SRPF Constable Kills Self: ଲୋକ ଭବନରେ ଜୀବନ ହାରିଲେ ଡ୍ୟୁଟିରେ ଥିବା କନେଷ୍ଟବଳ, ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରିଦେଲେ
ଲୋକ ଭବନରେ ଜୀବନ ହାରିଲେ କନେଷ୍ଚବଳ
ଭାରତରେ ଦିନକୁ ଦିନ ଅପରାଧ ଏବଂ ଅପରାଧୀ ସଂଖ୍ୟା ବଢିଥିବା ବେଳେ ଆତ୍ମହତ୍ୟା ମଧ୍ୟ ବଢିବାରେ ଲାଗିଛି। ପୁଣି ଆଉ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଷ୍ଟେଟ୍ ରିଜର୍ଭ ପୋଲିସ ଫୋର୍ସ (SRPF)ର କନଷ୍ଟେବଳ ଗାର୍ଡ ଡ୍ୟୁଟିରେ ନିୟୋଜିତ ଥିଲେ ଏବଂ ସେ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ଦକ୍ଷିଣ ମୁମ୍ବାଇ ପୋଶ୍ ମାଲାବାର ହିଲ୍ ଅଞ୍ଚଳରେ ଘଟିଛି। ମୃତ କନେଷ୍ଟବଳ ଜଣକ ହେଲେ ୨୬ ବର୍ଷୀୟ କୌସ୍ତୁଭ ସାଙ୍ଗଲେ।
ମାଲାବାର ହିଲ୍ ଥାନାର ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କୌସ୍ତୁଭ କୋଲହାପୁର ଜିଲ୍ଲାର SRPF ଗ୍ରୁପ୍–୧୬ରେ କାର୍ଯ୍ୟ କରୁଥିଲେ। ସେ ଦକ୍ଷିଣ ମୁମ୍ବାଇର ପୋଶ୍ ମାଲାବାର ହିଲ୍ ଅଞ୍ଚଳରେ ଅବସ୍ଥିତ ରାଜ୍ୟପାଳଙ୍କ ସରକାରୀ ବାସଭବନ ଉଚ୍ଚ ସୁରକ୍ଷାବଳୟଯୁକ୍ତ ଲୋକ ଭବନରେ ଡ୍ୟୁଟି ସମୟରେ ସୋମବାର ଜୀବନ ହାରିଛନ୍ତି।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନାହିଁ। ଫଳରେ ଆତ୍ମହତ୍ୟାର ପ୍ରକୃତ କାରଣ ତୁରନ୍ତ ଜଣାପଡ଼ିନାହିଁ। ଏନେଇ ମାଲାବାର ହିଲ୍ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି ଏବଂ ପରବର୍ତ୍ତୀ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।