Puri Bahuda Yatra: ରତ୍ନବେଦିକୁ ବାହୁଡ଼ିବାବେ ମହାପ୍ରଭୁ, ଶରଧାବାଲିରେ ପ୍ରସ୍ତୁତି ଆରମ୍ଭ

Jul 21, 2026 - 18:54
Puri Bahuda Yatra: ରତ୍ନବେଦିକୁ ବାହୁଡ଼ିବାବେ ମହାପ୍ରଭୁ, ଶରଧାବାଲିରେ ପ୍ରସ୍ତୁତି ଆରମ୍ଭ

"ପୁରୀ (ସତ୍ୟ ନାରାୟଣ ରାଉତରାୟ): ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଜନ୍ମବେଦିରେ ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମହାପ୍ରଭୁଙ୍କୁ ପ୍ରତ୍ୟାଗମନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ତିନିରଥ ଦକ୍ଷିଣାଭିମୁଖୀ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment ପରମ୍ପରା ମୁତାବକ ହେରା ପଞ୍ଚମୀ ପରଦିନ ଅର୍ଥାତ ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ ରଥର ଦକ୍ଷିଣି ବା ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବାର ବିଧିକୁ ଅନୁସରଣ ପୂର୍ବକ ଆଜି ଅପରାହ୍‌ଣ ୩ଟା ୧୦ରେ ଆଜ୍ଞାମାଳ ବିଜେ ହୋଇଥିଲା।

ଏହା ପରେ ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି।

ତେବେ ନୀତି ବିଳମ୍ବର ପ୍ରଭାବ ଦକ୍ଷିଣମୋଡ଼ ଉପରେ ପଡ଼ିଛି।

ଲୋକବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଏହି ନୀତିର କେତେକ ସ୍ୱତନ୍ତ୍ର ବିଧି ରହିଛି, ଯାହା ସାଧାରଣ ରଥଟଣାଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଦକ୍ଷିଣ ମୋଡ଼ର କିଛି ସ୍ୱତନ୍ତ୍ର ପରମ୍ପରା ରହିଛି।

ସାଧାରଣତଃ ରଥଯାତ୍ରା ସମୟରେ ରଥକୁ କେବଳ ସମ୍ମୁଖ ଭାଗରୁ ଟଣାଯାଏ ଏବଂ ରଥ କେବେହେଲେ ପଛକୁ ଫେରେନାହିଁ।

ମାତ୍ର ଦକ୍ଷିଣ ମୋଡ଼ ବେଳେ ରଥର ଉଭୟ ଆଗ ଓ ପଛ ପାର୍ଶ୍ୱରେ ଦଉଡ଼ି ବାନ୍ଧି ଟଣାଯିବାର ବିଧି ରହିଛି।

ରଥଯାତ୍ରା ଓ ବାହୁଡ଼ା ଦିନ ବଡ଼ଭାଇ ବଳଭଦ୍ରଙ୍କ ରଥ ପ୍ରଥମେ ଟଣା ହେଉଥିବା ବେଳେ, ଦକ୍ଷିଣ ମୋଡ଼ ସମୟରେ ପ୍ରଥା ମୁତାବକ ଦେବୀ ସୁଭଦ୍ରାଙ୍କ ଦେବଦଳନ ପ୍ରଥମେ ଟଣାଯାଏ।

ଏହା ପରେ ଯଥାକ୍ରମେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇଥାନ୍ତି।

ଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାରକୁ ରଥ ତ୍ରୟ ସ୍ଥାନାନ୍ତର ହେବା ପରେ ଚତୁର୍ଦ୍ଧା ବିଗ୍ରହଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥାଏ।

ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଜମିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।