Rising Mahanadi Water Levels trigger flood fears: ଫୁଲୁଛି ମହାନଦୀ, ତଳମୁଣ୍ଡରେ ବନ୍ୟା ଆଶଙ୍କା ବଢ଼ିଲା
ଭାସୁଛି ସମ୍ବଲପୁର ସହର...ବୁଡ଼ିବାକୁ ବସିଲାଣି ବୌଦ୍ଧ...ଜଳବନ୍ଦୀର ଯନ୍ତ୍ରଣା ଭିତରେ ଛଟପଟ ସୁବର୍ଣ୍ଣପୁର...କେଉଁଠି ନନଷ୍ଟପ୍ ବର୍ଷା ମାଡ଼ରେ ନାକେଦମ୍ ଲୋକେ ତ ଆଉ କେଉଁଠି ଭରା ନଇଁରୁ ଜୀବନ ବଞ୍ଚାଇବାକୁ ସଂଘର୍ଷ...ମହାନଦୀ ତଳମୁଣ୍ଡର ଜନବସତି ଇଲାକାରେ ଏବେ ଏଭଳି ସ୍ଥିତି। ଦିନେ କି ୨ ଦିନ ନୁହଁ। ଆଜିକୁ ୧୧ ଦିନ ହେଲା ମଣିଷ ତ ମଣିଷ ଠାକୁର ବି ଜଳବନ୍ଦୀ। ଯେମିତି ମହାନଦୀ କୂଳରେ ଥିବା ସୁବର୍ଣ୍ଣପୁରର ଗୋକନେଶ୍ବର ମନ୍ଦିର। ଅଣ୍ଟାଏ ଉଚ୍ଚରେ ଲହଡ଼ି ଭାଙ୍ଗୁଛି ପାଣି। ବୁଡ଼ିଯାଇଛନ୍ତି ବାବା ଗୋକନେଶ୍ବର। ନା ପୂଜାବିଧି ହୋଇପାରୁଛି ନା ଶ୍ରଦ୍ଧାଳୁ ଦର୍ଶନ କରିପାରୁଛନ୍ତି। ଯେଉଁଠି ଠାକୁରଙ୍କ ଅବସ୍ଥା ବେହାଲ୍, ସେଠାରେ ବା ମଣିଷଙ୍କ କଥା ପଚାରେ କିଏ। ଡୁଙ୍ଗୁରିପାଲି ବ୍ଲକ ଦିଗସିରା କପାସିରାରେ ସେତୁ ନିର୍ମାଣ କାମବେଳେ ବନ୍ୟାପାଣି ମାଡ଼ି ଆସି ଘେରାବନ୍ଦୀ କରିଦେଲା ୨୦ ଶ୍ରମିକଙ୍କୁ। ସୌଭାଗ୍ୟକୁ ଅଗ୍ନିଯୋଦ୍ଧା ପହଞ୍ଚି ତୁରନ୍ତ ସୁରକ୍ଷିତ ଉଦ୍ଧାର କରିଥିଲେ।
ତେଣେ ଲଗାଣ ବର୍ଷାରେ ଫୁଲୁଛି ମହାନଦୀ, ବୌଦ୍ଧରେ ଦ୍ରୁତ ଗତିରେ ବଢ଼ୁଛି ଜଳସ୍ତର। ଜଳସେଚନ ବିଭାଗ ଆଇବି ନିକଟରେ ଥିବା ସତର୍କ ସଙ୍କେତ ୮୬.୮୦ ମିଟରକୁ ଟପି ୮୭.୩୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଅର୍ଥାତ ଭୟ ବଢ଼ାଇଛି ମହାନଦୀ। ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଥିବାରୁ ନଦୀକୂଳିଆ ଇଲାକାରେ ପ୍ରଶାସନ ହାଇଆଲର୍ଟ ଜାରି କରିବା ସହ ଆଗୁଆ ସତର୍କ କରିଦେଇଛି। ୩ ଦିନର ଲଗାଣ ବର୍ଷା ଭିତରେ ଏଭଳି ନଦୀ ଫୁଲିବା ସହ ଡ୍ରେନେଜ୍ ସମସ୍ୟା ଭିତରେ ସାଂଘାତିକ ଜଳଯନ୍ତ୍ରଣା ଭୋଗୁଛନ୍ତି ବୌଦ୍ଧ ସହରବାସିନ୍ଦା। ନା ଘରୁ ବାହାରି ହେଉଛି ନା ଘରକୁ ଯାଇ ହେଉଛି। ଟୁଟୁସିଙ୍ଗା ବ୍ରିଜ୍ ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସେପଟେ ହରଭଙ୍ଗା ବ୍ଲକ୍ ମହୁଲପାଲି ଗାଁରେ ଅଳ୍ପକେ ବଞ୍ଚିଯାଇଛି ଜୀବନ। ପ୍ରାୟ ୨୦୦ ବର୍ଷ ତଳର ପୁରୁଣା ବିରାଟ ପିପ୍ପଳ ଗଛ ପଡ଼ି ମାଟିରେ ମିଶିଯାଇଛି ଘରଦ୍ବାର। ତାହାରି ଭିତରେ ଚାପି ହୋଇଯାଇଥିଲେ ଲୋକେ। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।
ଏଣେ ସୁବର୍ଣ୍ଣପୁର କପାସିରା ରାସ୍ତାର ଗୁଡ଼ହାଣ୍ଡି ଜୋରର ଜଳପ୍ରଳୟର ଚିତ୍ର। ତାହାରି ଭିତରେ ବାଇକ୍ ସହ ଭାସିଯାଉଥିଲେ ଯୁବକ I କିନ୍ତୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲୋକେ I ମହାନଦୀ ଅବବାହିକାର ଜିଲ୍ଲା ଗୁଡ଼ିକରେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି। ଏବେ ହୀରାକୁଦରୁ ୨ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି। ତେଲ ନଦୀ ବେସିନ ସହ ବଲାଙ୍ଗୀର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବ। ଫଳରେ ୩୧ ତାରିଖ ସୁଦ୍ଧା ମହାନଦୀର ତଳି ଅଂଚଳ ଏବଂ ଦୟା ନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ। ଫଳରେ ପୁରୀ ଜିଲ୍ଲାର ନିମାପଡ଼ା, କଣାସ, ଗୋପ, ଅସ୍ତରଙ୍ଗ ଅଂଚଳରେ ବନ୍ୟା ପାଣି ପଶିବ।
ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ଭଳି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ମହାନଦୀ ଫୁଲିବା ସହ ଅନେକ ସ୍ଥାନରେ ବିପଦ ସଙ୍କେତ ଟପିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।