US-India: ଟ୍ରମ୍ପଙ୍କ ନୀତି ପାଇଁ ୩୦ ବର୍ଷରେ ସବୁଠାରୁ ନିମ୍ନ ସ୍ତରରେ ଭାରତ-ଆମେରିକା ସମ୍ପର୍କ: ରୋ ଖାନ୍ନା
"ୱାସିଂଟନ: ଆମେରିକା ଡେମୋକ୍ରାଟ୍ ଦଳର କଂଗ୍ରେସ ସଦସ୍ୟ ତଥା ଭାରତୀୟ ବଂଶୋଦ୍ଭୂତ ରୋ ଖାନ୍ନା କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଦେଶନୀତି କାରଣରୁ ଭାରତ-ଆମେରିକା ସମ୍ପର୍କ ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରକୁ ଖସିଆସିଛି।
ୱାସିଂଟନରେ ଆୟୋଜିତ "ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ଲିଡରସିପ୍ ସମିଟ୍"ରେ ଉଦ୍ବୋଧନ ଦେଇ ସେ ଏହି ମତ ପ୍ରକାଶ କରିଛନ୍ତି।Advertisment ରୋ ଖାନ୍ନା କହିଛନ୍ତି, ସେ ସବୁବେଳେ ସ୍ପଷ୍ଟ ଭାବେ ନିଜ ମତ ରଖନ୍ତି।
ତାଙ୍କ ମତରେ, ଟ୍ରମ୍ପଙ୍କ ଏକପାଖିଆ ବିଦେଶନୀତି କେବଳ ଭାରତ ସହ ଆମେରିକାର ସମ୍ପର୍କକୁ ଦୁର୍ବଳ କରିନାହିଁ, ବରଂ ବିଶ୍ୱସ୍ତରରେ ଆମେରିକାର ବିଶ୍ୱସନୀୟତାକୁ ମଧ୍ୟ କ୍ଷୁଣ୍ଣ କରିଛି।
ସେ ବିଶେଷ ଭାବେ ଇରାନକୁ ନେଇ ଟ୍ରମ୍ପଙ୍କ ନୀତିକୁ ସମାଲୋଚନା କରି କହିଥିଲେ ଯେ, ଇରାନ ସହ ସଂଘର୍ଷରେ ଜଡ଼ିତ ହେବାର ନୀତି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଛି।
ରୋ ଖାନ୍ନା ଦାବି କରିଥିଲେ ଯେ, ସମ୍ପ୍ରତି ଚୀନ ଗସ୍ତ ସମୟରେ ସେଠାରେ ଥିବା ଭାରତର ରାଜଦୂତ ତାଙ୍କୁ କହିଥିଲେ ଯେ, ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଭାରତ ଓ ଆମେରିକା ମଧ୍ୟରେ ବର୍ଷ ବର୍ଷ ଧରି ଗଢ଼ିଉଠିଥିବା ବିଶ୍ୱାସର ଭିତ୍ତି କ୍ଷୀଣ ହୋଇଛି।
ଆମେରିକା ପୂର୍ବରୁ ବିଶ୍ୱରେ ନୈତିକ ନେତୃତ୍ୱର ଭୂମିକା ନିଭାଉଥିଲା।
କିନ୍ତୁ ବର୍ତ୍ତମାନର ବିଦେଶନୀତିରେ ଶକ୍ତି ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଇରାନ, କ୍ୟୁବା ଓ ଗ୍ରିନଲାଣ୍ଡକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଆମେରିକାର ଆନ୍ତର୍ଜାତିକ ଛବିକୁ କ୍ଷୁଣ୍ଣ କରିଛି।
ଆପ୍ରବାସନ ଓ ଛାତ୍ର ଭିସା ନୀତିକୁ ନେଇ ମଧ୍ୟ ରୋ ଖାନ୍ନା ଅସନ୍ତୋଷ ପ୍ରକାଶ କରିଥିଲେ।
ତାଙ୍କ କହିବା ଅନୁସାରେ, ଦକ୍ଷ ପ୍ରତିଭା ଓ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନିରୁତ୍ସାହିତ କରିବା ଆମେରିକାର ଦୀର୍ଘମିଆଦୀ ସ୍ୱାର୍ଥ ବିରୋଧୀ।
ବିଶ୍ୱର ଶୀର୍ଷ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗବେଷକଙ୍କ ଏକ ବଡ଼ ଅଂଶ ବିଦେଶୀ ମୂଳର ଏବଂ ଅଧିକାଂଶ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି।
ତେଣୁ ଦକ୍ଷ ମାନବ ସମ୍ପଦକୁ ଆକର୍ଷିତ କରିବା ପରିବର୍ତ୍ତେ ସେମାନଙ୍କୁ ଦୂରେଇ ଦେବା ଦେଶ ପାଇଁ କ୍ଷତିକାରକ।
ଶେଷରେ ରୋ ଖାନ୍ନା କହିଥିଲେ, ଟ୍ରମ୍ପ ବର୍ତ୍ତମାନ ଦୁର୍ବଳ ରାଜନୈତିକ ସ୍ଥିତିରେ ଅଛନ୍ତି ଏବଂ ଆଗାମୀ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ସହ ୨୦୨୮ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ଦଳ ବିଜୟୀ ହେବା ନିଶ୍ଚିତ।
"