Sambalpur: ବର୍ଷାରେ ସମ୍ବଲପୁର ବେହାଲ: ଅନେକ ସ୍ଥାନ ଜଳାର୍ଣ୍ଣବ, ଭୁଶୁଡ଼ିଲା ଘରକାନ୍ଥ
"ସମ୍ବଲପୁର: ଗତ କିଛିଦିନ ହେଲା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ ଗତକାଲିଠାରୁ ବୃଷ୍ଟିପାତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି।
ଜିଲ୍ଲା ଜରୁରିକାଳୀନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ବୃଷ୍ଟିପାତର ପରିମାଣ ୧୨୦ ମିମିରୁ ଅଧିକ ରହିଛି।
ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିବା ବେଳେ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସ୍ଥିତି ଉପୁଜିଛି।
ସ୍ଥିତିକୁ ଆଖି ଆଗରେ ରଖି ଆଜି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା।
ବିଭିନ୍ନ ସ୍ଥାନରେ ଘର ପୁରୁଣା କାନ୍ଥ ଧସିଯାଇଥିବା ବେଳେ ପଡ଼ୋଶୀ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କୁ ଉଦ୍ଧାର କରିଛନ୍ତି।
ଗତକାଲି ରାତିରେ ସହରର ରାମଗଡ଼ ପଡ଼ାରେ ଥିବା ବାସନ୍ତୀ ଓରାମ (୫୫)ଙ୍କ ଘର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସହରର ମୁକୁଳା ନାଳୀରେ ପଡ଼ି ଗୋରୁଗାଈଙ୍କ ମୃତ୍ୟୁ ଘଟଣା ବି ସାମନାକୁ ଆସିଛି।
ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି।
ଏହି ସ୍ଥିତି ଜାରି ରହିଲେ ଡ୍ୟାମ୍ର ଅଧିକ ଗେଟ୍ ଖୋଲିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରନ୍ତି।
Advertisment ଅନେକ ସ୍ଥାନ ଜଳାର୍ଣ୍ଣବ, ଭୁଶୁଡ଼ିଲା ଘରକାନ୍ଥଫୁଲିଲାଣି ଖର୍ଲା ଓ ଭେଡ଼େନ ନଈବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର କେବଳ ସମ୍ବଲପୁର ସହର ନୁହେଁ, ଅବିଶ୍ରାନ୍ତ ବର୍ଷା କାରଣରୁ ଗ୍ରାମାଞ୍ଚଳରେ ସ୍ଥିତି ସଙ୍ଗିନ ହୋଇପଡ଼ିଛି।
ଯୁଯୁମୁରା ବ୍ଲକ୍ରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି।
ଜମନକିରା ବ୍ଲକ୍ର ଫାଶୀମାଲ ପଞ୍ଚାୟତରେ ଲୋକଙ୍କ ଘର କାନ୍ଥ ଧସିଥିବାବେଳେ କୁଚିଣ୍ଡା ବ୍ଲକ୍ର ଉଭୟ ପାର୍ଶ୍ବରେ ପ୍ରବାହିତ ଖର୍ଲା ଓ ଭେଡ଼େନ ନଦୀ ଫୁଲିଲାଣି।
ଯୁଯୁମୁରା ବ୍ଲକ୍ ସମେତ ଜିଲ୍ଲାର ପ୍ରାୟ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଚାଷଜମିଗୁଡ଼ିକରେ ବର୍ଷାପାଣି ଭର୍ତ୍ତି ହୋଇଗଲାଣି।
ଚଳିତବର୍ଷ ଭଲ ବର୍ଷା ଯୋଗୁଁ ଚାଷୀମାନେ ନିକଟରେ ତଳି ରୋଇବା କାମ ଶେଷ କରିଥିବା ବେଳେ ଜମିରେ ଅତ୍ୟଧିକ ପାଣି ଜମି ରହିଲେ ତଳି ପଚିଯିବାର ଆଶଙ୍କା ଦେଖାଦେଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ସମ୍ବଲପୁର ସହରରେ ଏସ୍ଏମ୍ସି ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।
ହୀରାକୁଦ ଜଳସ୍ତର ୬୧୩.୭୭ ଫୁଟ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୭୭ ଫୁଟକୁ ବୃଦ୍ଧି ପାଇଛି।
ଏଥିସହିତ ଖୋଲାଯାଇଥିବା ଗେଟ୍ ସଂଖ୍ୟା ୨ରେ ରହିଛି।
ଏଥିରେ ବାମପାର୍ଶ୍ବର ୧ ଏବଂ ଡାହାଣ ପାର୍ଶ୍ବର ୧ ଗେଟ୍ ରହିଛି।
ଗତବର୍ଷ ଏହି ସମୟରେ ୬୧୫.୨୭ ଫୁଟ ଜଳସ୍ତର ରହିଥିଲା।
ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୬୨ ହଜାର ୩୨୭ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୬୨ ହଜାର ୦୨୨ କ୍ୟୁସେକ୍ ନିଷ୍କାସିତ ହେଉଥିଲା।
ସ୍ପିଲ୍ୱେ ଦେଇ ୩୦ ହଜାର ୩୨୪ କ୍ୟୁସେକ୍, ପାୱାର ଚ୍ୟାନେଲ୍ ଦେଇ ୨୯ ହଜାର ୧୫୦ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲ୍ ଦେଇ ୨୩୦୧ କ୍ୟୁସେକ୍ ପାଣି ଛଡ଼ାଯାଉଥିଲା।
ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍ଷ୍ଟେସନ୍ଗୁଡ଼ିକ ମଧ୍ୟରୁ ପର୍ଥଲାରେ ୧ ଲକ୍ଷ ୨୫ ହଜାର ୦୨୧ କ୍ୟୁସେକ୍, ଖଇରମାଳରେ ୩ ଲକ୍ଷ ୭୫ ହଜାର କ୍ୟୁସେକ୍, ବରମୂଳରେ ୩ ଲକ୍ଷ ୯୨ ହଜାର ୫୦୦ କ୍ୟୁସେକ୍ ଓ ମୁଣ୍ଡଳିରେ ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପରମୁଣ୍ଡରେ ୩୪.୯୬ ମିଲିମିଟର ଏବଂ ତଳମୁଣ୍ଡରେ ୨୪.୨୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।