Sailors Rescued: ୧୯ ଭାରତୀୟ ନାବିକ ୟେମେନରୁ ସୁରକ୍ଷିତ ଉଦ୍ଧାର: ଭାରତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ
ସାନା: ଗତ ଦୁଇ ସପ୍ତାହ ଧରି ୟେମେନର ହୋଦେଇଦା ଏବଂ ରାଜଧାନୀ ସାନାରେ ଫସି ରହିଥିବା ୧୯ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ୟେମେନରେ ଥିବା ଭାରତୀୟ ଦୂତାବାସ ସଫଳ ଉଦ୍ଧାର କାର୍ଯ୍ୟକୁ ନିଶ୍ଚିତ କରି କହିଛି ଯେ, ସମସ୍ତ ନାବିକଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ସେମାନଙ୍କର ଭାରତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ସେୟାର କରି ଲେଖିଛି ଭାରତୀୟ ନାବିକମାନେ ସୁରକ୍ଷିତ ଭାବରେ ଘରକୁ ଫେରୁଛନ୍ତି। ଏହି କଷ୍ଟକର ପରିସ୍ଥିତିରେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସହାୟତା ପାଇଁ ଦୂତାବାସ ସମସ୍ତ ସମ୍ପୃକ୍ତ ପକ୍ଷ ଏବଂ ସ୍ଥାନୀୟ ପ୍ରଶାସନକୁ କୃତଜ୍ଞତା ଜଣାଇଛି।
ଭାରତୀୟ ଡଙ୍ଗାକୁ ଟାର୍ଗେଟ କରିଥିଲେ
ୟେମେନ ଉପକୂଳରେ ଏକଡଙ୍ଗା ଦୁର୍ଘଟଣାର କିଛି ଦିନ ପରେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ମିଶନ ଅକ୍ଟୋବର ୨୩ ତାରିଖରେ ରିପୋର୍ଟ କରିଥିଲା ​​ଯେ ହୋଦେଇଦାହ ଉପକୂଳରେ ଡଙ୍ଗାରେ ଥିବା ସମସ୍ତ ୧୪ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ଦୂତାବାସ ଏହି ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି। ପୂର୍ବରୁ ଆରବ ଗଣମାଧ୍ୟମରେ ହୁତି ବିଦ୍ରୋହୀ ମୁଖପାତ୍ର ୟାହ୍ୟା ସାରିଙ୍କ ମନ୍ତବ୍ୟ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ସାଉଦି ସେନା ଲୋହିତ ସାଗରର ୟୁକାର ଦ୍ୱୀପ ନିକଟରେ ଏକ ଭାରତୀୟ ଡଙ୍ଗାକୁ ଟାର୍ଗେଟ କରିଥିଲେ। ହୁତି ବାହିନୀ ଏଥିରେ ଥିବା ୧୪ ଭାରତୀୟଙ୍କୁ ଉଦ୍ଧାର କରିଥିଲେ। ପ୍ରଶାସନିକ ସ୍ତରରେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଡଙ୍ଗାରେ ଥିବା ୧୪ ଭାରତୀୟ ରବିବାର ଉଦ୍ଧାର ହୋଇଥିବା ୧୯ ନାବିକଙ୍କ ମଧ୍ୟରେ ଅଛନ୍ତି କି ନାହିଁ।
ୟେମେନରେ ଭାରତୀୟ ନାଗରିକ ଫସି ରହିବା ଘଟଣା ଏହି ଅଞ୍ଚଳରେ ନୂତନ ହିଂସା ମଧ୍ୟରେ ଆସିଛି। ସାଉଦି ଆରବ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଗତ କିଛି ଦିନ ମଧ୍ୟରେ ତୀବ୍ର ହୋଇଛି। ସାଉଦି ସେନା ଆକାଶ ମାର୍ଗରେ ହୁତି ମିସାଇଲ ଏବଂ ଡ୍ରୋନ୍ଗୁଡ଼ିକୁ ନଷ୍ଟ କରିଦେଇଛି। ଅପରପକ୍ଷରେ ସାଉଦି ନେତୃତ୍ୱାଧୀନ ମେଣ୍ଟ ୟେମେନରେ ବିମାନ ଆକ୍ରମଣ କରିଛି। ସଦ୍ୟତମ ସାମରିକ ସଂଘର୍ଷ ୨୦୨୨ ଶାନ୍ତି ଚୁକ୍ତିନାମା ଭଙ୍ଗହେବା ସହ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ପୁଣି ଆରମ୍ଭ ହେବାର ଆଶଙ୍କା ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
