Pratap Sarangi: କୋଳକୁ ଫେରିଲା ଝିଅ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲେ ବାପା
"ନୀଳଗିରି(ଲୋକନାଥ ଦଳେଇ): ଜନ୍ମଦାତ୍ରୀ ମାଆ ୩ ବର୍ଷ ଆଗରୁ ଦ୍ବିତୀୟ ବିବାହ କରି ଅନ୍ୟତ୍ର ଚାଲିଗଲେ।
ତାଙ୍କ ଶିଶୁକନ୍ୟାଟି ବାପା ପାଖରେ ରହିଆସୁଥିଲା।
ତେବେ ଝିଅକୁ ନିଜ ପାଖରେ ରଖିବା ପାଇଁ ଜନ୍ମଦାତ୍ରୀ ମାଆ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପାଖରେ ବାରମ୍ବାର ଦାବି କରି ଆସୁଥିଲେ ।
ମାଆଙ୍କ ଅଭିଯୋଗ ଅନୁସାରେ ସିଡବ୍ଲ୍ୟୁସି ଶିଶୁକନ୍ୟାକୁ ଘରୁ ନେଇ ଆସିଥିବା ବେଳେ ଝିଅଟି କିନ୍ତୁ ବାପାଙ୍କ ପାଖରେ ରହିବ ବୋଲି କହି ବାହୁନି କାନ୍ଦୁଛି।
ନୀଳଗିରି ଉପଖଣ୍ଡ ଅଧୀନ ଔପଦା ଥାନା ସୋରିଷପାଳ ଗ୍ରାମର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଏ ସମ୍ପର୍କରେ ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସନ୍ଧ୍ୟାରେ ଆଶ୍ରମରେ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି ।Advertisment ଶିଶୁକନ୍ୟାଟି ବାପା ପାଖରେ ରହିଆସୁଥିଲା ସୂଚନାଯୋଗ୍ୟ; ସୋରିଷପାଳ ଗ୍ରାମର ସତ୍ୟବାନ ନାୟକ (୩୧) ଓ କରିସ୍ମା ନାୟକଙ୍କ ଔରସରୁ ୪ ବର୍ଷର ଝିଅଟିଏ ରହିଛି ।
ତେବେ ଜନ୍ମଦାତ୍ରୀ ମାଆ ଗତ ୨୩.୧୧.୨୦୨୪ରେ ଦ୍ବିତୀୟ ବିବାହ କରିଥିବାରୁ ଶିଶୁକନ୍ୟାଟି ବାପା ପାଖରେ ରହିଆସୁଥିଲା।
ତେବେ ଝିଅକୁ ନିଜ ପାଖରେ ନେଇ ରଖିବା ପାଇଁ ମାଆ ସିଡବ୍ଲ୍ୟୁସି ପାଖରେ ଫେରାଦ ହୋଇଥିଲେ।
ବାଲେଶ୍ଵର ସିଡବ୍ଲ୍ୟୁସି ଗତ ୨୧.୦୭.୨୦୨୬ତାରିଖ ଅପରାହ୍ନରେ ଝିଅକୁ ତାଙ୍କ ବାପାଙ୍କ ପାଖରୁ ନେଇଆସି ନୀଳଗିରି ନିକଟସ୍ଥ ଧୋବିଶିଳାସ୍ଥିତ ଏକ କନ୍ୟାଶ୍ରମରେ ରଖିଥିଲେ ହେଲେ ଝିଅଟି ନିଜ ବାପାଙ୍କ ସହ ରହିବ ବୋଲି କହି ଆଶ୍ରମ ଭିତରେ ବାହୁନି କାନ୍ଦୁଥିଲା ।ଏନେଇ ଝିଅର ବାପା ଗତ ମାସ ୨୨ ତାରିଖରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ହାଜର ହୋଇ ଝିଅକୁ ଫେରାଇ ଦେବାକୁ ଗୁହାରି କରିଥିଲେ ।
ହେଲେ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ ଓ ଝିଅକୁ ତାଙ୍କସହ ଦେଖା କରିବାକୁ ଦେଇନଥିଲେ ବୋଲି ବୋଲି ସତ୍ୟବାନ ଅଭିଯୋଗ କରିଥିଲେ ।
ଏହା ଜାଣିବା ପରେ ଏହି ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ କରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ଡିସିପିଓ ଖୁସିରାମ ଜାହିରଙ୍କ ସହ ଆଜି ରାତିରେ ଉକ୍ତ କନ୍ୟାଶ୍ରମରେ ପହଞ୍ଚି ଘଟଣା ବାବଦରେ ଆଲୋଚନା କରିଥିଲେ।
ତାଙ୍କ ଉପସ୍ଥିତିରେ ବାପଝିଅ ପରସ୍ପରକୁ ଭେଟିବା ପରେ ଭୋଭୋ ହୋଇ କାନ୍ଦିଥିଲେ।
ଏହି ଦୃଶ୍ୟ ସମସ୍ତଙ୍କୁ ଭାବିବହ୍ବଳ କରି ଦେଇଥିଲା।
ସାଂସଦ ଶ୍ରୀ ଷଡ଼ଙ୍ଗୀ କାହା ପାଖରେ ରହିବ ବୋଲି ଝିଅକୁ ପଚରିବାରୁ ଝିଅଟି ବାପାଙ୍କ ପାଖରେ ରହିବ ବୋଲି କାନ୍ଦିକାନ୍ଦି କହିଥିଲା।
ସେହିପରି ସିଡବ୍ଲୁସି କର୍ତ୍ତୃପକ୍ଷ ଯେଉଁ ଢଙ୍ଗରେ ଝିଅଟିକୁ ଘରୁ ନେଇ ଆସିଥିଲେ ଓ ବାପା ସହିତ ଦେଖା କରିବାକୁ ଦେଲେ ନାହିଁ ଏହାକୁ ନେଇ ଭୀଷଣ ବିରକ୍ତ ହୋଇଥିଲେ ଶ୍ରୀ ଷଡ଼ଙ୍ଗା।
ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ଚେତାଇ ଦେଇଥିଲେ ।
ଏଥିସହ ଆସନ୍ତା ୩ ତାରିଖ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ ସବୁ କାଗଜପତ୍ର ଯାଞ୍ଚ କରି ବାପା ଝିଅଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଏନେଇ ସିଡବ୍ଲୁସିର ଅଧ୍ୟକ୍ଷା ସ୍ନିଗ୍ଧା ଦାସ କହିଲେ, ଆମେ ସିଧାସଳଖ ପିଲା ଉଦ୍ଧାର କରୁନାହୁଁ।
ନିୟମ ଅନୁଯାୟୀ ଚାଇଲ୍ଡ ହେଲ୍ପ ଲାଇନ୍ ସଦସ୍ୟ ପିଲାକୁ ଉଦ୍ଧାର କରି ଆମକୁ ଦେବାପରେ ଆମେ ଝିଅଟିକୁ ଏକ ଆଶ୍ରମରେ ରଖିଥିଲୁ।
ତେବେ ଲଗାଣ ବର୍ଷା ଯୋଗୁ ଘଟଣାର ଅଧିକ ଯାଞ୍ଚ କରିବା ସମ୍ଭବ ହେଉନଥିଲା | ଆମେ ଏ ଏଯାଏ ସମସ୍ତ କାର୍ଯ୍ୟ ନିମୟ ଭିତରେ ହିଁ କରିଛୁ ଏବେ ସାଂସଦ ଏଥିରେ ହସ୍ତକ୍ଷେପ କରିଛନ୍ତି।
ସେନେଇ ସାଂସଦ ବିରକ୍ତି ପ୍ରକାଶ କରିବା ସହ ଘଟଣାର ଯାଞ୍ଚ କରି ଝିଅକୁ ତା' ବାପକୁ ହସ୍ତାନ୍ତର କରିବା ପାଇଁ ଡିସିପିଓ ଖୁସିରାମ ଜାହିରଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ।
ସାଂସଦଙ୍କ ତାଗିଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ରବିବାର ଦିନ ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନ ତା' ବାପାଙ୍କୁ ହସ୍ତାନ୍ତର କରିଛନ୍ତି।
ଏଥିପାଇଁ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବାପା ସତ୍ୟବାନ ।
Suspended: ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାମଲା, ଦୁଇ କର୍ମଚାରୀ ନିଲମ୍ବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।