Prime Minister Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ କ୍ଷମାପ୍ରାର୍ଥନା ଦାବିରେ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀ ସୋମବାର ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି।
ଦିଲ୍ଲୀ, ବିହାର, ଲକ୍ଷ୍ନୌ, ଜମ୍ମୁ ଓ ବେଙ୍ଗାଲୁରୁରେ ପ୍ରତିବାଦ କରିବା ସହିତ ଖଡ଼ଗେଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ବିହାରର ରାଜଧାନୀ ପାଟନାଠାରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଖଡ଼ଗେ ହଠାତ୍ ରାଗିଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ମୋଦୀ ଶାସନ ଗାଦିରୁ କୁଆଡ଼େ ଯିବେ ନାହିଁ ବୋଲି ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି କହିବାରୁ ଖଡ଼ଗେ କହିଥିଲେ, 'ମୋଦୀଙ୍କ ବାପା ବି ଯିବେ'।
ଏହି ପ୍ରସଙ୍ଗରେ ବେଙ୍ଗାଲୁରୁର ଫ୍ରିଡମ ପାର୍କରେ ବିଜେପି ନେତା ଓ କର୍ମୀ ପ୍ରତିବାଦ କରିବା ସହିତ ଖଡ଼ଗେଙ୍କଠାରୁ ନିସର୍ତ୍ତ କ୍ଷମା ଦାବି କରିଥିଲେ।
ବିକ୍ଷୋଭ ସମୟରେ ପୁଲିସ କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ଆର୍ ଅଶୋକ ଓ ପୂର୍ବତନ ମନ୍ତ୍ରୀ ସିଏନ୍ ଅଶ୍ୱଥ ନାରାୟଣଙ୍କ ସମେତ ଅନେକ ବିଜେପି ନେତାଙ୍କୁ ଅଟକ ରଖିଛି।
Advertisment ପାଟନାରେ ବିହାର ବିଜେପି ସଭାପତି ସଞ୍ଜୟ ସରାଓଗୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ 'ଜନ ଆକ୍ରୋଶ ମାର୍ଚ୍ଚ' ବାହାର କରିଥିଲେ।
ପ୍ରତିବାଦକାରୀମାନେ ଖଡ଼ଗେଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।
ଜମ୍ମୁରେ ବିଜେପି ଖଡ଼ଗେ ଓ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେବା ସହିତ ଡୋଗ୍ରା ଚୌକଠାରେ ପ୍ରତିବାଦ କରିଛି।
ବିଜେପି ବିଧାୟକ ଶଗୁନ ପରିହାର ଓ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଜମ୍ମୁ-କାଶ୍ମୀର ସଭାପତି ଅରୁଣ ପ୍ରଭାତଙ୍କ ନେତୃତ୍ୱରେ, ପ୍ରଦର୍ଶନକାରୀମାନେ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ପୋଡ଼ିବା ସହିତ ରାସ୍ତାରେ ଧାରଣା ଦେଇଥିଲେ।
ସାମ୍ବା, କଠୁଆ, ପୁଞ୍ଚ, ଉଧମପୁର, ରାଜୌରୀ, ଡୋଡା, କିସ୍ତୱାଡ଼ ଓ ରିଆସି ଜିଲ୍ଲାରେ ମଧ୍ୟ ପ୍ରତିବାଦ କରିଛନ୍ତି।
ଖଡ଼ଗେଙ୍କ ମନ୍ତବ୍ୟ ବିରୋଧରେ ବିଜେପି ଦିଲ୍ଲୀ ଓ ଲକ୍ଷ୍ନୌରେ ପ୍ରଦର୍ଶନ କରିଥିଲା।
ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କଂଗ୍ରେସ ନେତୃତ୍ବ ଉପରେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବରେ ଦେବାଳିଆ ମାନସିକତାରେ କାର୍ଯ୍ୟ କରୁଛି, ଯେଉଁଠାରେ ଅସମ୍ମାନଜନକ ଭାଷା ବ୍ୟବହାର ଏକ ରାଜନୈତିକ ପରମ୍ପରା ପାଲଟିଛି।
ଦିଲ୍ଲୀରେ ବିଜେପି ନେତା ଓ କର୍ମୀ ଖଡ଼ଗେଙ୍କ ବାସଭବନ ବାହାରେ ପ୍ରତିବାଦ କରିବାକୁ ସହିତ କ୍ଷମା ପ୍ରାର୍ଥନା ଦାବି କରିଥିଲେ।
ପ୍ରତିବାଦ କରିବା ସମୟରେ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା ଓ ଅନ୍ୟ ନେତାଙ୍କୁ ପୁଲିସ ଅଟକ ରଖିଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡା ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ରଖିବାକୁ ମନା କରିଦେଇଛନ୍ତି।
ଦେବାଳିଆ ମାନସିକତା ବୋଲି କହିଲେ ନୀତିନ ନବୀନ: ପାଟନାରେ ଖଡ଼ଗେଙ୍କ କୁଶପୁତ୍ତଳିକା ଦାହ ତେବେ କଂଗ୍ରେସ ଏହାର ସଭାପତିଙ୍କ ସମର୍ଥନରେ ବାହାରିଛି।
କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ, ଖଡ଼ଗେ ଆର୍ଏସ୍ଏସ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶଗତ ପିତା ବୋଲି କହୁଛନ୍ତି।
ଆର୍ଜେଡି ନେତା ଭାଇ ବୀରେନ୍ଦ୍ର ମଧ୍ୟ ଖଡ଼ଗେଙ୍କ ସପକ୍ଷରେ କହିଛନ୍ତି।
ଖଡ଼ଗେଙ୍କ ମନ୍ତବ୍ୟକୁ ଏମିତି ପାଟିରୁ ବାହାରି ଯାଇଥିଲା ବୋଲି ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି ଯେ ତାଙ୍କୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ।
କଂଗ୍ରେସ ସାଂସଦ ଶଶି ଥରୁର୍ କହିଛନ୍ତି, ମୁଁ ଭାବୁଛି ଆମ ଦେଶର ଲୋକମାନେ ସବୁ କଥାକୁ ଅତିରଞ୍ଜିତ କରିବାର ଅଭ୍ୟାସ ରଖିଛନ୍ତି।
ଖଡ଼ଗେ କାହାକୁ ଅପମାନ କରିବାକୁ ନୁହେଁ, ଏମିତି ଏକ ସାଧାରଣ ପରିପ୍ରକାଶ କରିଥିଲେ, ଯାହାକୁ ନେଇ ଏତେ ପ୍ରତିକ୍ରିୟାଶୀଳ ହେବାର କୌଣସି ଆବଶ୍ୟକତା ନାହିଁ।
କୁନି ଝିଅର ବଡ଼ ସାହାଯ୍ୟ!
ଚାଷୀଙ୍କ ପାଇଁ ଦାନ କଲେ ସଞ୍ଚିତ ଟଙ୍କା, ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
