସେ ଯାଇ ପାହାଡ଼ ଉପରେ ବସିଛି।
କଥା କ'ଣ ନା ଗାଁରେ ନେଟୱାର୍କ ରହେନି, ପାହାଡ଼ ଚଢ଼ିଲେ ମିଳେ।
ଟଙ୍କିକିଆ ଚାଉଳ ପାଇବାପାଇଁ ଇ-କେଵାଇସି କରିବାକୁ ସେ ପାହାଡ଼ ଚଢ଼ି ଓଟିପିକୁ ଅପେକ୍ଷା କରିଛି।
କାଲି ପୁଅ ମୋପାଇଁ ଟ୍ୟାକ୍ସିଟିଏ ବୁକ୍ କରିଦେଇ ଅଫିସ ଚାଲିଗଲା।
ଟ୍ୟାକ୍ସି ଷ୍ଟାର୍ଟ କରିବା ବେଳକୁ ଡ୍ରାଇଭର ମାଗିଲା ଓଟିପି।
ଏଣେ ପୁଅ ବାଙ୍ଗାଲୋରର ଭିଡ଼ରେ ଫସିରହି ଫୋନ୍ ଉଠାଉନି।
ଓଟିପିଟା ତ ରହିଗଲା ତା' ଫୋନରେ!
ଅଗତ୍ୟା ଯାତ୍ରା ବାତିଲ କରି ଡ୍ରାଇଭର ଚାଲିଗଲା।
ଉପରୋକ୍ତ ଘଟଣାମାନ ଆପଣଙ୍କ ଜୀବନରେ କେବେ ନା କେବେ ଅବଶ୍ୟ ଘଟିଥିବ।
ଓଟିପି ଆଉ ନିରାପତ୍ତାର ବ୍ୟବସ୍ଥାଟିଏ ହୋଇ ରହିନାହିଁ ବରଂ ମାନବ ଧୈର୍ଯ୍ୟର ସୀମା ପରୀକ୍ଷା କରିବାକୁ ଡିଜିଟାଲ ଜୁଲମ ଭାବରେ ଉଭା ହେଲାଣି।
ପ୍ରତିଟି ଦେଣନେଣ ବ୍ୟାପାରରେ ନିଜ ପରିଚୟର ପ୍ରମାଣ ଦେବାକୁ ଆମ ଦେଶରେ ଓଟିପି ଏକ ବିଚିତ୍ର ଡିଜିଟାଲ ବ୍ୟବସ୍ଥା।
ଯାହାର ବ୍ୟବହାରକୁ ଏକଦା ଏକ ଡିଜିଟାଲ ଢାଲ ଭାବରେ ସୁରକ୍ଷା ପାଇଁ ଆରମ୍ଭ କରାଯାଇଥିଲା ତାହା ଏବେ ଅନାବଶ୍ୟକ ବିରକ୍ତିରେ ପରିଣତ ହେଲାଣି।
ଏସଏମଏସ ମାଧ୍ୟମରେ ଆସୁଥିବା ଅଗଣିତ ଓଟିପିର ଆଗମନ ରାସ୍ତା ମଧ୍ୟ ସୁଗମ ନୁହେଁ।
ନେଟୱର୍କ ଭିଡ, ଦୁର୍ବଳ ମୋବାଇଲ ସିଗନାଲ, ପ୍ରେରକର ସର୍ଭର ଡାଉନ ଓ ଆପ୍ରେ ସମସ୍ୟା ଇତ୍ୟାଦି ଏହାର ପଥରୋଧ କରି ଆମକୁ ପୁଣିଥରେ ସେଇ ପଚିଶ ବର୍ଷ ତଳକୁ ଠେଲି ଦେଇଛି ଏବଂ ଗୋଟିଏ ଅପ୍ରାର୍ଥିତ ଉତ୍ପୀଡ଼କ ପାଲଟି ଯାଇଛି।
ବେଳେବେଳେ ତ ସାମୁଏଲ ବେକେଟଙ୍କର 'ୱେଟିଂ ଫର୍ ଗୋଦୋ' ନାଟକରେ କେବେ ଆସୁ ନଥିବା ଗୋଦୋଙ୍କୁ ଦିଦି ଓ ଗୋଗୋର ପ୍ରତୀକ୍ଷା ପରି ଓଟିପି କଦାପି ଆସେନି କି ଆପଣଙ୍କ ପ୍ରତୀକ୍ଷାର ଅନ୍ତ ଘଟେନି।
ଅନେକ କ୍ଷେତ୍ରରେ ଅନାବଶ୍ୟକ ମନେହୁଏ ଏ ବ୍ୟବସ୍ଥା।
ଆର୍ଥିକ କାରବାରରେ ନିରାପତ୍ତା ଦୃଷ୍ଟିରୁ ଏହାର ଆବଶ୍ୟକତାକୁ ତ ବୁଝିହୁଏ, ମାତ୍ର ଖାଦ୍ୟ ଓ ସାମଗ୍ରୀ ମଗାଇବା, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବା, ଟ୍ୟାକ୍ସି ବୁକିଂ, ଅନଲାଇନରେ ଆସୁଥିବା ସାମଗ୍ରୀ ଗ୍ରହଣ, ରେଳ ଟିକଟ ବୁକିଂ, ପ୍ରଦୂଷଣ ପ୍ରମାଣ ପତ୍ର ପ୍ରସ୍ତୁତି, ସରକାରୀ ମଣ୍ଡିରେ ଶସ୍ୟ ବିକ୍ରୟ ଇତ୍ୟାଦି ଶୂନ୍ୟ ବିପଦ ଥିବା କାର୍ଯ୍ୟରେ ଏହାର ବ୍ୟବହାର ସଂପୂର୍ଣ୍ଣ ଉଦ୍ଭଟ ମନେହୁଏ।
ଗାଁର ଲୋକ, ଏକାକୀ ରହୁଥିବା ବୟସ୍କମାନେ ଓଟିପି ଉପଦ୍ରବର ମାତ୍ରାଧିକ ଶିକାର, କାରଣ ଗାଁରେ ନେଟୱର୍କ ସମସ୍ୟା ଥାଏ ଏବଂ ବୟସ୍କମାନେ ଏହାର ଠିକ୍ ପ୍ରୟୋଗ ନଜାଣି ଠକାମିରେ ପଡ଼ନ୍ତି।
ଦେଶ ଆମର ଡିଜିଟାଲ କାରବାରରେ ଉଲ୍ଲେଖଯୋଗ୍ୟ ଅଗ୍ରଗତି କରିଛି ସତ, ମାତ୍ର ଆମେ ଆମର ସାଧାରଣ ଜନତାଙ୍କୁ ପଛରେ ଛାଡ଼ିଦେଉଛୁ।
ସେମାନେ ସମୟ ସମୟରେ ଓଟିପି, କ୍ୟାପ୍ଚା ଓ ପ୍ରମାଣୀକରଣ ଜନିତ ପ୍ରତିବନ୍ଧକର ଅନ୍ଧଗଳିରେ ଫସି ରହୁଛନ୍ତି ଏବଂ ପ୍ରତାରଣାରେ ପଡ଼ି ସର୍ବସ୍ବ ହରାଉଛନ୍ତି।
ସୁରକ୍ଷା ନିଃସନ୍ଦେହରେ ଗୁରୁତ୍ବପୂର୍ଣ୍ଣ ମାତ୍ର ସୀମାତିରିକ୍ତ ସୁରକ୍ଷା ଜୀବନକୁ ସ୍ଥାଣୁ କରିଦେଉଛି।
ପାଶ୍ଚାତ୍ୟ ଦେଶମାନଙ୍କରେ ଏସଏମଏସ ଆଧାରିତ ଓଟିପି ଅପେକ୍ଷାକୃତ ଗୌଣ କାର୍ଯ୍ୟରେ ବ୍ୟବହାର ହୁଏ।
ବିପଦ ରହିଥିବା ଦୈନିକ କାର୍ଯ୍ୟ ପାଇଁ ସେମାନେ ବ୍ୟବହାର କରନ୍ତି 'ପୁସ୍ ବିଜ୍ଞପ୍ତି', 'ହାର୍ଡୱେର କି' ଏବଂ 'ଆପ୍ ଆଧାରିତ ସଫ୍ଟ ଟୋକନ' ଇତ୍ୟାଦି।
ଆମ ଦେଶରେ ସେହିପରି କିଛି ବ୍ୟବସ୍ଥା ଅଥବା ବାୟୋମେଟ୍ରିକ୍ ଆଧାରିତ ପ୍ରମାଣୀକରଣର ପ୍ରଚଳନ ହେବା ଉଚିତ ଯାହା ଫଳରେ ଓଟିପି ଉପଦ୍ରବରୁ ରକ୍ଷା ମିଳିବ।
ଓଟିପି ଏମିତି ଏକ ବେଦନା ଯାହାର ବାସ୍ତବତା ହେଉଛି ପ୍ରଥମେ ତାକୁ ପାଇବା ପାଇଁ ପ୍ରାର୍ଥନା କର ଏବଂ ପରେ ଲୁଚାଇ ରଖି ଭୁଲିଯିବାର ସଂକଳ୍ପ ନିଅ।
ହେ, ମୋର ନିତ୍ୟ ଅତିଥି ଓଟିପି! “ତୁମ୍ ନହିଁ ଜାନୋଗେ ଉସ୍ ଦର୍ଦ କି ହକିକତ୍ / ଜିସମୈଁ ପହଲେ ପାନେ କି, ଔର ଫିର ଭୁଲ ଜାନେ କି ଦୁଆ କି ଜାୟେ”।
ଏହାର କବି କିଏ ପଚାରନ୍ତୁନି, ଜାଣିବାକୁ ପୁଣି ଗୋଟିଏ ଓଟିପି ଦରକାର ହେବ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୩୩୭୬୪୮୬୩୮ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
