poverty in Odisha ପାଳିପାରିଲେନି ବାପା, ସିଡବ୍ଲୁସି ହାତରେ ଟେକିଦେଲେ ତିନି ସନ୍ତାନ

Jun 24, 2026 - 06:28
poverty in Odisha ପାଳିପାରିଲେନି ବାପା, ସିଡବ୍ଲୁସି ହାତରେ ଟେକିଦେଲେ ତିନି ସନ୍ତାନ

"ସୁନ୍ଦରଗଡ଼:  ୧୯୮୫ର କଳାହାଣ୍ଡିର ଫାନସ ପୁଞ୍ଜି ଠାରୁ ଯାଜପୁର ୨୦୧୬ରେ ଯାଜପୁର ନଗଡ଼ାରେ ଅପପୁଷ୍ଟିଜନିତ ଶିଶୁ ମୃତ୍ୟୁ ହେଉ କିମ୍ବା ୨୦୨୬ରେ କେନ୍ଦୁଝରର ଦାନମାଝି, ଏହି ସମସ୍ତ ଘଟଣାରୁ ଏହା ସ୍ପଷ୍ଟ ଯେ ଓଡ଼ିଶାର ବିକାଶରୁ ଗରିବ, ଭୋକର କଳଙ୍କ ହଟୁନାହିଁ।

ନେତାଙ୍କ ବାହାବା ଓ ରାଜନୈତିକ ଦଳ ପ୍ରତିଶ୍ରୁତିର ତାଲିକା ଯେତିକି ବୃଦ୍ଧି ପାଉଛି, ଓଡ଼ିଶାରେ ଭୋକିଲାଙ୍କ ତାଲିକା ସେତିକି ଲମ୍ବି ଚାଲିଛି।

ଏହି ତାଲିକାରେ ଆଜି ଆଉ ଏକ ନାମ ଯୋଡ଼ି ହୋଇଯାଇଛି।

ସୁନ୍ଦରଗଡ଼ର ଜଣେ ଦିନ ମଜୁରିଆ ନିଜର ସନ୍ତାନଙ୍କୁ ଖାଇବାକୁ ମୁଠାଏ ଦେଇନପାରି ନପାରି ସିଡବ୍ଲୁସି ହାତରେ  ଟେକିଦେଇଛି।

Advertisment ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ଦିନ ମଜୁରିଆ "ବାପା" (ଛଦ୍ମନାମ)।

୮-୧୦ ବର୍ଷ ପୂବେ ତାଙ୍କର ବିବାହ ହୋଇଥିଲା।

ପୁଅଝି୍ଅ ହୋଇ ସେମାନଙ୍କ ୩ଟି ସନ୍ତାନ ଜନ୍ମ ହୋଇଥିଲେ।

ଭାବିଥି‌ଲେ, କଙ୍କାଳକୁ ଶୁଖାଇ ମୂଲ ଲାଗୁଛନ୍ତି, କୌଣସି ମତେ ନିଜର ଘର ସଂସାର ଚଳାଇନେବେ।

ନିଜକୁ ନହେଲେ ନହେଉ ନିଜ ପିଲାଙ୍କୁ ଦୁଇବେଳା ମୁଠାଏ ଖାଇବାକୁ ଦେଇପାରିବେ।

କିନ୍ତୁ, ଦରିଦ୍ରର କଷାଘାତ ଏଭଳି ଥିଲା, ୪ ବର୍ଷ ପୂର୍ବେ ତାଙ୍କ ପତ୍ନୀ ୩ ସନ୍ତାନଙ୍କୁ ଛାଡ଼ି କେଉଁ ଆଡ଼େ ଚାଲିଗଲେ। "ବାପା"ଙ୍କ ଅସ୍ଥିକଙ୍କାଳସାର କାନ୍ଧ ଉପରେ ତିନି ପିଲାଙ୍କ ‌ପାଳନପୋଷର ଭାର ସମ୍ପୂର୍ଣ୍ଣ ଭାବେ ପଡ଼ିଥିଲା।

ପିଲାଙ୍କ ଦେଖାଶୁଣା କରିବ ଭାବି ଦ୍ବିତୀୟ ବିବାହ କରିନେଲେ।

ସବୁ ଠିକ୍‌ଠାକ୍‌ ଚାଲୁଥିବା ବେଳେ ଦ୍ବିତୀୟ ପତ୍ନୀଙ୍କ ଗର୍ଭରୁ ଏକ ପୁଅ ଜନ୍ମନେବା ପରେ ପ୍ରଥମ ପତ୍ନୀଙ୍କ ୩ ଶିଶୁ ଅସହାୟ ‌ହୋଇପଡ଼ିଲେ।

ସେମାନଙ୍କୁ ଛାଡ଼ି କାମକୁ ଯିବା ସମ୍ଭବ ହେଲାନି।

ଏହି କଥା ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ନିକଟରେ ପହଞ୍ଚିଥିଲା।

୨୩ ତାରିଖ ମଙ୍ଗଳବାର ଚାଇଲ୍ଡ ହେଲ୍ପ ଲାଇନ ଜିଲ୍ଲା ସଂଯୋଜକ ଜିତୁ ପଟେଲ ଓ ପରିଦର୍ଶକ ମଧୁସୂଦନ ଭୋଏ ତାଙ୍କ ଘରକୁ ଯାଇ ସରକାରଙ୍କ ବ୍ୟବସ୍ଥାରେ ଶିଶୁମାନଙ୍କ ଥଇଥାନ କଥା କହିଲେ।

ବାପା ମଧ୍ୟ ସେମାନଙ୍କ ଖାଦ୍ୟ ଓ ପାଠପଢ଼ା ଚିନ୍ତା କରି ସରକାରଙ୍କୁ ହାତରେ ଲାଳନପାଳନ ଭାର ଦେବାକୁ ହଁ କରିଦେଲେ।

ଶେଷକୁ ଚାଇଲ୍ଡ ଲାଇନ୍‌ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ପରେ ପ୍ରଥମ ପତ୍ନୀଙ୍କ ଠାରୁ ଜାତ ୩ ଶିଶୁମାନଙ୍କୁ ନେଇ ଆସି ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିଲେ।

କମିଟି ଶିଶୁମାନଙ୍କୁ ଆଇନଗତ ପ୍ରକ୍ରିୟା ମଧ୍ୟରେ ରାଉରକେଲା ଏସ୍‌ଓଏସ୍‌ ଭିଲେଜ‌ରେ ଥଇଥାନ କରିଛନ୍ତି।

"