Protest: କାଦୁଅ ରାସ୍ତାରେ ଦୁର୍ଦ୍ଦଶା, ପ୍ରତିବାଦରେ ଧାନ ରୋଇଲେ ମହିଳା

Aug 23, 2026 - 18:43
Protest: କାଦୁଅ ରାସ୍ତାରେ ଦୁର୍ଦ୍ଦଶା, ପ୍ରତିବାଦରେ ଧାନ ରୋଇଲେ ମହିଳା

"ଜମନକିରା (ରାଜେନ୍ଦ୍ର କୁମାର ନାଏକ): ସ୍ୱାଧୀନତାର ୮୦ ବର୍ଷ ପରେ ବି ଗାଁକୁ ପହଞ୍ଚିନି ବିକାଶର ରାସ୍ତା।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଖର୍ସନମାଲ୍‌ ପଞ୍ଚାୟତ ଅନ୍ତର୍ଗତ କାଣୀବନ୍ଧଳୀରୁ ବାଘଲତ୍‌ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ଏବେ ଲୋକଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି।

ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ପରିଣତ ହେଉଥିବା ବେଳେ ଲଗାଣ ବର୍ଷାରେ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡୁଛି।Advertisment କେବଳ କାଣୀବନ୍ଧଳୀ-ବାଘଲତ୍‌ ରାସ୍ତା ନୁହେଁ, ଖର୍ସନମାଲ୍‌ ପଞ୍ଚାୟତ ଅଞ୍ଚଳର ଅନେକ ଗ୍ରାମୀଣ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ରହିଛି।

ସାହାଜବାହାଲ୍‌ରୁ ଟାଙ୍ଗରପାଲି, କୁମୁକାପାଲିରୁ ଖଇରମାଲ୍‌, ଭୁବୁରାପାଲରୁ କାଣୀବନ୍ଧଳୀ, କାଣୀବନ୍ଧଳୀରୁ ଖଡ଼ିଆପଡ଼ା ଏବଂ ଖର୍ସନମାଲ୍‌ ପଞ୍ଚାୟତ ଅଫିସରୁ ଖର୍ସନମାଲ୍‌ ଗାଁକୁ ଯାଇଥିବା ରାସ୍ତା ମଧ୍ୟ ଦୀର୍ଘଦିନ ଧରି ମରାମତି ଅପେକ୍ଷାରେ ରହିଥିବା ଅଭିଯୋଗ ହୋଇଛି।

ବର୍ଷା ଋତୁରେ ଏହି ରାସ୍ତାଗୁଡ଼ିକରେ କାଦୁଅ ଓ ଖାଲଖମା ଯୋଗୁଁ ଯାତାୟାତ ଆହୁରି ଦୁର୍ବିସହ ହୋଇପଡୁଛି।

ବାଘଲତ୍‌ ଗାଁର ଗୌନ୍ତିଆପଡ଼ା, ପୁଞ୍ଜିପତରପଡ଼ା, ମଝିପଡ଼ା ଓ ତଳିପଡ଼ାରେ ପ୍ରାୟ ୫୦ରୁ ୬୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି।

ଗାଁରେ ଏକମାତ୍ର ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ଶିକ୍ଷା ପାଇଁ ପିଲାମାନଙ୍କୁ ବଡ଼ରମା, ଷଣ୍ଢପଥର ଓ ମୁଣ୍ଢେନପାଲି ଭଳି ଅଞ୍ଚଳର ହଷ୍ଟେଲରେ ରହିବାକୁ ପଡୁଛି।

ଗ୍ରାମବାସୀ ଜଲସେନ୍‌ ମାଡ଼କିଙ୍କ କହିବାନୁଯାୟୀ, ଗାଁକୁ ଯିବା ପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା।

ବର୍ଷା ହେଲେ ରାସ୍ତାରେ ଏତେ କାଦୁଅ ହୋଇଯାଏ ଯେ ଲୋକଙ୍କ ଯାତାୟାତ କଷ୍ଟକର ହୋଇପଡେ।

ଲଗାଣ ବର୍ଷା ସମୟରେ ଖାଲି ପାଦରେ ଚାଲିବା ମଧ୍ୟ ଦୁର୍ହର ହୋଇଯାଏ।

ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିପିଏଲ୍‌ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ମଧ୍ୟ ଗ୍ରାମବାସୀଙ୍କୁ ଏହି ରାସ୍ତା ଦେଇ ଯିବାକୁ ପଡୁଛି।

ସମସ୍ୟାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ପୂର୍ବାହ୍ନରେ ବ୍ଲକ୍‌ କଂଗ୍ରେସ ସଭାପତି ମନୋଜ ନାଏକଙ୍କ ନେତୃତ୍ୱରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରାୟ ୨ କିମି ପାଦରେ ଚାଲି ବାଘଲତ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପଞ୍ଚାୟତିରାଜ ଓ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜମନକିରା ବ୍ଲକ୍‌ରେ ଏଭଳି ମୌଳିକ ସମସ୍ୟା ରହିବା ଦୁର୍ଭାଗ୍ୟଜନକ।

ନିର୍ବାଚନ ସମୟରେ ଗାଁକୁ ଆସି ସବୁଦିନିଆ ରାସ୍ତାର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ନିର୍ବାଚନ ପରେ ସମସ୍ୟାକୁ ଭୁଲି ଯାଉଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବ୍ଲକ୍‌ କଂଗ୍ରେସ ସଭାପତି ମନୋଜ ନାଏକ କହିଛନ୍ତି, ଆସନ୍ତା ଦୁଇ ମାସ ମଧ୍ୟରେ କାଣୀବନ୍ଧଳୀରୁ ବାଘଲତ୍‌ ପର୍ଯ୍ୟନ୍ତ ୩ କିମି ରାସ୍ତାର ମରାମତି କରା ନଗଲେ ବ୍ଲକ୍‌ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ।

ସେହିପରି ଖର୍ସନମାଲ୍‌ ପଞ୍ଚାୟତର ତଳିପଡ଼ା ଗାଁକୁ ଯାଉଥିବା ଏକମାତ୍ର ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ।

ଗ୍ରୀଷ୍ମ ଋତୁରେ ଗାଁରେ ପାଣି ସମସ୍ୟା ଦେଖାଦେଉଥିବା ବେଳେ ଗ୍ରାମବାସୀଙ୍କ ପାଇଁ ଏକ କ୍ଲବ୍‌ ଘର ମଧ୍ୟ ନାହିଁ।

କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ: ପିଚୁ ରାସ୍ତା ପାଇଁ ଦାବି ରାସ୍ତା ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆଜି ତଳିପଡ଼ା ଓ ବାଘଲତ୍‌ ଗାଁର ମହିଳାମାନେ ରାସ୍ତା ମଝିରେ ଧାନ ରୋଇ ପ୍ରତିବାଦ କରିଥିଲେ।

ଅଞ୍ଚଳର ବିଭିନ୍ନ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ତୁରନ୍ତ ପଦକ୍ଷେପ ନିଆଯାଇ ସବୁଦିନିଆ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ ଓ ମରାମତି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)