Rajya Sabha Election: ରାଜ୍ୟସଭା ନିର୍ବାଚନ କ୍ରସ୍ଭୋଟିଂ ମାମଲା: ବାଚସ୍ପତିଙ୍କ ସହିତ ୫ ବିଧାୟକଙ୍କୁ ଜବାବ ତଲବ
କଟକ: ଦଳୀୟ ହୁଇପ୍ ନ ମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ନେଇ ଦାୟର ୫ଟି ଆବେଦନର ହାଇକୋର୍ଟ ଆଜି ଏକତ୍ର ଶୁଣାଣି କରି ବିଧାନସଭାର ବାଚସ୍ପତି, ବିଧାନସଭା ସଚିବ, ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ, ସନାତନ ମହାକୁଡ଼, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାମଲାରେ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଡିସେମ୍ବର ୪ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଡିସେମ୍ବର ୧୫ ସୁଦ୍ଧା ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ। ୨୦୨୭ ଜାନୁଆରି ୧୧ରେ ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେଡି ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଦାୟର ପାଞ୍ଚଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ
ଗତ ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିବା ଯୁକ୍ତିକୁ ଆଜି ମାମଲାର ଶୁଣାଣି ସମୟରେ ବାଚସ୍ପତିଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ବିରୋଧ କରିଥିଲେ। ଆବେଦନକାରୀଙ୍କୁ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରି ବାଚସ୍ପତିଙ୍କ ନିକଟରେ ସାନି ଆବେଦନ ଦାୟର କରିବା ପାଇଁ ହାଇକୋର୍ଟ ଅନୁମତି ଦେଇ ପାରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ବାଚସ୍ପତିଙ୍କ ଏପରି ନିର୍ଦ୍ଦେଶ ଏକ ନ୍ୟାୟିକ ଆଦେଶ। ବାଚସ୍ପତି ଏକ ଟ୍ରିବ୍ୟୁନାଲ୍ ଭାବେ ରାୟ ପ୍ରଦାନ କରିଥିଲେ। ତେଣୁ ପ୍ରତିପକ୍ଷଙ୍କୁ ନୋଟିସ୍ ନ କରି ପୁଣି ଥରେ ବାଚସ୍ପତିଙ୍କ ନିକଟରେ ଆବେଦନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ଏହାପରେ ବାଚସ୍ପତିଙ୍କ ନିର୍ଦ୍ଦେଶର ବୈଧତା ପ୍ରସଙ୍ଗରେ ଶୁଣାଣି ସହିତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଅକ୍ଟୋବର ୧୩ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ତାଙ୍କ ପିଟିସନ ବାଚସ୍ପତି ଖାରଜ କରିଥିଲେ। ପିଟିସନରେ ଥିବା ତ୍ରୁଟି ସଂଶୋଧନଯୋଗ୍ୟ ଥିଲା। ତେଣୁ ବାଚସ୍ପତିଙ୍କ ନିକଟରେ ନିୟମ ଅନୁସାରେ ସାନି ପିଟିସନ ଦାଖଲ କରିବାକୁ ଆବେଦନକାରୀ ଚାହୁଁଛନ୍ତି ବୋଲି ଦର୍ଶାଯାଇଥିଲା।
US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା
ଏଠାରେ ସୂଚନାଯୋଗ୍ୟ ଯେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ନେଇ ଦାୟର ପୃଥକ ଆବେଦନଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେଡି ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍ଗୋ, ଆଇନଜୀବୀ ଆଶିଷ କୁମାର ମିଶ୍ର, ବାଚସ୍ପତି ଓ ବିଧାନସଭା ସଚିବଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଏଜିଏ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
