Salandi river: ଧସିଲା ସାଳନ୍ଦୀ ନଦୀବନ୍ଧ, ବୁଡ଼ିଲା ୫ ପଞ୍ଚାୟତ
"ହରିହର ନାୟକ ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ ନଦୀର ବନ୍ୟା ଅର୍ଣ୍ଣପାଳ ପଞ୍ଚାୟତରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି।
ମଳିକସାହି ନିକଟରେ ନଦୀବନ୍ଧ ପ୍ରାୟ ୩୫ ଫୁଟ ଧସିଯିବା ଫଳରେ ଗୁରୁବାର ରାତିରେ ବନ୍ୟାଜଳ ଗାଁ ଭିତରକୁ ମାଡ଼ିଆସିଥିଲା।
ଚାଷଜମି ଓ କଚ୍ଚାଘରଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା।
ସକାଳ ହେବା ବେଳକୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା।
ନଦୀବନ୍ଧ ଭାଙ୍ଗିବା ଯୋଗୁଁ ଅର୍ଣ୍ଣପାଳ ସମେତ ବିଲଣା, ବୋଡ଼କ, ବାରୁଆ ଓ ତଳଗୋପବିନ୍ଧା ପଞ୍ଚାୟତର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।
ଅର୍ଣ୍ଣପାଳର ଶରତ ଜେନା, ଟରୁ ଜେନା, ସଦାଶିବ ନାୟକ, ସୁର୍ବଳ ଜେନା ପ୍ରମୁଖଙ୍କ ଘର ବନ୍ୟାପାଣିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।
ପ୍ରାୟ ୧୫ ହଜାର ଲୋକ ବନ୍ୟା କବଳରେ ଥିବାବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।Advertisment ରାସ୍ତାଘାଟ ଧୋଇଯିବାରୁ ଏକାଧିକ ଅଞ୍ଚଳକୁ ପହଞ୍ଚିବା କଷ୍ଟକର ହୋଇପଡ଼ିଛି।
ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ସ୍କୁଲ୍ ଘର ଓ ଭାଗବତ ଟୁଙ୍ଗିରେ ଆଶ୍ରୟ ନେଇଛନ୍ତି।
ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ବିପନ୍ନମାନେ ଅଭିଯୋଗ ଆଣିଛନ୍ତି।
ଆବଶ୍ୟକ ଔଷଧ, ପଲିଥିନ୍ ଓ ବିଶୁଦ୍ଧ ପାନୀୟଜଳର ଅଭାବ ଦେଖାଦେଇଛି।
ବନ୍ୟାପାଣି ଜମି ରହିଥିବାରୁ ସାପ ଭୟ ମଧ୍ୟ ଲୋକଙ୍କ ଚିନ୍ତା ବଢ଼ାଇଛି।
ଅର୍ଣ୍ଣପାଳ ପଞ୍ଚାୟତ ଭକ୍ତି ବ୍ରହ୍ମପୁର ଗ୍ରାମର ରମାକାନ୍ତ ନାୟକ କହିଛନ୍ତି, "ଘରେ ପାଣି ପଶିଥିବାରୁ ଚୁଲି ଜଳୁନାହିଁ।
ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି।
ସବୁ ନଳକୂଅ ଅଚଳ ଥିବାରୁ ପିଇବା ପାଣି ପାଇଁ ନାନା ହଇରାଣ ହେବାକୁ ପଡ଼ୁଛି।
ପ୍ରଶାସନର ସହାୟତା ଆବଶ୍ୟକତା ତୁଳନାରେ ଖୁବ୍ କମ୍।" ସେହିପରି, ଗୋପବନ୍ଧୁ ଜେନା କହିଛନ୍ତି, "ଶୁକ୍ରବାର ସକାଳେ ଗାଁ"ର ଯେଉଁ ଦୃଶ୍ୟ ଦେଖିଲି, ତାହା ବର୍ଣ୍ଣନା କରିବା ସହଜ ନୁହେଁ।
ଚାରିଆଡ଼େ ପାଣି ଆଉ ପାଣି।
ଯିଏ ଯେଉଁଆଡ଼େ ପାରୁଥିଲେ ଜିନିଷପତ୍ର ଧରି ଦୌଡ଼ୁଥିଲେ।
ଯାହା କିଛି ସମ୍ଭବ ହେଲା ଘର ଭିତରୁ ବାହାର କରି ସୁରକ୍ଷିତ ଜାଗାରେ ରଖିଲି।
ବନ୍ୟାକୁ ୩୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି।
ପାଣି କମିଥିଲେ ମଧ୍ୟ ଆମମାନଙ୍କ ଦୁର୍ଦ୍ଦଶା କମିନାହିଁ।
କେହି ସରକାରୀ ଅଧିକାରୀ ଆସି ନାହାନ୍ତି କି ସରକାରୀ ସହାୟତା ମିଳିନି।
ଭାଗ୍ୟକୁ ଆଦରି ଯାହା ପଡ଼ିରହିଛୁ।" ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନଦୀବନ୍ଧ ନିର୍ମାଣ ହୋଇଥିଲା।
ତେବେ ପ୍ରଥମ ବନ୍ୟାରେ ଏହା ଧସିଯିବାରୁ ଲୋକେ ଗୁରୁତର ପ୍ରଶ୍ନ କରିଛନ୍ତି।
ଏହା ସହିତ ବନ୍ୟାବିପନ୍ନମାନେ କ୍ଷୟକ୍ଷତିର ସଠିକ୍ ଆକଳନ, ବିଶୁଦ୍ଧ ପାନୀୟଜଳ, ଔଷଧ, ପଲିଥିନ୍ ଓ ଅତିକମ୍ରେ ଆଉ ୭ ଦିନ ରନ୍ଧାଖାଦ୍ୟ ଯୋଗାଇବା ସହ ବନ୍ଧ ଭୁଶୁଡ଼ିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି ରଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।