Protest: ଦକ୍ଷିଣ ସିରିଆରେ ଇସ୍ରାଏଲୀ ସେନାର ପ୍ରବେଶକୁ ସ୍ଥାନୀୟ ଲୋକଙ୍କ ବିରୋଧ
"ଅବଦିନ: ଦକ୍ଷିଣ ସିରିଆର ଅବଦିନ ସହରରେ ପ୍ରବେଶ କରିବାବେଳେ ଇସ୍ରାଏଲୀ ସେନା ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି।
ଗ୍ରାମବାସୀମାନେ ରାସ୍ତାରେ ପଥର ପକାଇ ସେନାର ଯାନବାହନକୁ ଅଟକାଇବା ସହ କିଛି ଯୁବକ ଓ କିଶୋର ଇସ୍ରାଏଲୀ ସୈନ୍ୟଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ଏହାପରେ ଇସ୍ରାଏଲୀ ସେନା ପ୍ରଥମେ ସତର୍କତାମୂଳକ ଗୁଳି ଚଳାଇଥିଲା ଏବଂ ପରେ ଗାଁ ଉପରେ ଗୁଳିଗୋଳା ମାଡ଼ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ଭୟଭୀତ ହୋଇ ଅଧିକାଂଶ ଲୋକ ଗାଁ ଛାଡ଼ି ପଳାଇଯାଇଛନ୍ତି।Advertisment ଅବଦିନ ସଂଲଗ୍ନ ଅଞ୍ଚଳ ଜାତିସଂଘ ତତ୍ତ୍ୱାବଧାନରେ ଥିବା ବଫର ଜୋନ୍ ନିକଟରେ ଅବସ୍ଥିତ।
୨୦୨୪ ଡିସେମ୍ବରରେ ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍-ଅସଦଙ୍କ ସରକାରର ପତନ ପରେ ଇସ୍ରାଏଲ ଏହି ବଫର ଜୋନ୍କୁ ନିଜ ନିୟନ୍ତ୍ରଣ ନେଇଥିଲା।
ପ୍ରଥମେ ସୀମା ସୁରକ୍ଷା ପାଇଁ ଏହାକୁ ଅସ୍ଥାୟୀ ପଦକ୍ଷେପ ବୋଲି କୁହାଯାଇଥିଲେ ମଧ୍ୟ, ବର୍ତ୍ତମାନ ଇସ୍ରାଏଲର ବରିଷ୍ଠ ନେତାମାନେ ଏହି ଅଞ୍ଚଳରେ ଦୀର୍ଘସ୍ଥାୟୀ ଉପସ୍ଥିତି ରଖିବାର ସଙ୍କେତ ଦେଇଛନ୍ତି।
ଅବଦିନର ବାସିନ୍ଦା ମହମ୍ମଦ ଅଲ୍-ହାସନ୍ କହିଛନ୍ତି, ଇସ୍ରାଏଲୀ ସେନା ସଶସ୍ତ୍ର ଯାନ ସହ ମଝିରେ ମଝିରେ ଗାଁକୁ ଆସି ପଇଁତରା ମାରନ୍ତି, ଘରେ ଘରେ ତଲାସି ନିଅନ୍ତି ଏବଂ କେହି କବାଟ ନ ଖୋଲିଲେ ଜୋରକରି ଘରେ ପ୍ରବେଶ କରନ୍ତି।
ଏଥିରେ ମହିଳା ଓ ଶିଶୁମାନେ ଆତଙ୍କିତ ହୋଇପଡ଼ୁଛନ୍ତି।
ଇସ୍ରାଏଲ କହିଛି, ଭବିଷ୍ୟତରେ ସଶସ୍ତ୍ର ଗୋଷ୍ଠୀଙ୍କ ଆକ୍ରମଣ ରୋକିବା ପାଇଁ ଏପରି ବଫର ଜୋନ୍ ଆବଶ୍ୟକ।
୨୦୨୩ ଅକ୍ଟୋବରରେ ହମାସର ଆକ୍ରମଣ ପରେ ଇସ୍ରାଏଲ ଗାଜା, ଲେବାନନ ଓ ସିରିଆର କିଛି ଅଞ୍ଚଳରେ ସାମରିକ ଉପସ୍ଥିତି ବଢ଼ାଇଛି।
ତେବେ ଅସଦ ସରକାରର ପତନ ପରଠାରୁ ସିରିଆ ପକ୍ଷରୁ ଇସ୍ରାଏଲ ଉପରେ ପ୍ରାୟ କୌଣସି ସୀମାପାର ଆକ୍ରମଣ ହୋଇନାହିଁ।
କେବଳ ଏକ କମ୍ ପରିଚିତ ସଶସ୍ତ୍ର ସଂଗଠନ ପକ୍ଷରୁ ଦୁଇଟି ରକେଟ୍ ମାଡ଼ ଘଟଣା ଘଟିଥିଲା।
ସିରିଆର ଅନ୍ତରୀଣ ରାଷ୍ଟ୍ରପତି ଅହମଦ ଅଲ୍-ଶାରା ଜାତିସଂଘ ଚିହ୍ନଟ କରିଥିବା ପ୍ରାୟ ୨୩୫ ବର୍ଗ କିଲୋମିଟର ବଫର ଜୋନ୍ରୁ ଇସ୍ରାଏଲ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରିଛନ୍ତି।
ସିରିଆ ସରକାର ଅବଦିନରେ ସେନା ଅନୁପ୍ରବେଶ ଓ ଗୋଳାବର୍ଷଣକୁ ମଧ୍ୟ ନିନ୍ଦା କରିଛନ୍ତି।
ଅନ୍ୟପକ୍ଷରେ ଇସ୍ରାଏଲୀ ସେନା ଦାବି କରିଛି ଯେ, ସିରିଆର ଅନ୍ୟ ଏକ ସ୍ଥାନରେ ଇସ୍ରାଏଲୀ ସୈନ୍ୟଙ୍କ ଉପରେ ଆକ୍ରମଣ ଯୋଜନା କରୁଥିବା ଦୁଇ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ସେମାନେ ହତ୍ୟା କରିଛନ୍ତି।
ଏହି ପରିସ୍ଥିତି ମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ଫ୍ରାନ୍ସରେ ଇସ୍ରାଏଲ ଓ ସିରିଆ ମଧ୍ୟରେ ସୁରକ୍ଷା ଚୁକ୍ତି ପାଇଁ ହୋଇଥିବା ଆଲୋଚନା ଆଗକୁ ବଢ଼ିପାରିନାହିଁ।
ସୁରକ୍ଷା ଅଭାବ, ଚାକିରି ସଙ୍କଟ, ପାଣି ଓ ବିଦ୍ୟୁତ୍ ସମସ୍ୟା ଯୋଗୁଁ ଅନେକ ପରିବାର ଅଞ୍ଚଳ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି।
ସ୍ଥାନୀୟ ଲୋକେ ଆନ୍ତର୍ଜାତିକ ସମୁଦାୟଙ୍କୁ ହସ୍ତକ୍ଷେପ କରି ଇସ୍ରାଏଲୀ ସାମରିକ ଅନୁପ୍ରବେଶ ବନ୍ଦ କରିବାକୁ ଦାବି କରିଛନ୍ତି।
Israeli army :ଇସ୍ରାଏଲୀ ସେନାକୁ ବଡ଼ ସଫଳତା: ଏୟାର ଷ୍ଟ୍ରାଇକରେ ହମାସ ଆତଙ୍କୀ ସେଲ୍ ମୁଖ୍ୟ ହାସନ ଅଲ-ଆବିଲ୍ ନିହତ "