puri rath yatra-2026 ଅଧିକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବ ଚଳିତ ଘୋଷଯାତ୍ରା

Jun 30, 2026 - 23:09
puri rath yatra-2026 ଅଧିକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବ ଚଳିତ ଘୋଷଯାତ୍ରା

"ଭୁବନେଶ୍ୱର:   ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା  ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକସମ୍ପର୍କ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ସମ୍ପାଦନ କରିବା ଉପରେ ଆଲୋଚନା କରାଯାଇଛି।

Advertisment ବୈଠକରେ ପୂର୍ବବର୍ଷମାନଙ୍କ ଭଳି ଏଥର ମଧ୍ୟ ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛନ୍ତି ।

ସହରର ପ୍ରମୁଖ ସ୍ଥାନ ଯଥା ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷବୋଷ ଛକ, ପାନ୍ଥଭବନ, ତାଳବଣିଆ, ରେଳ ଷ୍ଟେସନ,ଶ୍ରୀଦାଣ୍ଡ , ମାଟିଆପଡା ଛକ, ଅଠରନଳା ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳଠାରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ରଥଯାତ୍ରା ପ୍ରଚାର ପ୍ରସାର ପହଞ୍ଚିବା ପାଇଁ ଉଭୟ ସ୍ଥାନୀୟ ଏବଂ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ, ଲାଇଭ୍‌ କମନ୍‌ ଫିଡ୍ ବ୍ୟବସ୍ଥା, ବିଶିଷ୍ଟ ଅତିଥିମାନଙ୍କ ସତ୍କାର ପାଇଁ ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯିବ।

ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ସୂଚନା କେନ୍ଦ୍ରଗୁଡ଼ିକରେ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ପାଲା, ଦାସକାଠିଆ, ଘୋଡାନାଚ ଭଳି ପାରମ୍ପରିକ ଲୋକକଳାର ପ୍ରଦର୍ଶନ ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବ ।

ଟେଲିଭିଜନ୍‌ ଓ ଫଟୋ , ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହିତ କଟକ-ପୁରୀ ଜାତୀୟ ରାଜପଥର ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଥଯାତ୍ରା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ବିବରଣୀ ହୋର୍ଡିଂ ମାଧ୍ୟମରେ ପ୍ରଦର୍ଶିତ ହେବ ।

ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଅନୁରୂପ ଭାବେ ଭକ୍ତମାନଙ୍କ ନିକଟରେ ବିଭିନ୍ନ ଆବଶ୍ୟକୀୟ ଜରୁରି ସୂଚନା ତତକ୍ଷଣାତ ପହଞ୍ଚାଇବା ପାଇଁ ପୁରୀ ସହର ସମେତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାର୍ଶ୍ଵରେ ଏଲଇଡି ସ୍କ୍ରିନ, ଡିସପ୍ଲେ  ସ୍ଥାପନ ଓ ପରିଚାଳନା ନିମନ୍ତେ ପ୍ରଥମ ଥର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ଉତ୍ତମ ପରିଚାଳନା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଥିଲେ।

ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ପୁରୀ ଗସ୍ତ ପାଇଁ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ସେହିପରି ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ସୂଚନା କେନ୍ଦ୍ର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

ସମସ୍ତ କାର୍ଯ୍ୟକୁ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରି ଏହାକୁ ସଫଳ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ସମସ୍ତଙ୍କ ସହଯୋଗ କାମନା କରିଥିଲେ।ବୈଠକରେ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର, ଉପନିର୍ଦ୍ଦେଶକ ତଥା ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।"