RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ
ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ ପକ୍ଷରୁ କୁହାଯାଇଛି ଯେ, ସେ ମୁମ୍ବାଇରେ ଦେଶର ‘ଜେନ୍-ଜି’ (Gen-Z) ଏବଂ ‘ଜେନ୍ ଆଲଫା’ (Gen Alpha) ଙ୍କୁ ସମ୍ବୋଧିତ କରିବେ।
ଏହି କାର୍ଯ୍ୟକ୍ରମ ‘ଇଣ୍ଡିଆଜ୍ ଇଣ୍ଟରନ୍ୟାସନାଲ୍ ମୁଭମେଣ୍ଟ ଟୁ ୟୁନାଇଟ୍ ନେସନ୍ସ’ (I.I.M.U.N.) ର ୧୫ଶ ବାର୍ଷିକୋତ୍ସବ ଏବଂ ଏହାର ବାର୍ଷିକ ଚାମ୍ପିୟନସିପ୍ କନଫରେନ୍ସର ଉଦ୍ଘାଟନୀ ସମାରୋହ ଅବସରରେ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଦେଶର ୧୦୦ରୁ ଅଧିକ ସହରରୁ ୧୫ରୁ ୧୯ ବର୍ଷ ବୟସର ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ।
IIMUN ହେଉଛି ଯୁବକମାନଙ୍କ ଦ୍ୱାରା ପରିଚାଳିତ ଏକ ମଞ୍ଚ, ଯାହା ଭାରତର ୨୭୫ଟି ସହର ଏବଂ ୪୦ରୁ ଅଧିକ ଦେଶରେ ବ୍ୟାପିଛି। ଆରଏସଏସ ଅନୁଯାୟୀ, ଏହି ସଂଗଠନ ୨୦୧୧ ମସିହାରେ ପ୍ରତିଷ୍ଠା ହୋଇଥିଲା, ଯାହାକୁ ୧୫ରୁ ୨୪ ବର୍ଷର ଯୁବବର୍ଗ ପରିଚାଳନା କରନ୍ତି। ଏହାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ୭.୫ କୋଟିରୁ ଅଧିକ ଯୁବକ ଏବଂ ୧.୫ ଲକ୍ଷରୁ ଅଧିକ ସ୍କୁଲ-କଲେଜ ଯୋଡ଼ି ହୋଇସାରିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ମୁଦ୍ଦା ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଉଠିଛି। ବିରୋଧୀ ଦଳ ଏହାକୁ ‘Gen-Z ଆନ୍ଦୋଳନ’ ବୋଲି କହିଥିଲେ। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକର କହିବା କଥା ଯେ, Gen-Z ସରକାରଙ୍କୁ ବାଧ୍ୟ କରିଥିଲେ, ଯାହା ଫଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦିଲ୍ଲୀ ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ୫ ଥର Gen-Z ଙ୍କ ସହ ସୀଧାସଳଖ କଥା ହୋଇସାରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।