Rath Yatra In Gajapati: ଲକ୍ଷାଧିକ ଭକ୍ତଙ୍କ ସମାଗମ; ମହିଳାଙ୍କ ହାତରେ ଟଣାହେଲା ଦର୍ପଦଳନ

Jul 16, 2026 - 21:51
Rath Yatra In Gajapati: ଲକ୍ଷାଧିକ ଭକ୍ତଙ୍କ ସମାଗମ; ମହିଳାଙ୍କ ହାତରେ ଟଣାହେଲା ଦର୍ପଦଳନ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗୁରୁବାର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଭକ୍ତି, ଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।

ରଥଯାତ୍ରା ଅବସରରେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନି, ଭଜନ ଓ ସଂକୀର୍ତ୍ତନରେ ସମଗ୍ର ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।

Advertisment ଗୁରୁବାର ପୂର୍ବାହ୍ନରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିରରେ ସେନାପଟା ଓ ପାରମ୍ପରିକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ପରେ ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଓ ତା'ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା।

ପରମ୍ପରା ଅନୁଯାୟୀ ରାଜପ୍ରାସାଦରୁ ପାଲିଙ୍କିରେ ଆସି ଗଜପତି କଲ୍ୟାଣୀ ଦେବୀ  ତିନି ରଥ ଉପରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।

ଅପରାହ୍ନ ପ୍ରାୟ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।

ମା' ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ହଜାର ହଜାର ମହିଳା ଓ ଯୁବତୀ ଉତ୍ସାହର ସହ ଟାଣିଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଅଗଣିତ ଭକ୍ତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।

ସକାଳେ ପାଗ ମେଘୁଆ ରହିଥିଲେ ମଧ୍ୟ ମଧ୍ୟାହ୍ନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଥିଲା।

ତେବେ ପାଗ ଅନୁକୂଳ ଥିବାରୁ  ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା।

ସନ୍ଧ୍ୟା ପ୍ରାୟ ୮ଟା ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚାବାଡ଼ିରେ ପହଞ୍ଚିଥିଲା।

ଯାତ୍ରାକୁ ସୁରକ୍ଷିତ ଓ ସୁଚାରୁ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ବଳ, ପ୍ରଶାସନିକ ଅଧିକାରୀ, ଯାତ୍ରା କମିଟି ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନେ ନିୟୋଜିତ ଥିଲେ।

ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ପାଣି ସିଞ୍ଚନ କରାଯାଇଥିବା ବେଳେ ଜରୁରୀ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମୁତୟନ ରହିଥିଲା।

ଏଥିସହ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।

ଦିନ ତମାମ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଉପସ୍ଥିତ ରହି ପହଣ୍ଡି ରଥ ଟଣା ଓ ଅନାନ୍ୟ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।