Police officer: ଚାଉଳିଆଗଞ୍ଜ ଥାନାଧିକାରୀଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ ଅଟକ, ମାରାଥନ୍‌ ଜେରା

Jul 06, 2026 - 05:14
Police officer: ଚାଉଳିଆଗଞ୍ଜ ଥାନାଧିକାରୀଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ ଅଟକ, ମାରାଥନ୍‌ ଜେରା

"କଟକ-ମହନଦୀବିହାର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତି ଗତକାଲି ଥାନା କ୍ବାର୍ଟର୍ସରେ ଆତ୍ମହତ୍ୟା କରିବା ଘଟଣା ନୂଆ ମୋଡ଼ ନେଇଛି।

ଏହି ଘଟଣାରେ କଟକ କମିସନରେଟ୍‌ ପୁଲିସ ବିଉଟିଙ୍କ ମୋବାଇଲ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।

ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଧୀନ ଏକ ଥାନାର ଏଏସ୍‌ଆଇଙ୍କୁ ଗତକାଲି ବିଳମ୍ବିତ ରାତିରେ କଟକ କମିସନରେଟ୍‌ ପୁଲିସର ଅଧିକାରୀମାନେ ମାରାଥନ୍‌ ଜେରା କରିଛନ୍ତି।

ବିଉଟିଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ସଂପୃକ୍ତ ଏଏସ୍‌ଆଇଙ୍କ ଭୂମିକା ସନ୍ଦେହଘେରକୁ ଆସିଛି।

ଆଜି ତାଙ୍କୁ ଏକ ଅଜଣା ଜାଗାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ବିଉଟିଙ୍କ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଘଟଣାକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ବିଉଟି ପୂର୍ବରୁ ପାହାଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ବେଳେ ସେଠାରେ କାହା ସହ ତାଙ୍କର ବିବାଦ ଥିଲା କି ନାହିଁ ସେ ଦିଗରେ ପୁଲିସ ତଦନ୍ତକୁ ଜୋରଦାର୍‌ କରିଛି।

Advertisment Horoscope 2026 July 06: ଜାଣନ୍ତୁ ଆଜିର ରାଶିଫଳ ପାହାଳ ଥାନାରେ ଖିଅ ଖୋଜୁଛି ପୁଲିସପହଞ୍ଚିଲା ବିଉଟିଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ସୂଚନା ଥାଉ କି, ବିଉଟି ଥାନା କାର୍ଯ୍ୟାଳୟ ଉପରେ ଥିବା ଆଇଆଇସି ରେଷ୍ଟରୁମ୍‌ରେ ବେକରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ।

କଟକ ଆଡିସନାଲ୍‌ ଡିସିପି ଅମରେନ୍ଦ୍ର ପଣ୍ଡା, ଜୋନ୍‌-୫ ଏସିପି ସୁଧାଂଶୁ ଜେନାଙ୍କ ଉପସ୍ଥିତିରେ ଏହି ରୁମ୍‌ର କବାଟ ଭଙ୍ଗା ଯାଇଥିଲା।

ପୁଲିସ କମିସନର୍‌ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଡିସିପି ଜଗମୋହନ ମିନା ଘଟଣାସ୍ଥଳରେ ପହଞ୍ଚି ସେହି ରୁମ୍‌ ଭିତରେ ଥିବା ବିଭିନ୍ନ ଆସବାବପତ୍ର, ବିଉଟିଙ୍କ ଦୁଇଟି ମୋବାଇଲ୍‌ ଫୋନ୍‌, ଲ୍ୟାପଟପ୍‌ ଜବତ କରିଥିଲେ।

ଏଗୁଡ଼ିକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି।

ସେହି ମୋବାଇଲ୍‌ ଫୋନ୍‌ର ହ୍ବାଟ୍‌ସଆପ୍‌ ଚାଟିଂ ଓ କଲ୍‌, ଫେସ୍‌ବୁକ୍‌ ମେସେଞ୍ଜର୍‌ କଲ୍‌ ରେକର୍ଡ ଆଦିକୁ ପୁଲିସ ଯାଞ୍ଚ କରୁଛି।

ସେହିପରି ବିଉଟିଙ୍କ ଦୁଇଟି ମୋବାଇଲ୍‌ ଫୋନ୍‌ର ଗତ ଚାରି ମାସର କଲ୍‌ ରେକର୍ଡ ବି ପୁଲିସ ପାଖରେ ପହଞ୍ଚିଛି।

ଏଥିରେ ସନ୍ଦେହକୁ ଆସୁଥିବା ଚାରିଟି ନମ୍ବର ଉପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ନିରପେକ୍ଷ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପ୍ରକୃତ କାରଣ ଖୋଜିବା ସହିତ କେଉଁ ପରିସ୍ଥିତିରେ ଏଭଳି ଦୁଃଖଦ ଘଟଣା ଘଟିଲା, ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଓଡ଼ିଶା ପୁଲିସ ଅଫିସର୍ସ ଆସୋସିଏନ୍‌ସ।

ଅଫିସର୍ସ ଆସୋସିଏସନ୍‌ ପକ୍ଷରୁ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ନିକଟରେ ୩ ଦଫା ଦାବି ଉପସ୍ଥାପନ କରାଯାଇଛି।

ଏଥିରେ ଦର୍ଶାଯାଇଛି, ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ତୁରନ୍ତ ଆରମ୍ଭ କରାଯାଉ।

୩୦ ଦିନ ମଧ୍ୟରେ ତଦନ୍ତ ଶେଷ କରି ସାର୍ବଜନୀନ ଭାବେ ତାହାର ରିପୋର୍ଟ ପ୍ରକାଶ କରାଯାଉ।

ଏହାଦ୍ବାରା ସମସ୍ତ ସନ୍ଦେହର ଅବସାନ ଘଟିବା ସହିତ ନ୍ୟାୟ ମିଳିପାରିବ।

ତଦନ୍ତରେ ଯଦି କୌଣସି ବ୍ୟକ୍ତି, ପ୍ରଶାସନିକ ଅବହେଳା, ଅଯଥା କାର୍ଯ୍ୟଚାପ, ମାନସିକ ନିର୍ଯାତନା କିମ୍ବା ଅନ୍ୟ କୌଣସି କାରଣ ଦାୟୀ ବୋଲି ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା ଓଡ଼ିଶାରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଦିନରାତି, ଛୁଟିଦିନ ବିନା, ପରିବାର ଠାରୁ ଦୂରରେ ରହି ନିରନ୍ତର କାର୍ଯ୍ୟ କରୁଛନ୍ତି।

ଆଇନଶୃଙ୍ଖଳା, ପର୍ବପର୍ବାଣି, ଭିଆଇପି ଡ୍ୟୁଟି, ଅପରାଧ ନିୟନ୍ତ୍ରଣ ଓ ଜନସେବାର ଅବିରତ ଦାୟିତ୍ୱ ମଧ୍ୟରେ ଅନେକ ସମୟରେ ଶାରୀରିକ ଓ ମାନସିକ ଚାପ ଅତ୍ୟଧିକ ବଢ଼ିଯାଉଛି।

ଏହି ପରିପ୍ରେକ୍ଷୀରେ କମିସନରେଟ୍ ପୁଲିସ ସହ ସମଗ୍ର ରାଜ୍ୟରେ କାର୍ଯ୍ୟ ପରିବେଶ, ଡ୍ୟୁଟି ପରିଚାଳନା, କାର୍ଯ୍ୟ ସମୟ, ବିଶ୍ରାମ ବ୍ୟବସ୍ଥା ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ବ୍ୟବସ୍ଥାର ସମୀକ୍ଷା କରାଯିବାକୁ ଦାବି ହୋଇଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅସିତ କୁମାର ଜେନା କହିଛନ୍ତି ଯେ ଆମର ଉଦ୍ଦେଶ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଦୋଷାରୋପ କରିବା ନୁହେଁ।

ବରଂ ଘଟଣାର ସତ୍ୟ ଉନ୍ମୋଚନ, ନ୍ୟାୟ ପ୍ରତିଷ୍ଠା ଏବଂ ଭବିଷ୍ୟତରେ ଏପରି ଦୁଃଖଦ ଘଟଣାର ପୁନରାବୃତ୍ତି ରୋକିବା।

ଆମେ ଜଣେ ଭଉଣୀକୁ ହରାଇଲୁ।

ଏହି ଘଟଣାକୁ ଏକ ସାଧାରଣ ଅପମୃତ୍ୟୁ ମାମଲା ଭାବେ ବିବେଚନା କରା ନଯାଉ।

ଏହାସହିତ ସେ କହିଛନ୍ତି ଯେ ଓଡ଼ିଶା ପୁଲିସ ୧୮ଘଣ୍ଟା ଡ୍ୟୁଟି କରୁଛି।

ସାପ୍ତାହିକ ଛୁଟି ଦରକାର।

୨୦ ସିଏଲ୍‌, ୪୫ ଦିନ ଇଏଲ୍‌ ଦିଆଯାଉ।

ବିଗତ ୧୦ବର୍ଷ ଭିତରେ କୌଣସି ଥାନା ଅଧିକାରୀ ୫୦ ପ୍ରତିଶତ ଇଏଲ୍‌ ବି ନେଇନାହାନ୍ତି।

ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ବିକାଶ ପଲେଇ, ଯୁଗ୍ମସମ୍ପାଦକ ଅଂଶୁମାନ ପ୍ରଧାନ, ସଂଗଠନ ସମ୍ପାଦକ ବିଶ୍ବଜିତ ବେହେରା, ଆବାହକ ଶ୍ୟାମସୁନ୍ଦର ଧୀର ପ୍ରମୁଖ ଉପସ୍ଥିତ ଥିଲେ।"