Rain Alert Issued for Two Districts: କାଲିଠୁ ରାଜ୍ୟରେ ପାଗରେ ଆସିପାରେ ପରିବର୍ତ୍ତନ, ୨ ଜିଲ୍ଲାରେ ପ୍ରବଳ ବର୍ଷା
କାଲିଠୁ ପାଗରେ ଆସିପାରେ ପରିବର୍ତ୍ତନ। କାଲି ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରଠୁ ବର୍ଷାର ପରିମାଣ କମିବ । କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଛି।
ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡଖଣ୍ଡ ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କିଛି କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେପଟେ ଜୁନ ୧ରୁ ଏଯାବତ ୩୨୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୨୬୫.୮ ମିମି। ଏହା ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ ୨୨ ପ୍ରତିଶତ ଅଧିକ ବର୍ଷା। ୧୨ଟି ସ୍ଥାନରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ୨୭ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସୋନପୁରରେ ସର୍ବାଧିକ ୩୨୮ ମିମି ରେକର୍ଡ ହୋଉଥିବା କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। କଳାହାଣ୍ଡି, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାରେ ଏବେବି ନିଅଁଟିଆ ବର୍ଷା ରେକର୍ଡ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।