06 JULY 2026

Welcome!

Unlock your personalized experience.
Sign Up

Paddy: ମଣ୍ଡିରେ ଭିଜୁଛି ଧାନ: ବଞ୍ଚାଇବାକୁ ଚାଷୀର ସଂଘର୍ଷ

Jul 06, 2026 - 05:14
Paddy: ମଣ୍ଡିରେ ଭିଜୁଛି ଧାନ: ବଞ୍ଚାଇବାକୁ ଚାଷୀର ସଂଘର୍ଷ

ବରଗଡ଼: ଗୋଟିଏ ପଟେ ଲଘୁଚାପ ବର୍ଷା ଚାଷ ପାଇଁ ଅନୁକୂଳ ପାଗ ଆଣି ଦେଇଥିବା ବେଳେ ଅନ୍ୟପଟେ ମଣ୍ଡିରେ ପଡ଼ିଥିବା ଧାନ ନଷ୍ଟ ହେବାରେ ଲାଗିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ତୁଲଣ୍ଡି ମଣ୍ଡିରେ ଧାନ ଭିଜି ଗଜା ହୋଇ ଯାଇଥିଲା। ରବିବାର ମଧ୍ୟ ଦିନସାରା ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଣ୍ଡି ଧାନ ଭିଜି ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ଧାନ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ବରଗଡ଼ ଜିଲ୍ଲାରେ ରବିଧାନ ସଂଗ୍ରହ ସମାପ୍ତ ହୋଇଛି। କିନ୍ତୁ ଏବେ ବି ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ପ୍ୟାକ୍ସ କର୍ମଚାରୀ ଚାଷୀଙ୍କ ଆଖି ସ୍କାନିଂ କରି ସାରିଛନ୍ତି। କିନ୍ତୁ ଧାନ ଉଠି ନଥିବାରୁ ଚାଷୀମାନେ ସେହି ଧାନ ଜଗି ରହିଛନ୍ତି। ଧାନ ମିଲ୍‌କୁ ନ ପହଞ୍ଚିଲେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମିଳିବ ନାହିଁ।

Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

ଜିଲ୍ଲାରେ ତିନିଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଧାନ ନଷ୍ଟ ହେଉଥିବା ଚାଷୀନେତା ରମେଶ ମହାପାତ୍ର କହିଛନ୍ତି। ରେଶମ ପଞ୍ଚାୟତ ସିଙ୍ଘେନପାଲି ଗ୍ରାମର ଚାଷୀ ଗୋବର୍ଦ୍ଧନ ସାଲିମାଙ୍କ କହିବାନୁଯାୟୀ ସେ ୧୨ ଏକର ଜମିରେ ଚାଷ କରିଥିଲେ। ଆଖି ସ୍କାନିଂ ପରେ ମଣ୍ଡିରେ ଜାଗା ନଥିବାରୁ ଧାନବସ୍ତାଗୁଡ଼ିକ ଖଳାରେ ରଖା ହୋଇଥିଲା। ଏବେ ବର୍ଷା ହେବାରୁ ସବୁ ଧାନ ଭିଜି ନଷ୍ଟ ହୋଇଯାଇଛି। ଅଧିକାଂଶ ଧାନ ଗଜା ହୋଇଗଲାଣି। ବିଶେଷ କରି ୨/୩ ଏକର ଜମିରେ ଚାଷ କରିଥିବା ଛୋଟ ଚାଷୀମାନେ ବହୁ ହଇରାଣ ହେଉଛନ୍ତି ବୋଲି ରେଶମର ଚାଷୀ ସୁଲପତି ପଧାନ କହିଛନ୍ତି। ତାଙ୍କ ଧାନ ମଧ୍ୟ ଗଜା ହୋଇ ଯାଇଥିବା ସେ କହିଛନ୍ତି। ବରଗଡ଼ ଜିଲ୍ଲାର ତୁଲଣ୍ଡି ମଣ୍ଡିରେ ପ୍ରାୟ ୨୦ ହଜାର, କୁମ୍ଭାରୀରେ ୨୦ ହଜାର, ସିଙ୍ଘେନପାଲିରେ ୯ ହଜାର, ସାଲେପାଲିରେ ୨୦ ହଜାର, ଅରେଇଗୁଡ଼ିରେ ୧୮ ହଜାର, ତେନ୍ତୁଳିଟିକ୍ରାରେ ୪୫ ହଜାର, ଜାମସେଟରେ ୪୫ ହଜାର ଏବଂ ପାଇକମାଳ ମଣ୍ଡିରେ ୬୩ ହଜାର ବସ୍ତା ଧାନ ପଡ଼ିଥିବା ଚାଷୀନେତା ଶ୍ରୀ ମହାପାତ୍ର କହିଛନ୍ତି।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା