Rain: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଲଗାଣ ବର୍ଷାରେ ଶୋଇଲା ପାଚିଲା ଧାନ
ଲଇକେରା: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା ।
ଏହାର ପ୍ରଭାବରେ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ କ୍ଷେତରେ ଶୋଇ ପଡ଼ିଥିବାବେଳେ ବିଭିନ୍ନ ସ୍ଥାନରେ ଘରୋଇ କ୍ଷୟକ୍ଷତି ମଧ୍ୟ ଘଟିଛି ।
କେଉଁଠି ଗୁହାଳ ଭାଙ୍ଗିଛି ତ ଆଉ କେଉଁଠି ବିଶାଳ ନିମ୍ବ ଗଛ ଭାଙ୍ଗି କାର୍ ଉପରେ ପଡ଼ିଛି ।
ଏଥିଯୋଗୁଁ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଲଇକେରା ବ୍ଲକର ସାହାସପୁର ପଞ୍ଚାୟତ ଅନ୍ତର୍ଗତ ନାଏକବନ୍ଦପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗାଈ ଗୁହାଳଟି ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ।
ସେହିପରି ଗୁରୁବାର ଲଇକେରା ଥାନା ସମ୍ମୁଖରେ ଥିବା ଏକ ବିଶାଳ ନିମ୍ବ ଗଛ ଭାଙ୍ଗି ପଡ଼ିବାରୁ ଜଣେ ଓକିଲଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି ।
Advertisment ଆହୁରି ପଢନ୍ତୁ : Ronaldo: ରୋନାଲ୍ଡୋଙ୍କୁ ପ୍ରଥମ 'ବୋଟ୍' ପୁରସ୍କାର ଗଛଟି ରାସ୍ତା ଉପରେ ପଡ଼ିବା ସହ ବିଦ୍ୟୁତ୍ ତାର ଉପରେ ଲାଗି ରହିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା ଏବଂ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା ।
ଖବର ପାଇ ଲଇକେରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ଅନ୍ୟପକ୍ଷରେ, ବାତ୍ୟାର ପ୍ରଭାବରେ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଶତାଧିକ ଏକର ଚାଷଜମିରେ ପାଚିଲା ଧାନ ଶୋଇ ପଡ଼ିଥିବା ଜଣାପଡ଼ିଛି ।
ଅମଳ ସମୟରେ ଏଭଳି ସ୍ଥିତି ଉପୁଜିଥିବାରୁ ଧାନ ଉତ୍ପାଦନ ଓ ମାନ ହ୍ରାସ ପାଇବା ଆଶଙ୍କାରେ ଚାଷୀକୁଳ ଚିନ୍ତିତ ହୋଇପଡ଼ିଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ବଢ଼ିବାର ଆଶଙ୍କା ରହିଥିବାରୁ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
